ଦୁବାଇ,୦୬/୧୦: ଚଳିତ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ରବିବାର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ପାକିସ୍ତାନ ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କାକୁ ୩୧ ରନ୍ରେ ହରାଇଥିଲା । ମାତ୍ର ଭାରତ ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଠାରୁ ୫୮ ରନ୍ରେ ପରାଜିତ ହୋଇଛି । ତେଣୁ ହର୍ମନପ୍ରୀତ କୌରଙ୍କ ଟିମ୍ ଇଣ୍ଡିଆ ପାଇଁ ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି।
ପୂର୍ବ ରେକର୍ଡକୁ ଦେଖିଲେ ଭାରତର ପଲା ଭାରି ରହିବ । ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଉଭୟ ଦଳ ପରସ୍ପରକୁ ୭ଥର ଭେଟିଛନ୍ତି । ଏଥିରୁ ଭାରତ ୫ଟି ମ୍ୟାଚ୍ ଜିତିଛି । ଶେଷ ଥର ପାଇଁ ୨୦୧୬ ସଂସ୍କରଣରେ ପାକିସ୍ତାନ ଶେଷ ଥର ପାଇଁ ଭାରତକୁ ହରାଇଥିଲା । ମୋଟ୍ ଉପରେ ଦେଖିବାକୁ ଗଲେ ଉଭୟ ଦଳ ମଧ୍ୟରେ ମୋଟ୍ ୧୫ଟି ମ୍ୟାଚ୍ ଖେଳାଯାଇଛି । ଭାରତ ଏଥିରୁ ୧୨ଟି ମ୍ୟାଚ୍ ଜିତିଛି ।
ଭାରତକୁ ମ୍ୟାଚ୍ ଜିତିବାକୁ ହେଲେ ପ୍ରଥମେ ବ୍ୟାଟିଂ ତ୍ରୁଟି ସୁଧାରିବାକୁ ହେବ । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ସବୁ ବ୍ୟାଟର ଫେଲ ମାରିଥିଲେ । ବିଶେଷ କରି ୨ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧନା ଓ ହର୍ମନପ୍ରୀତ ଦାୟିତ୍ୱ ମୁଣ୍ଡାଇବା ଜରୁରି । ବ୍ୟାଟିଂ ବିଭାଗରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ । ହର୍ମନପ୍ରୀତଙ୍କୁ ୪ନଂରେ ଖେଳାଇ ଜେମିମା ରୋଡ୍ରିଗ୍ସଙ୍କୁ ୩ନଂ ସ୍ଥାନକୁ ଫେରାଇ ଆଣିଲେ ବ୍ୟାଟିଂ ବିଭାଗ ସୁଦୃଢ ହୋଇପାରିବ।
ପାକିସ୍ତାନ ସ୍ପିନର ସାଦିଆ ଇକବାଲ ଭାରତ ପାଇଁ ଚିନ୍ତାର କାରଣ ହୋଇପାରନ୍ତି । ସେ ଚଳିତ ବର୍ଷ ୧୫ଟି ଟି-ଟ୍ୱେଣ୍ଟି ଖେଳି ୨୪ଟି ୱିକେଟ୍ ନେଇ ସାରିଛନ୍ତି । ଗତ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ମଧ୍ୟ ସେ ୩ଟି ୱିକେଟ୍ ନେଇଥିଲେ ।
ଭାରତୀୟ ଦଳ: ସ୍ମୃତି ମନ୍ଧନା, ଶେଫାଳି ବର୍ମା, ୟସ୍ତିକା ଭାଟିଆ, ହର୍ମନପ୍ରୀତ କୌର(ଅଧିନାୟିକା), ଜେମିମା ରୋଡ୍ରିଗ୍ସ, ରିଚା ଘୋଷ, ଦୀପ୍ତି ଶର୍ମା, ଶ୍ରେୟଙ୍କା ପାଟିଲ, ପୂଜା ବସ୍ତ୍ରାକର, ରେଣୁକା ସିଂହ, ଅରୁନ୍ଧତି ରେଡ୍ଡୀ, ଡି ହେମଲତା, ଆଶା ଶୋଭନା, ରାଧା ଯାଦବ, ଏସ ସଜନା ।
ପାକିସ୍ତାନ ଦଳ: ଫାତିମା ସାନା (ଅଧିନାୟିକା), ଆଲିୟା ରିୟାଜ, ଡାଏନା ବେଗ, ଗୁଲ୍ ଫିରୋଜା, ଇରମ ଜାଭେଦ, ମୁନିବା ଅଲି, ନସ୍ରା ସାନ୍ଧୁ, ନିଦା ଦର, ଓମାଇମା ସୋହେଲ, ସଦାଫ ସମାସ, ସାନିଆ ଇକବାଲ୍, ସିଦ୍ରା ଅମିନ, ସାୟେଦା ଆରୁବ ଶାହ, ତସମିଆ ରୁବାବ, ତୁବା ହାସାନ ।