ନୂଆଦିଲ୍ଲୀ,୦୭/୦୩; ଆଉ ଗୋଟିଏ ଦିନର ଅପେକ୍ଷା । ଆସନ୍ତାକାଲି (ରବିବାର) ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ର ଫାଇନାଲ ଫାଇଟ୍ ଖେଳାଯିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ବନାମ ନ୍ୟୁଜିଲାଣ୍ଡ । ଲକ୍ଷାଧିକ ଦର୍ଶକରେ ଷ୍ଟାଡ଼ିୟମ୍ ହେବ ହାଉସ୍ ଫୁଲ୍ । ଏବେଠୁ ଦର୍ଶକ ଅହମ୍ମଦାବାଦରେ ଡେରା ପକାଇଲେଣି । ଶୁକ୍ରବାର ନ୍ୟୁଜିଲାଣ୍ଡ ଦଳ ଜୋରଦାର ଅଭ୍ୟାସ କରିଛି । ଦିନକ ତଳେ ସେମି ଫାଇନାଲ୍ ଖେଳିଥିବା ଭାରତୀୟ ଦଳ ବିଶ୍ରାମ ନେଇଛି । ନ୍ୟୁଜିଲାଣ୍ଡ ଦ୍ୱିତୀୟ ଥର ପାଇଁ ଫାଇନାଲ୍ ଖେଳିବାକୁ ଯାଉଛି । ପୂର୍ବରୁ କେବଳ ୨୦୨୧ ସଂସ୍କରଣର ଫାଇନାଲ୍ ଖେଳିଥିଲା ଓ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇ ରନର୍ସ ଅପ୍ରେ ସନ୍ତୁଷ୍ଟ ହୋଇଥିଲା । ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ପ୍ରଥମ ଦଳ ଭାବେ ସର୍ବାଧିକ ଚତୁର୍ଥ ଥର ପାଇଁ ଫାଇନାଲ୍ ଖେଳିବାକୁ ଯାଉଛି । ପୂର୍ବରୁ ଦଳ ୨ଥର ଚାମ୍ପିଅନ୍ (୨୦୦୭ ଓ ୨୦୨୪) ହୋଇ ସାରିଛି । ୨୦୧୪ ବିଶ୍ୱକପ୍ରେ ମଧ୍ୟ ଭାରତ ରନର୍ସ ଅପ୍ ହୋଇଥିଲା । ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ ମ୍ୟାଚରେ ନ୍ୟୁଜିଲାଣ୍ଡକୁ କେବେ ବି ହରାଇ ନାହିଁ । ଦୁଇ ଦଳ ମଧ୍ୟରେ ହୋଇଥିବା ୩ଟି ମ୍ୟାଚ କିୱି ଦଳ ଜିତିଛି । ଏମିତି ସ୍ଥିତିରେ ଭାରତ ପାଇଁ ସୁପର ସନଣ୍ଡେ ଫାଇନାଲ ମ୍ୟାଚ ବଡ଼ ଯୁଦ୍ଧଠୁ କମ ନୁହେଁ ।
ମୋଟାମୋଟି ଭାବେ ଦେଖିବାକୁ ଗଲେ ଦୁଇ ଦଳ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି । ଯେଉଁଠି ଭାରତ ୧୬ଟି ମ୍ୟାଚ ଜିତିଛି । ନ୍ୟୁଜିଲାଣ୍ଡ ୧୧ଟି ଜିତିଛି । ୩ଟି ମ୍ୟାଚ ଡ୍ର ହୋଇଛି । ଏହି ୩ଟି ଟାଏ ମ୍ୟାଚରୁ ୨ଟି ଭାରତୀୟ ଟିମ ସୁପର ଓଭରରେ ଜିତିଛି । ଗୋଟିଏ ଡିଏଲଏସ ପାଇଁ ଟାଇ ହୋଇଥିଲା । ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ୭ ରନରେ ହରାଇଥିଲା । ୨୫୭ରନର ବିଶାଳ ଟାର୍ଗେଟ ସେଟ୍ କରିଥିଲା ଟିମ୍ ଇଣ୍ଡିଆ । ଇଂଲଣ୍ଡ ୨୪୬ କରିବାରେ ସକ୍ଷମ ହୋଇଥିଲା । ଏହି ମ୍ୟାଚରେ ଭାରତୀୟ ବ୍ୟାଟର ଦମଦାର ପ୍ରଦର୍ଶନ କରିଥିଲେ । ସଞ୍ଜୁ ସାମସନ ୪୨ ବଲରେ ୮୯ ରନ୍ କରିଥିଲେ । ଅନ୍ୟ ବ୍ୟାଟର ବି ଭଲ ଖେଳିଥିଲେ । ବୋଲର ନିରାଶ କରିଥିଲେ । ଅର୍ଶଦୀପ ୪ ଓଭରରେ ୫୧ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ । ବରୁଣ ଚକ୍ରବର୍ତ୍ତୀ ଶସ୍ତା ସାବ୍ୟସ୍ତ ହୋଇଥିଲେ । ସେ ୪ ଓଭର ବୋଲିଂ କରି ୬୪ ରନ୍ ଦେଇଥିଲେ । ଗୋଟିଏ ୱିକେଟ ନେଇଥିଲେ । ତାଙ୍କ ବୋଲିଂ ନୈରାଶ୍ୟଜନକ ଥିଲା । ଏବେ ପ୍ରଶ୍ନ ଉଠୁଛି ଫାଇନାଲରେ ଭାରତୀୟ ଟିମ୍ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରିବ କି ? ପୁରା ଟୁର୍ଣ୍ଣାମେଣ୍ଟରେ ବେଞ୍ଚରେ ବସିଥିବା କୁଳଦୀପ ଯାଦବଙ୍କୁ ସୁଯୋଗ ମିଳିବ କି ? ସେହିପରି ଅଭିଷେକ ଶର୍ମାଙ୍କ ଫର୍ମ ବି ଚିନ୍ତାଜନକ ।
ବରୁଣଙ୍କ ବୋଲିଂକୁ ନେଇ କଣ କହିଲେ ଇର୍ଫାନ ପଠାନ କଣ କହିଲେ ? ବରୁଣ ଚକ୍ରବର୍ତ୍ତୀ ବିଶ୍ୱକପରେ ଭାରତୀୟ ଟିମ୍ ପାଇଁ ସର୍ବାଧିକ ୱିକେଟ ନେଇଥିବା ବୋଲର । ସେ ୮ ମ୍ୟାଚରେ ୨୮ ଓଭର ବୋଲି କରି ୨୪୮ ରନ ଦେଇ ୧୩ଟି ୱିକେଟ ନେଇଛନ୍ତି । ତାଙ୍କ ଆଭରେଜ ୧୯.୭ ରହିଛି । ଇକୋନୋମି ୮.୮୫ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ବରୁଣ ୪ଟି ୱିକେଟ ନେଇଛନ୍ତି । ହେଲେ ବରୁଣଙ୍କୁ ଟିମ୍ ଇଣ୍ଡିଆରୁ ସର୍ପୋଟ ମିଳିନାହିଁ । କାରଣ ସେମିଫାଇନାଲେର ଗୋଟିଏ ୱିକେଟ ନେଇଥିଲେ ବି ଶସ୍ତା ସାବ୍ୟସ୍ତ ହୋଇଥିଲେ । ତାଙ୍କୁ ନେଇ ପୂର୍ବ କ୍ରିକେଟର ଇର୍ଫାନ ପଠାନ କହିଛନ୍ତି, ଫାଇନାଲ ଚ୍ୟାଲେଞ୍ଜରେ ଟିମ୍ ଇଣ୍ଡିଆ ଷ୍ଟ୍ରାଟେଜୀ ମଜବୁତ ହେବା ଦରକାର । ଏହାର ବଡ଼ ଫ୍ୟାକ୍ଟର ହେଉଛନ୍ତି ବରୁଣ ଚକ୍ରବର୍ତ୍ତୀ । ତାଙ୍କୁ ସଠିକ୍ ଫର୍ମରେ ଆସିବାକୁ ପଡିବ ।
ଅଭିଷେକ ଶର୍ମାଙ୍କୁ ମିଳିବ କି ସୁଯୋଗ ? ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତୀୟ ଓପନର ଏବଂ ନମ୍ବର ୱାନ ଟି-ଟ୍ୱେଣ୍ଟି ବ୍ୟାଟର ଅଭିଷେକ ଶର୍ମାଙ୍କ ପ୍ରଦର୍ଶନ ଏଯାବତ ଆଶା ଅନୁସାରେ ହୋଇନାହିଁ । ବ୍ୟାଟ ଶାନ୍ତ ଅଛି । ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ । ତେଣୁ ଫାଇନାଲ ଖେଳିବାକୁ ନେଇ ପ୍ରଶ୍ନ ଉଠିଛି । ସେମିଫାଇନାଲରେ ମାତ୍ର ୯ ରନ କରି ଆଉଟ ହୋଇଥିଲେ ।
ଏହା ବି ପଢନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପ ଚାମ୍ପିଅନଙ୍କ ଉପରେ ହେବ ଟଙ୍କା ବର୍ଷା, ପରାଜିତ ଟିମକୁ କେତେ ଟଙ୍କା ମିଳିବ ଜାଣନ୍ତୁ ?
ଭାରତ ସମ୍ଭାବ୍ୟ ଏକାଦଶ- ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ/କୁଳଦୀପ ଯାଦବ ।
ନ୍ୟୁଜିଲାଣ୍ଡ ସମ୍ଭାବ୍ୟ ଏକାଦଶ- ଟିମ ସିଫର୍ଟ, ଫିନ ଏଲନ, ରଚିନ ରବିନ୍ଦ୍ର, ଗ୍ଲେନ ଫିଲିପ୍ସ, ମାର୍କ ଚାପମେନ, ଡାରିଲ ମିଚେଲ, ଜେମ୍ସ ନିଶମ, ମିଚେନ ସାଣ୍ଟନର, କୋଲ ମେକକାନ୍ଚି, ମ୍ୟାଚ ହେନେରୀ, ଲାକି ଫର୍ଗୁସନ ।