ନୂଆଦିଲ୍ଲୀ,୧୨/୧୦: ଶୁକ୍ରବାର ତାମିଲନାଡୁର ତ୍ରିଚି ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ କରାଯାଇଥିଲା। ଫ୍ଲାଇଟ୍ AXB 613 ତାମିଲନାଡୁର ତିରୁଚିରାପଲ୍ଲୀରୁ ଅପରାହ୍ନ ୫.୪୦ ରେ ଉଡ଼ାଣ ଭରିଥିଲା ଏବଂ ରାତି ପ୍ରାୟ ୮.୧୫ ରେ ସେହି ସମାନ ବିମାନବନ୍ଦରରେ ଅବତରଣ କଲା। ତିରୁଚିରାପଲ୍ଲୀ-ଶାରଜାହ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ହାଇଡ୍ରୋଲିକ୍ ତ୍ରୁଟି ହେତୁ ଏପରି ଘଟିଥିବା କୁହାଯାଉଛି।

ପ୍ରାୟ ତିନି ଘଣ୍ଟା ଧରି ଆକାଶମାର୍ଗରେ ବୁଲିବା ପରେ ପାଇଲଟ ବିମାନର ସୁରକ୍ଷିତ ଅବତରଣ କରିଥିଲେ। ଏହାରି ଭିତରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା, କିନ୍ତୁ ବିମାନର ବରିଷ୍ଠ ସୂତ୍ର ଗଣମାଧ୍ୟମକୁ କହିଛନ୍ତି ଯେ କକ୍‌ପିଟ୍‌ ଭିତରେ ସବୁକିଛି ନିୟନ୍ତ୍ରଣରେ ରହିଥାଏ। ତଥାପି, ବିମାନଟି ନିରାପଦରେ ଅବତରଣ ନକରିବା ପର୍ଯ୍ୟନ୍ତ, ତ୍ରିଚି ବିମାନବନ୍ଦରକୁ ହାଇ ଆଲର୍ଟରେ ରଖାଯାଇଥିଲା। ଅବତରଣ କରିବା ପରେ ୧୪୦ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା।

ଏନଡିଟିଭି ରିପୋର୍ଟ ଅନୁଯାୟୀ, ହାଇଡ୍ରୋଲିକ୍ ବିଫଳତା ବିଷୟରେ ପାଇଲଟ୍ ବିମାନବନ୍ଦରକୁ ସୂଚନା ଦେଇଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ତିରୁଚିରାପଲ୍ଲୀରୁ ଶାରଜାହ ଅଭିମୁଖେ ଯିବାକୁ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ IX 613 ସୁରକ୍ଷିତ ଭାବରେ ତିରୁଚିରାପଲ୍ଲୀ ବିମାନବନ୍ଦରରେ ଅବତରଣ କରିଛି। ଏହା ପରେ ଡିଜିସିଏ ନିରନ୍ତର ପରିସ୍ଥିତି ଉପରେ ନଜର ରଖିଛି। ବିମାନର ଲାଣ୍ଡିଂ ଗିଅରରେ ତ୍ରୁଟି ରହିଥିବା ମଧ୍ୟ କୁହାଯାଉଥିଲା। ବିମାନବନ୍ଦର ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ, 'ବିମାନଟି ଆକାଶମାର୍ଗରେ ଥିବାବେଳେ ଇନ୍ଧନ ପକାଇବା ପାଇଁ ଚିନ୍ତା କରାଯାଇଥିଲା, କିନ୍ତୁ ଏହା କରିବା ଠିକ୍ ମନେ ହେଉ ନଥିଲା କାରଣ ବିମାନଟି ହାଇ ଏୟାର ଟ୍ରାଫିକ ଅଞ୍ଚଳରେ ବୁଲୁଥିଲା। 

ଶୁକ୍ରବାର ରାତିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ବୈଷୟିକ ତ୍ରୁଟି ହେତୁ ଜରୁରୀକାଳୀନ ଅବତରଣ କରାଯାଇଥିଲା। ସେତେବେଳେ ଏହି ବିମାନରେ ସମୁଦାୟ ୧୪୦ ଜଣ ଯାତ୍ରୀ ଥିଲେ। ଯେତେବେଳେ ବିମାନର ଜରୁରୀ ଅବତରଣ କରିବାର ପରିସ୍ଥିତି ଦେଖାଗଲା, ସେତେବେଳେ ବିମାନଟି ଉପରେ ଉଡ଼ୂଥିବା ବେଳେ ଇନ୍ଧନକୁ ବାହାରକୁ ଛଡ଼ାଯାଇଥିଲା, ଯେପରିକି ଜରୁରୀକାଳୀନ ଅବତରଣ ସହଜ ହୋଇଯିବ ଏବଂ କୌଣସି ପ୍ରକାରର କ୍ଷତି ନହେବ।