ମୁମ୍ୱାଇ, ୯।୪: ଗ୍ଲାମର ଦୁନିଆର ଚମକ ପଛରେ ଅନେକ ସମୟରେ ଲୁଚି ରହିଥାଏ ଅକୁହା ଯନ୍ତ୍ରଣା । ଏମିତି ଏକ କାହାଣୀ ହେଉଛି ଜଣାଶୁଣା ଅଭିନେତ୍ରୀ ତନାଜ୍ ଇରାନୀଙ୍କର । ମାତ୍ର ୧୮ ବର୍ଷରେ ବିବାହ, ସମାଜର ବିରୋଧ, ଛାଡ଼ପତ୍ରର କଷ୍ଟ ଏବଂ ପରେ ନିଜଠାରୁ ୮ ବର୍ଷ ସାନ ଯୁବକଙ୍କୁ ଦ୍ୱିତୀୟ ବିବାହ କଲେ । ତନାଜ୍‌ଙ୍କ ଜୀବନ କୌଣସି ସିନେମା କାହାଣୀଠାରୁ କମ୍ ନୁହେଁ ।

ପାର୍ସୀ ସମୁଦାୟରୁ ବାସନ୍ଦ ଓ ଅଗ୍ନି ମନ୍ଦିର ପ୍ରବେଶରେ ବ୍ୟାନ୍:

ତନାଜ୍ ମାତ୍ର ୧୮ ବର୍ଷ ବୟସରେ ଫରିଦ୍ କରିମ୍‌ଙ୍କୁ ପ୍ରେମ ବିବାହ କରିଥିଲେ । ୨୦ ବର୍ଷ ବୟସରେ ସେ ଏକ କନ୍ୟା ସନ୍ତାନର ମାଆ ହୋଇଥିଲେ । କିନ୍ତୁ, ଏହି ବିବାହ ତାଙ୍କ ପାଇଁ ଅନେକ ସମସ୍ୟା ଆଣିଥିଲା । ଭିନ୍ନ ଧର୍ମରେ ବିବାହ କରିଥିବାରୁ ତାଙ୍କ ପାର୍ସୀ ସମୁଦାୟ ତାଙ୍କୁ ବାସନ୍ଦ କରିଦେଇଥିଲା । ତାଙ୍କର ସମସ୍ତ ସାମୁଦାୟିକ ଅଧିକାର ଛଡ଼ାଇ ନିଆଯାଇଥିଲା । ପାର୍ସୀମାନଙ୍କ ପବିତ୍ର 'ଅଗ୍ନି ମନ୍ଦିର'କୁ ତାଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଥିଲା । ଦୁର୍ଭାଗ୍ୟବଶତଃ, ଫରିଦ୍‌ଙ୍କ ସହ ତାଙ୍କର ଏହି ବିବାହ ବେଶି ଦିନ ତିଷ୍ଠି ନଥିଲା ଏବଂ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା ।

ଏହା ବି ପଢ଼ନ୍ତୁ... ‘ହେ ବେବି’ ର ସେଇ କୁନି ‘ଏଞ୍ଜେଲ’ ଏବେ ୨୨ ବର୍ଷର ସୁନ୍ଦରୀ, ୧୮ ବର୍ଷ ପରେ ଡିମ୍ପଲ୍ ଗର୍ଲଙ୍କୁ ଦେଖି ଫ୍ୟାନ୍ସ ବିଭୋର !

'କହୋ ନା ପ୍ୟାର ହୈ'ରୁ କ୍ୟାରିୟର ଆରମ୍ଭ:

ଛାଡ଼ପତ୍ର ପରେ ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ସେ ଅଭିନୟ ଦୁନିଆରେ ପାଦ ଦେଲେ । ୨୦୦୦ ମସିହାରେ ରିତିକ୍ ରୋଶନଙ୍କ ସୁପରହିଟ୍ ଫିଲ୍ମ 'କହୋ ନା ପ୍ୟାର ହୈ' ଜରିଆରେ ସେ ବଲିଉଡରେ ପ୍ରବେଶ କଲେ । ଏହାପରେ ସେ ଅନେକ ଲୋକପ୍ରିୟ ଧାରାବାହିକ ଯଥା- ଜବାନ୍ ସମ୍ଭାଲ୍ କେ, କାହାନୀ ଘର ଘର କୀ ଏବଂ ସ୍ୱାଭିମାନରେ ଅଭିନୟ କରି ଘରେ ଘରେ ପରିଚିତ ହେଲେ ।

୮ ବର୍ଷ ସାନ ବଖ୍‌ତିଆରଙ୍କ ସହ ବିବାହ:

ନିଜର ପ୍ରଥମ ବିବାହ ଭାଙ୍ଗିବା ପରେ ତନାଜ୍‌ଙ୍କ ଜୀବନରେ ଆସିଥିଲେ ଅଭିନେତା ବଖ୍‌ତିଆର ଇରାନୀ । 'ଗୁରୁକୁଳ' ଶୋ’ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ତନାଜ୍ ବୟସରେ ୮ ବର୍ଷ ବଡ଼ ହୋଇଥିବାରୁ ବଖ୍ତିଆରଙ୍କ ପରିବାର ପ୍ରଥମେ ରାଜି ନଥିଲେ, କିନ୍ତୁ ପରେ ସେମାନେ ୨୦୦୭ରେ ବିବାହ କରିଥିଲେ । ଆଜି ତନାଜ୍ ତାଙ୍କ ଦ୍ୱିତୀୟ ସ୍ୱାମୀ ଓ ପିଲାମାନଙ୍କ ସହ ଏକ ଖୁସିର ଜୀବନ ବିତାଉଛନ୍ତି । ସେ ଅଭିନୟରୁ ଟିକେ ଦୂରେଇ ରହିଥିଲେ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ । ତାଙ୍କର ଏହି ସଂଘର୍ଷମୟ ଯାତ୍ରା ଅନେକ ମହିଳାଙ୍କ ପାଇଁ ଏକ ବଡ଼ ପ୍ରେରଣା । ସମାଜର ବିରୋଧ ଏବଂ ବାସନ୍ଦ ହେବା ପରେ ମଧ୍ୟ ତନାଜ୍ ହାର୍ ମାନିନଥିଲେ, ଯାହା ତାଙ୍କୁ ଆଜି ଏକ ସଫଳ ପରିଚୟ ଦେଇଛି ।