ଅହମ୍ମଦାବାଦ, ୦୮/୦୩: ‘ସୁପର ସନଡେ’ରେ ହେବ ବଡ଼ ଲଢ଼େଇ । ଟି-ଟ୍ୱେଣ୍ଟି ବିଶ୍ୱକପ୍ ଦଶମ ସଂସ୍କରଣର ଟାଇଟଲ ଲଢ଼େଇରେ ବିଶ୍ୱର ଏକ ନମ୍ବର ତଥା ଡିଫେଣ୍ଡିଂ ଚାମ୍ପିଅନ ଭାରତ ଏବଂ ୪ ନମ୍ବର ଦଳ ନ୍ୟୁଜିଲାଣ୍ଡ ହେବେ ମୁହାଁମୁହିଁ । ବିଶ୍ୱର ବୃହତ୍ ନରେନ୍ଦ୍ର ମୋଦି ଷ୍ଟାଡିୟମ ଉପରେ ରହିବ ସାରା ବିଶ୍ୱର ନଜର । ସମୟ ଯେତିକି ପାଖେଇ ଆସୁଛି, ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି । କିଏ ହେବ ବିଶ୍ୱ ଚାମ୍ପିଅନ? ଡିଫେଣ୍ଡିଂ ଚାମ୍ପିଅନ ଟାଇଟଲ ବଜାୟ ରଖିବ ନା ନ୍ୟୁଜିଲାଣ୍ଡ ପ୍ରଥମ ଥର ବିଶ୍ୱ ବିଜେତା ହେବାର ସୌଭାଗ୍ୟ ଲାଭ କରିବ । ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ବିଶ୍ୱକପ୍‌ର ମହାସମର । ତା’ ପୂର୍ବରୁ କିଛି ସମୟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ।

ବିଶ୍ୱକପ୍ ଆରମ୍ଭ ହେବା ବେଳକୁ ବହୁ ଦଳ ଟାଇଟଲ ଦୌଡ଼ରେ ରହିଥିଲେ । ଗୋଟିଏ ପରେ ଗୋଟିଏ ଦଳ ବିଦାୟ ନେଇ ଶେଷରେ ଦକ୍ଷିଣ ଆଫ୍ରିକା- ନ୍ୟୁଜିଲାଣ୍ଡ ଏବଂ ଭାରତ-ଇଂଲଣ୍ଡ ସେମି ଫାଇନାଲ ଖେଳିଥିଲେ । ଆରମ୍ଭରୁ ଉନ୍ନତ ପ୍ରଦର୍ଶନ କରି ଆସିଥିବା ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ବିଦାୟ ନେଲେ । ଦୁଇ ଶ୍ରେଷ୍ଠ ଦଳ ଭାରତ ଓ ନ୍ୟୁଜିଲାଣ୍ଡ ଫାଇନାଲକୁ ଉନ୍ନୀତ ହେଲେ ।

ଭାରତ ବିଶ୍ୱର ଏକ ନମ୍ବର ଦଳ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଏହି ଦଳକୁ ସର୍ବକାଳୀନ ଶ୍ରେଷ୍ଠ ଦଳ ବୋଲି ବିବେଚନା କରାଯାଉଛି । ଡିଫେଣ୍ଡିଂ ଚାମ୍ପିଅନ ଏଥର ଟାଇଟଲ ବଜାୟ ରଖିବାକୁ ପ୍ରମୁଖ ଦାବିଦାର ରହିଛି । ବିଶେଷ କରି ଦଳର ବ୍ୟାଟିଂ ଅତି ଉନ୍ନତ ରହିଛି । ସଞ୍ଜୁ ସାମସନ ପୂର୍ବ ୨ ମ୍ୟାଚ୍‌ରେ ଯେଉଁଭଳି ପ୍ରଦର୍ଶନ କରିଛନ୍ତି, ତାହା ଅତି ପ୍ରଶଂସନୀୟ । ଯାହାର ତୁଳନା ନାହିଁ । ଠିକ୍ ସେମିତି ଭେଟେରାନ ଯଶପ୍ରୀତ ବୁମରା ଦଳକୁ ସୁରକ୍ଷା ଦେଇ ଚାଲିଛନ୍ତି । ତାଙ୍କର ଯେତେ ପ୍ରଶଂସା କଲେ ବି ଶବ୍ଦର ଅଭାବ ହେବ । ଦଳ ପାଇଁ କିଛିଟା ଚିନ୍ତାର କାରଣ ପାଲଟିଛି ଅଭିଷେକ ଶର୍ମା ଓ ବରୁଣ ଚକ୍ରବର୍ତ୍ତୀଙ୍କ ଫର୍ମ । କିନ୍ତୁ ଦଳରେ ଆଜି କିଛି ପରିବର୍ତ୍ତନ ହେବ କି ନାହିଁ ସେ ବିଷୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କିଛି ଇଙ୍ଗିତ କରି ନାହାନ୍ତି । ବରଂ ସେ ବରୁଣଙ୍କ ପ୍ରଶଂସା କରିଛନ୍ତି । ଯାହା ଆଶା କରାଯାଉଛି, କୁଲଦୀପ ଯାଦବଙ୍କୁ ହୁଏତ ଏକାଦଶରେ ସ୍ଥାନ ମିଳିପାରେ । ଇଂଲଣ୍ଡ ବିପକ୍ଷରେ ବୁମରାଙ୍କୁ ଛାଡ଼ି ବୋଲିଂ ସେମିତି ପ୍ରଭାବଶାଳୀ ନଥିଲା । ତେଣୁ ଦଳକୁ ଏହା ଉପରେ ଅଧିକ ଫୋକସ କରିବାକୁ ହେବ ।

​​​​​​​ଅଧିକ ପଢ଼ନ୍ତୁ:- ଭାରତକୁ ସୁହାଇବା ଭଳି ପିଚରେ ହେବ କି ଖେଳ ? ଫାଇନାଲ ମ୍ୟାଚ ପୂର୍ବରୁ ବଡ଼ ଖୁଲାସା
​​​​​​​

ଇଡେନ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନ୍ୟୁଜିଲାଣ୍ଡ ଅଦ୍ଭୁତ ବିଜୟ ହାସଲ କରିଥିଲା । ୯ ୱିକେଟ୍‌ରେ ଦଳ ବିଜୟୀ ହୋଇଥିଲା । ବୋଲିଂ ସନ୍ତୁଳିତ ରହିଥିଲା । ୩ ଜଣ ସ୍ପେଶାଲିଷ୍ଟ ସ୍ପିନରଙ୍କୁ ନେଇ ଦଳ ଖେଳିଥିଲା । ହେଲେ ଦଳ ଫାଇନାଲରେ ଏହି ଦଳ ଅପରିବର୍ତ୍ତିତ ରଖିବ ନା କିଛି ପରିବର୍ତ୍ତନ କରିବ । ଯଦି ପରିବର୍ତ୍ତନ ହୁଏ ତେବେ ଜିମ୍ମି ନୀଶମଙ୍କ ସ୍ଥାନରେ ଜାକବ ଡଫିଙ୍କୁ ଏକାଦଶରେ ସୁଯୋଗ ମିଳିପାରେ । ପୂର୍ବରୁ ସେମିତି ଭଲ ବ୍ୟାଟିଂ କରିନଥିବା ଫିନ ଆଲେନ ଚମତ୍କାର ଫର୍ମକୁ ଫେରିଛନ୍ତି । ଅପରାଜିତ ଶତକ ହାସଲ କରି ଦଳକୁ ଜିତାଇଥିଲେ । ଦଳର ବ୍ୟାଟିଂ ୟୁନିଟ୍ ସନ୍ତୁଳିତ ରହିଛି ।

ନ୍ୟୁଜିଲାଣ୍ଡ ଦ୍ୱିତୀୟ ଥର ପାଇଁ ଫାଇନାଲ୍ ଖେଳିବାକୁ ଯାଉଛି । ପୂର୍ବରୁ କେବଳ ୨୦୨୧ ସଂସ୍କରଣର ଫାଇନାଲ୍ ଖେଳିଥିଲା । ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପ୍ରଥମ ଦଳ ଭାବେ ସର୍ବାଧିକ ଚତୁର୍ଥ ଥର ପାଇଁ ଫାଇନାଲ୍ ଖେଳିବାକୁ ଯାଉଛି । ପୂର୍ବରୁ ଦଳ ୨ଥର ଚାମ୍ପିଅନ୍ (୨୦୦୭ ଓ ୨୦୨୪) ହୋଇ ସାରିଛି । ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ସବୁଠୁ ସଫଳ ଦଳ ହୋଇଥିଲେ ବି ପୂର୍ବରୁ କେବେ ନ୍ୟୁଜିଲାଣ୍ଡକୁ ହରାଇ ନାହିଁ । ଉଭୟ ଦଳ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ୩ ଥର ମୁହାଁମୁହିଁ ହୋଇଥିବାବେଳେ ନ୍ୟୁଜିଲାଣ୍ଡ ସମସ୍ତ ମ୍ୟାଚ ଜିତିଛି ।

୨୦୨୩ ଦିନିକିଆ ସେମି ଫାଇନାଲରେ ଭାରତ ଏଠାରେ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାଜିତ କରିଥିଲା । ଏଥର କିନ୍ତୁ ନ୍ୟୁଜିଲାଣ୍ଡ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଗତ ଭାରତ-ଇଂଲଣ୍ଡ ସେମି ଫାଇନାଲକୁ ୬.୫୨ କୋଟି ଦର୍ଶକ ଦେଖିଥିଲେ । ଫାଇନାଲ ହୁଏତ ପୂର୍ବ ରେକର୍ଡ ଭଙ୍ଗ କରିପାରେ ।

ସମ୍ଭାବ୍ୟ ଏକାଦଶ

ଭାରତ: ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଷନ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ/କୁଲଦୀପ ଯାଦବ/ମହମ୍ମଦ ସିରାଜ ।

ନ୍ୟୁଜିଲାଣ୍ଡ: ଟିମ୍ ସାଇଫର୍ଟ, ଫିନ୍ ଆଲେନ, ରଚିନ ରବୀନ୍ଦ୍ର, ଗ୍ଲେନ୍ ଫିଲିପ୍ସ, ମାର୍କ ଚାପମାନ, ଡାରିଲ ମିଚେଲ, ମିଚେଲ ସାଣ୍ଟନର (ଅଧିନାୟକ), କୋଲ ମ୍ୟାକ୍କୋଞ୍ଚି, ଜିମ୍ମି ନୀଶମ/ଜାକବ ଡଫି, ମାଟ୍ ହେନରୀ, ଲୋକି ଫର୍ଗୁସନ