କଟକ, ୧୪/୧୧: ଡ୍ୟୁଟି ରୁମ୍‌କୁ ଏକୁଟିଆ ଡକାଉଥିଲେ । ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିବା ସହ ଯୌନ ନିର୍ଯାତନା ଦେଉଥିଲେ । ରାତିରେ ନିରୋଳାରେ  ଆସିବାକୁ ବାଧ୍ୟ କରୁଥିଲେ । ବାହାରେ ଅଭିଯୋଗ କଲେ ସିଡିଏମ୍‌ଓଙ୍କୁ କହି ଚାକିରି ଖାଇଦେବେ ବୋଲି  ଧମକ ଦେଉଥିଲେ ଡାକ୍ତର ।  କଟକ ଜିଲ୍ଲା ଟାଙ୍ଗୀ  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି)ର ଜଣେ ଡାକ୍ତରଙ୍କ  ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ନର୍ସିଂ ଅଫିସରମାନେ । ଜଣେ କି ଦୁଇ ଦୁଇ ଜଣ ନୁହଁ, ୮ ଜଣ  ନର୍ସିଂ ଅଫିସର୍‌ଙ୍କୁ ସଂପୃକ୍ତ ଡାକ୍ତର ବିଭିନ୍ନ ସମୟରେ  ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । 

ଆଶ୍ଚର୍ଯ୍ୟ କଥା ହେଉଛି ପୀଡ଼ିତାମାନେ ସରକାରୀ  ନିୟମ ଅନୁସାରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ  ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଦୀର୍ଘ ଏକ ମାସ  ବିତିଯାଇଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପକ୍ଷରୁ  କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ନିର୍ଯାତନା  ଅସହ୍ୟ ହେବାରୁ ନର୍ସିଂ ଅଫିସରମାନେ ଜିଲ୍ଲାପାଳଙ୍କ  ଦ୍ୱାରସ୍ଥ ହୋଇଛନ୍ତି । ଏହି ଘଟଣାରେ ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ପକ୍ଷରୁ ରିପୋର୍ଟ ତଲବ ହେବାରୁ  ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ଏବେ ହଟଚମଟ ସୃଷ୍ଟି  ହୋଇଛି । କାରଣ ସିଡିଏମ୍‌ଓ କର୍ଯ୍ୟାଳୟ ପକ୍ଷରୁ  ପୂର୍ବରୁ ଏହି ଘଟଣାର ତଦନ୍ତ ପାଇଁ ଏକ ଗମିଟି ଗଠନ  ହୋଇଥିଲା । ହେଲେ କମିଟିର ତଦନ୍ତ ରିପୋର୍ଟ ଏବେ  ଫାଇଲରେ ନଥିବା ଜଣାପଡ଼ିଛି । ଫାଇଲ୍‌ରୁ ରିପୋର୍ଟ  ଗାଏବ୍‌ କିପରି ହେଲା ତାହା ଜାଣିବା ପାଇଁ ନୂତନ  ସିଡିଏମ୍‌ଓ ଏବେ ଖୋଳତାଡ଼ ଚଳାଇଥିବା କୁହାଯାଉଛି ।

 ଏବେ ପୀଡ଼ିତାମାନେ ଅଭିଯୋଗ କରିଛନ୍ତି କି, ତଦନ୍ତ  କମିଟିରେ ଭିନ୍ନ ଭିନ୍ନ ବର୍ଗରୁ ସଦସ୍ୟ ରଖିବା ବଦଳରେ  କେବଳ ଡାକ୍ତରମାନଙ୍କୁ ରଖାଯାଇଥିଲା । ଅନ୍ୟପକ୍ଷରେ  କମିଟି ଯାହା ବି ତଦନ୍ତ କରି ରିପୋର୍ଟ ଦେଇଥିଲେ ତାହା  ଫାଇଲ୍‌ରୁ ଗାଏବ ହୋଇଯାଇଛି । ଏଣୁ ତଦନ୍ତକୁ ନେଇ  ସନ୍ଦେହ ପ୍ରକାଶ ପାଇଛି । ତତ୍କାଳୀନ ସିଡିଏମ୍‌ଓଙ୍କ ବଦଳି  ପରେ ଫାଇଲ୍‌ରୁ ତଦନ୍ତ ରିପୋର୍ଟ ଗାଏବ୍‌ ହେବା ଘଟଣା  ରହସ୍ୟ ବଢ଼ାଇଛି । ଘଟଣାରେ ପ୍ରଶାସନିକ ସ୍ତରରେ ଏକ  ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ କରିବା ପାଇଁ  ନର୍ସିଂ କର୍ମଚାରୀମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।  

ଘଟଣା ସମ୍ପର୍କରେ ସିଡିଏମ୍‌ଓ ଡା. ପ୍ରଶାନ୍ତ କୁମାର  ହୋତା କହିଛନ୍ତି, ମୁଁ ଦାୟିତ୍ୱ ନେବା ପୂର୍ବରୁ ପୂର୍ବତନ  ସିଡିଏମ୍‌ଓ ଏହାର ତଦନ୍ତ କରି ରିପୋର୍ଟ ଜନସ୍ୱାସ୍ଥ୍ୟ  ନିର୍ଦ୍ଦେଶକଙ୍କ ପାଖକୁ ପଠାଇଛନ୍ତି । ଘଟଣା ସମ୍ପର୍କରେ  ମୁଁ ଅଧିକ ଜାଣିନି । ବୁଝି କାର୍ଯ୍ୟାନୁଷ୍ଠାନ ନେବି ।