ନୂଆଦିଲ୍ଲୀ, ୧୨/୦୩ : ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ଵକପ୍ ହାତେଇଲା। ଏହି ମୁକାବିଲାରେ ଅଲରାଉଣ୍ଡର ଶିବମ୍ ଦୁବେ ଶେଷ ଓଭରରେ ଚମତ୍କାର ବ୍ୟାଟିଂ କରି ସ୍କୋରକୁ ଅଢେଇ ଶହ ଉପରକୁ ନେଇଗଲେ। ଏହି ବାମହାତୀ ବ୍ୟାଟର ଶେଷ ଓଭରରେ ତିନି ଚୌକା ଏବଂ ଦୁଇ ଛକା ମାରି ଦଳକୁ ମଜଭୁତ ସ୍ଥିତିକୁ ନେଇଗଲେ। ପୁରା ଷ୍ଟାଡିୟମ ଦୁବେ-ଦୁବେ ନାରାରେ କମ୍ପି ଉଠିଲା। ହେଲେ ମ୍ୟାଚ୍ ଶେଷ ହେବାର କିଛି ଘଣ୍ଟା ପରେ ଶିବମ ଦୁବେଙ୍କ ଭିନ୍ନ ଯାତ୍ରା ଆରମ୍ଭ ହେଲା।
ଫାଇନାଲ୍ ପରେ ପ୍ରାୟ ସବୁ ଖେଳାଳି ଫ୍ଲାଇଟ୍ ରେ ନିଜ ନିଜ ଘରକୁ ଫେରିଲେ। ହେଲେ ଦୁବେଙ୍କୁ ମୁମ୍ଵାଇ ପାଇଁ ଫ୍ଲାଇଟ୍ ମିଳିଲା ନାହିଁ। ତେଣୁ ସେ ଟ୍ରେନ୍ ରେ ଯାତ୍ରା କରିବାକୁ ନିଷ୍ପତ୍ତି ନେଲେ। ଦୁବେ ତାଙ୍କ ପତ୍ନୀ ଅଞ୍ଜୁମ ଏବଂ ଜଣେ ବନ୍ଧୁଙ୍କ ସହ ସକାଳ ସାଢେ ୫ଟା ୧୦ରେ ଷ୍ଟେସନରେ ପହଞ୍ଚିଲେ। ହେଲେ ସେତେବେଳକୁ ପ୍ଲାଟଫର୍ମରେ ପ୍ରବଳ ଭିଡ଼ ଥିଲା। ବହୁ କ୍ରିକେଟ ଫ୍ୟାନ୍ସ ଇଣ୍ଡିଆନ ଜର୍ସି ପିନ୍ଧି ଷ୍ଟେସନରେ ବୁଲୁଥିଲେ। ତେଣୁ ଦୁବେ କାରରେ ଅପେକ୍ଷା କରିଥିଲେ। ଟ୍ରେନ୍ ଛାଡ଼ିବାର ୫ ମିନିଟ୍ ପୂର୍ବରୁ ଆସି ଟ୍ରେନ୍ ରେ ଚଢିଥିଲେ ଏବଂ ନିଜ ସିଟ୍ ରେ ବସିଥିଲେ।
ଅହମଦାବାଦ-ମୁମ୍ଵାଇ ସାୟାଜି ଏକ୍ସପ୍ରେସ୍ ର ଥାର୍ଡ ଏସିରେ ବସି ଶିବମ ଘରକୁ ଫେରିଥିଲେ। ହେଲେ ତାଙ୍କ ମନରେ ଭୟ ଥିଲା। ବିଶ୍ଵକପ୍ ବିଜୟ ପରେ ଯଦି ଟ୍ରେନ୍ କିମ୍ଵା ଷ୍ଟେସନରେ ଲୋକମାନେ ତାଙ୍କୁ ଚିହ୍ନି ନିଅନ୍ତି ତାହେଲେ ଅଯଥାରେ ଭିଡ଼ ସୃଷ୍ଟି ହେବାର ସମ୍ଭାବନା ଥିଲା। ଏଥିପାଇଁ ସେ ନିଜ ପରିଚୟ ଲୁଚାଇବାକୁ କ୍ୟାପ୍, ମାସ୍କ ଏବଂ ଫୁଲ୍ ସ୍ଲିଭ୍ ଟି-ସାର୍ଟ ପିନ୍ଧି ଟ୍ରେନ୍ ରେ ବସିଥିଲେ। ହେଲେ ଟିକେଟ ଚେକିଂ ବେଳେ ଟିଟି ତାଙ୍କୁ ପଚାରିଲେ ତୁମେ ଶିବମ ଦୁବେ ? କ୍ରିକେଟର ? ସେତିକି ବେଳେ ତାଙ୍କ ପତ୍ନୀ ଅଞ୍ଜୁମ କହିଥିଲେ ଯେ- ନା... ନା ସେ ଏଠାକୁ କେମିତି ଆସିବେ। ଏହାପରେ ଟିଟି ସେଠାରୁ ଚାଲି ଯାଇଥିଲେ। ହେଲେ ଦୁବେ ଲୋକଙ୍କ ଭୟରେ ୮ ଘଣ୍ଟାର ଯାତ୍ରାରେ ଅଧିକାଂଶ ସମୟ ଶୋଇ ଶୋଇ ଯାତ୍ରା କରିଥିଲେ।
ବୋରିବଲି ଷ୍ଟେସନରୁ ଓହ୍ଲାଇବା ବେଳେ ଶିବମଙ୍କୁ ଭିଡ଼ ଭୟ ଥିଲା। ଏଥିପାଇଁ ସେ ପୁଲିସକୁ ସହାୟତା ମାଗିଥିଲେ। ବଡ଼ କଥା ହେଲା ପୁଲିସ ଭାବିଥିଲା ଯେ ସେ ଏୟାରପୋର୍ଟରୁ ଆସୁଛନ୍ତି। ହେଲେ ଯେତେବେଳେ ଦୁବେ କହିଲେ ଯେ ସେ ଟ୍ରେନ୍ ରେ ଆସୁଛନ୍ତି, ପୁଲିସ ବି ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଶେଷରେ ଶିବମ ଦ୍ଵିପ୍ରହରରେ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲେ। ବିଶ୍ଵକପ୍ ବିଜୟ ପରେ ଟ୍ରେନ୍ ଯାତ୍ରାର ଏହି ଅନୁଭବ ତାଙ୍କ ପାଇଁ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ।
ଏହି ଖବରଟିକୁ ପଢନ୍ତୁ- ପଡ଼ିଆରେ ରୋମାନ୍ସ କରି ଅଡ଼ୁଆରେ ଟିମ୍ ଇଣ୍ଡିଆ ଅଲରାଉଣ୍ଡର : ହାର୍ଦ୍ଦିକଙ୍କ ନାଁରେ FIR, ତ୍ରିରଙ୍ଗାକୁ ଅପମାନ ଅଭିଯୋଗ