ମୁମ୍ବାଇ, ୯।୪: ମନେ ଅଛି ୨୦୦୭ ମସିହାର ସେହି ସୁପରହିଟ୍ କମେଡି ଫିଲ୍ମ ‘ହେ ବେବି’ । ଅକ୍ଷୟ କୁମାର, ରିତେଶ ଦେଶମୁଖ ଏବଂ ଫରଦିନ ଖାନଙ୍କ ଅଭିନୀତ ଏହି ଫିଲ୍ମ ଦର୍ଶକଙ୍କୁ ଯେତିକି ହସାଇଥିଲା, ସେତିକି ଭାବପ୍ରବଣ ମଧ୍ୟ କରିଥିଲା । କିନ୍ତୁ, ଏହି ତିନି ବଡ଼ ଷ୍ଟାରଙ୍କ ଭିତରେ ଜଣେ କୁନି ଝିଅ ନିଜ ମାସୁମିୟତରେ ସମସ୍ତଙ୍କ ହୃଦୟ ଜିତି ନେଇଥିଲା । ଫିଲ୍ମର ‘ଏଞ୍ଜେଲ’ ଚରିତ୍ରରେ ଥିବା ସେଇ କୁନି ଝିଅ ଏବେ ବଡ଼ ହୋଇଗଲେଣି । ଫିଲ୍ମ ସୁଟିଂ ସମୟରେ ‘ଏଞ୍ଜେଲ’ ଭୂମିକାରେ ଅଭିନୟ କରିଥିବା ଜୁଆନା ସାଙ୍ଘଭୀ ମାତ୍ର ୧୭ ମାସର ଥିଲେ । ତାଙ୍କର ସେହି ମୃଦୁ ହସ ଏବଂ କ୍ୟୁଟ୍ ଏକ୍ସପ୍ରେସନ୍ ଆଗରେ ବଡ଼ ବଡ଼ ଷ୍ଟାରମାନେ ମଧ୍ୟ ଫିକା ପଡ଼ିଯାଇଥିଲେ । ଦୀର୍ଘ ୧୮ ବର୍ଷ ପରେ ଏବେ ଜୁଆନାଙ୍କର କିଛି ଲାଟେଷ୍ଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ୨୨ ବର୍ଷ ବୟସରେ ସେ ଏବେ ଜଣେ ଗ୍ଲାମରସ୍ କ୍ୟୁଟ୍ ଡିମ୍ପଲ୍ ଗର୍ଲ ଭାବେ ନଜର ଆସୁଛନ୍ତି ।

ଏହା ବି ପଢ଼ନ୍ତୁ... ​​​​​​​ଫିଲ୍ମ ‘ବାରାଣସୀ’ର କାହାଣୀ ଲିକ୍, ଶିବ ଭକ୍ତ ଭୂମିକାରେ ନଜର ଆସିବେ ମହେଶ ବାବୁ

ଯେତେବେଳେ ଫରଦିନ ଖାନ ଛାଡ଼ିଥିଲେ ସିଗାରେଟ୍:

ଏହି ଫିଲ୍ମ ସହ ଜଡ଼ିତ ଏକ ଆଶ୍ଚର୍ଯ୍ୟକର ତଥ୍ୟ କିଛି ବର୍ଷ ପୂର୍ବେ ଫରଦିନ ଖାନ ସେୟାର କରିଥିଲେ । ସେ କହିଥିଲେ ଯେ, ଜୁଆନାଙ୍କ ସହ ସୁଟିଂ କଲାବେଳେ ସେ ଧୂମପାନ କରିବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ । କୁନି ଶିଶୁ ଉପରେ ଯେପରି ସିଗାରେଟ୍ ଧୂଆଁର କୌଣସି ଖରାପ ପ୍ରଭାବ ନପଡ଼େ, ସେଥିପାଇଁ ଫରଦିନ ଏହି ବଡ଼ ନିଷ୍ପତ୍ତି ନେଇଥିଲେ । ଏହି କଥା ଜାଣିବା ପରେ ପ୍ରଶଂସକମାନେ ତାଙ୍କୁ ଖୁବ୍ ପ୍ରଶଂସା କରିଥିଲେ ।

ନିକଟରେ ଜୁଆନାଙ୍କ ଜନ୍ମଦିନ ପାର୍ଟିର ଫଟୋ ସାମ୍ନାକୁ ଆସିବା ପରେ ଫ୍ୟାନ୍ସମାନେ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି । ବଡ଼ ହେବା ପରେ ମଧ୍ୟ ଜୁଆନାଙ୍କ ମୁହଁର ସେହି ସୁନ୍ଦର ହସ ବଜାୟ ରହିଛି । ଅନେକ ପ୍ରଶଂସକ ସୋସିଆଲ ମିଡିଆରେ ଲେଖୁଛନ୍ତି ଯେ, ସେମାନେ ନିଜ ପ୍ରିୟ ‘ଏଞ୍ଜେଲ’ କୁ ପୁଣିଥରେ ବଡ଼ ପରଦାରେ ଦେଖିବାକୁ ଚାହାଁନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, "ହେ ବେବିର ସେହି ଛୋଟ ଏଞ୍ଜେଲ ଆଜି ଏତେ ବଡ଼ ହୋଇଗଲାଣି, ବିଶ୍ୱାସ ହେଉନି ! ସେ ଆଜି ବି ସେତିକି ସୁନ୍ଦର ଦେଖାଯାଉଛନ୍ତି।" ସମୟ ବଦଳିଯାଇଛି, କିନ୍ତୁ ଦର୍ଶକଙ୍କ ମନରେ ‘ହେ ବେବି’ ର ସେହି ନିରୀହ ଶିଶୁର ଛବି ଆଜି ମଧ୍ୟ ସତେଜ ହୋଇ ରହିଛି । ଜୁଆନା ସାଙ୍ଘଭୀ ଆଗକୁ ବଲିଉଡରେ ପାଦ ଦେବେ କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।