ନୂଆଦିଲ୍ଲୀ ୦୬/୦୩: ଭାରତୀୟ ବାୟୁସେନାର ଇତିହାସରେ ଏକ ନୂଆ ଅଧ୍ୟାୟ ସଂଯୋଗ ହୋଇଛି । ଫ୍ଲାଇଂ ଅଫିସର ତନୁଷ୍କା ସିଂହ ଜାଗୁଆର ଫାଇଟର ଜେଟ୍‌ ସ୍କ୍ୱାଡ୍ରନ୍‌ରେ  ସ୍ଥାୟୀ ଭାବେ ନିଯୁକ୍ତି ପାଇବାରେ ପ୍ରଥମ ମହିଳା ପାଇଲଟ ହେବାର  ଗୌରବ ଅର୍ଜନ କରିଛନ୍ତି । ଏହା  କେବଳ ତାଙ୍କର ବ୍ୟକ୍ତିଗତ ଉପଲବ୍ଧି  ନୁହେଁ, ଭାରତୀୟ ବାୟୁସେନାରେ  ମହିଳାଙ୍କର ବଧିଷ୍ଣୁ ଭାଗିଦାରୀର ଏକ  ବଡ଼ ସଙ୍କେତ ମଧ୍ୟ ।

ତନୁଷ୍କାଙ୍କ ପରିବାର ଦେଶସେବା  ସହ ଜଡି଼ତ । ତାଙ୍କ ବାପା ଓ  ଜେଜେ ଭାରତୀୟ ସେନାରେ  କାର୍ଯ୍ୟ କରିସାରିଛନ୍ତି । ସେଥିଯୋଗୁ ପିଲାଦିନରୁ ହିଁ ତନୁଷ୍କାଙ୍କ ମନରେ  ଦେଶ ସେବା ଲାଗି ଆଗ୍ରହ ଥିଲା ।  ସେ ମୂଳତଃ ଉତ୍ତରପ୍ରଦେଶର  ବାସିନ୍ଦା ହୋଇଥିବାବେଳେ ୨୦୦୭ରୁ  ମାଙ୍ଗାଲରୁରେ ରହିଆସୁଛନ୍ତି । ତନୁଷ୍କା  ଡିପିଏସ୍‌ ଏମଆରପିଏଲ୍‌ ସ୍କୁଲରୁ  ସ୍କୁଲ ଶିକ୍ଷା ଶେଷ କରିବା ପରେ  ଶାରଦା ପିୟୁ କଲେଜରେ ପଢ଼ିଥିଲେ ।  

୨୦୨୨ରେ ମଣିପାଲ ଇନ୍‌ଷ୍ଟିଚ୍ୟୁଟ୍‌  ଅଫ୍‌ ଟେକ୍ନୋଲୋଜିରୁ ଇଲେକ୍ଟ୍ରିକାଲ୍‌  ଓ ଇଲୋକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ  ବିଟେକ୍‌ ଡିଗ୍ରୀ ହାସଲ କରିଥିଲେ ସେ ।  ପ୍ରାଥମିକ ଭାବେ ଭାରତୀୟ ସେନାରେ  ଯୋଗ ଦେବାକୁ ତନୁଷ୍କାଙ୍କର  ଇଚ୍ଛା ଥିଲା । କିନ୍ତୁ ବାୟୁସେନାରେ  ମହିଳାମାନଙ୍କୁ ମିଳୁଥିବା ସୁଯୋଗ  ସଂପର୍କରେ ଜାଣିବା ପରେ ସେ  ନିଜର ଲକ୍ଷ୍ୟ ବଦଳାଇ ଦେଇଥିଲେ ।  ତାମିଲନାଡୁର ଡୁଣ୍ଡିଗଲସ୍ଥିତ  ଏଫାରଫୋର୍ସ ଏକାଡେମୀରୁ କଡ଼ା  ତାଲିମ ନେଇଥିଲେ । ଏହାପରେ  ସେ ହକ୍‌ ଏମ୍‌କେ ୧୩୨ ବିମାନ  ଚଳାଇବାକୁ ସ୍ୱତନ୍ତ୍ର ତାଲିମ ଗ୍ରହଣ  କରିଥିଲେ ।

ଯଦିଓ କିଛି ମହିଳା  ପାଇଲଟ ପ୍ରଶିକ୍ଷଣ ସମୟରେ  ଜାଗୁଆର ଫାଇଟର ଜେଟ୍‌ ଉଡ଼ାଇଛନ୍ତି,  ତେବେ ଫ୍ଲାଇଂ ଅଫିସର ତନୁଷ୍କାଙ୍କୁ  ସ୍ଥାୟୀ ଭାବେ ଏହି ସ୍କ୍ୱାଡ୍ରନ୍‌ରେ  ସାମିଲ କରାଯାଇଛି । ଖୁବ୍‌ ଶୀଘ୍ର  ନିଜର ସକ୍ରିୟ ଡ୍ୟୁଟିରେ ଯୋଗ  ଦେବେ ସେ । ତନୁଷ୍କାଙ୍କର ଏହି  ଉପଲବ୍ଧି ଆକାଶକୁ ଛୁଇଁବାକୁ  ସ୍ୱପ୍ନ ଦେଖୁଥିବା ଅନେକ  ଯୁବକଯୁବତୀଙ୍କ ଲାଗି ଏକ  ପ୍ରେରଣା ବୋଲି ତାଙ୍କ  ଜେଜେବାପା କ୍ୟାପଟେନ୍‌  ଡି.ବି. ସିଂହ ପ୍ରକାଶ  କରିଛନ୍ତି ।