ନୂଆଦିଲ୍ଲୀ, ୨୪।୬: ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଲକ୍ଷ୍ୟ ହାସଲ କରିବା ପାଇଁ ଦେଶକୁ ଲଗାତର ୭ରୁ ୮% ଅଭିବୃଦ୍ଧି ନେଇ ବଢ଼ିବାକୁ ପଡ଼ିବ । ଏହି ଲକ୍ଷ୍ୟ ଅନେକ ମାତ୍ରାରେ ଘରୋଇ କ୍ଷେତ୍ରରେ ନିବେଶ ବୃଦ୍ଧି ଏବଂ ମଜଭୁତ ରପ୍ତାନି ଅଭିବୃଦ୍ଧି ଉପରେ ନିର୍ଭର କରିବ । ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ(ଇଏସି-ପିଏମ୍) ଅଧ୍ୟକ୍ଷ ମହେନ୍ଦ୍ର ଦେବ ଏହା କହିଛନ୍ତି । ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ଏବଂ ଅଭିବୃଦ୍ଧି ଉପରେ ଏହାର ପ୍ରଭାବ ପଡ଼ିଥିବା ସମୟରେ ସେ ଏହି ମତ ରଖିଛନ୍ତି । ବିଶିଷ୍ଟ ଅର୍ଥନୀତିଜ୍ଞ ମହେନ୍ଦ୍ର ଦେବ ଫିକି ଇଣ୍ଡିଆ ଇନୋଭେଟିଭ୍ କ୍ରପ୍ ନ୍ୟୁଟ୍ରିସନ କନ୍କ୍ଲେଭ୍ ୨୦୨୬ ଅବସରରେ କହିଛନ୍ତି ଯେ, ଗତ କିଛି ବର୍ଷରେ କରାଯାଇଥିବା ଢାଞ୍ଚାଗତ ସଂସ୍କାରଗୁଡ଼ିକ ବିକଶିତ ଭାରତ ଦିଗରେ ଆଧାର ପ୍ରସ୍ତୁତ କରିଛି । ସେ କହିଛନ୍ତି ଯେ, ବିକଶିତ ଭାରତ ପାଇଁ ଆମକୁ ୭ରୁ ୮% ବିକାଶ ହାର ଲୋଡ଼ା । ଏଥିପାଇଁ ନିବେଶର ବି ଆବଶ୍ୟକତା ରହିଛି । ଘରୋଇ ଶିଳ୍ପରେ ନିବେଶ ବୃଦ୍ଧି ଏବଂ ରପ୍ତାନି ଅଭିବୃଦ୍ଧି ଉଭୟ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ତାହା ବି ମହତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଇଏସି-ପିଏମ୍ ଅଧ୍ୟକ୍ଷ ମହେନ୍ଦ୍ର ଦେବ ।
ବିଶ୍ୱ ମାନକଗୁଡ଼ିକୁ ଅନୁପାଳନ କରିବା ପାଇଁ ଆମର ପ୍ରତିସ୍ଫର୍ଦ୍ଧା ଏବଂ ଉତ୍ପାଦ ମାନ ଉଭୟରେ ଉନ୍ନତି ଆଣିବାକୁ ପଡ଼ିବ ବୋଲି ସେ କହିଛନ୍ତି । ସେ ଆହୁରି କହିଲେ ଯେ, ନୀତିଗତ ଢାଞ୍ଚାର ଅର୍ଥ ନୁହେଁ ବିଶ୍ୱ ବ୍ୟାପାରଠୁ ପଛକୁ ହଟିବା । ଏହା ବଦଳରେ ଦେଶର ବର୍ତ୍ତମାନର ଭୌଗୋଳିକ ଏବଂ ପ୍ରଯୁକ୍ତିଗତ ବିଶେଷତ୍ୱର ଫାଇଦା ଉଠାଇବା ପାଇଁ ଘରୋଇ କ୍ଷମତା ନିର୍ମାଣ ଉପରେ ଧ୍ୟାନ ଦିଆଯାଉଛି । ଇଏସି-ପିଏମ୍ ଅଧ୍ୟକ୍ଷ ଆହୁରି କହିଲେ ଯେ, ଗତ କିଛି ବର୍ଷ ହେବ ଆମେ ଅନେକ ସୁଧାର ଆଣିଛୁ । ଆଗକୁ ମଧ୍ୟ ଏହା ଜାରି ରହିବ । ଏଥିପାଇଁ ଆତ୍ମନିର୍ଭର ଭାରତର ଅର୍ଥ ‘ଇମ୍ପୋର୍ଟ ସବ୍ଷ୍ଟିଚ୍ୟୁଶନ୍’ ବା ‘ଆମଦାନି ବଦଳରେ ଘରୋଇ ଉତ୍ପାଦ’ ନୁହେଁ । ବରଂ ଆମେ ମୂଳ ରୂପେ କହିଆସୁଛୁ ଯେ, ଘରୋଇ ପ୍ରତିଯୋଗିତା ମାଧ୍ୟମରେ ଉତ୍ପାଦର ମାନ ବଢ଼ାଯିବା ଦରକାର । ଏହା ହେଲେ ହିଁ ଆମେ ଅଧିକ ମାତ୍ରାରେ ସାମଗ୍ରୀ ରପ୍ତାନି କରିପାରିବୁ । ସେ ଆହୁରି କହିଲେ, ଆମ ପାଖରେ ଭୌଗୋଳିକ ଫାଇଦା ଏବଂ ପ୍ରଯୁକ୍ତିଗତ କ୍ଷମତା ରହିଛି । ଏସବୁ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ଦିଗରେ ସହାୟକ ହେବ । ଶ୍ରୀ ଦେବ କହିଛନ୍ତି ଯେ, ସରକାର ଆମଦାନି ଉପରେ ନିର୍ଭରତା କମ୍ କରିବା ପାଇଁ ନିର୍ଦ୍ଦିଷ୍ଟ କ୍ଷେତ୍ର ଚୟନ କରିଛନ୍ତି । ୧୦୦ଟି ଏଭଳି ସାମଗ୍ରୀ ତାଲିକା ପ୍ରସ୍ତୁତ କରିଛନ୍ତି, ଯେଉଁଥିପାଇଁ ବିଦେଶୀ ସାମଗ୍ରୀ ବଦଳରେ ଘରୋଇ ବିନିର୍ମାଣର ବ୍ୟବହାର କରାଯାଇପାରିବ ।
ଏହା ବି ପଢ଼ନ୍ତୁ... Share Market: ଶେୟାର ବଜାରରେ ହାହାକାର; ୯୦୦ ପଏଣ୍ଟ କ୍ରାଶ୍ କଲା ସେନସେକ୍ସ, ଗୋଟିଏ ଝଟକାରେ ବୁଡ଼ିଗଲା ନିବେଶକଙ୍କ ୬ ଲକ୍ଷ କୋଟି ଟଙ୍କା !
ଏହି ରଣନୀତି ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍’ ଏବଂ ‘ଇଜ୍ ଅଫ୍ ଲିଭିଂ’କୁ ଉନ୍ନତ କରିବା ପାଇଁ ଚାଲିଥିବା ଉଦ୍ୟମ ସହ ମିଶି ଅର୍ଥବ୍ୟବସ୍ଥାକୁ ବାହ୍ୟ ଝଟ୍କାରୁ ରକ୍ଷା କରିବାର ବୃହତ୍ ଯୋଜନାର ଅଂଶବିଶେଷ । ସେ ଆହୁରି କହିଲେ ଯେ, ଭୁରାଜନୈତିକ ଦୃଷ୍ଟିକୋଣରୁ ସରକାରଙ୍କ ପାଖରେ କରୋନା ସମୟରୁ ଆପାତକାଳୀନ ଯୋଜନା ରହିଛି । ଏଥିପାଇଁ ଆମେ ଏସବୁ ଝଟ୍କାକୁ ସାମ୍ନା କରିପାରିବୁ । ଆଗକୁ ବି ଏଭଳି ଝଟ୍କା ଆସିବ । ଏଥିପାଇଁ ଆତ୍ମନିର୍ଭର ଭାରତ ଗୁରୁତ୍ୱପୂର୍ଣ୍ଣ । କୃଷିକୁ ନେଇ ଇଏସି-ପିଏମ୍ ଅଧ୍ୟକ୍ଷ କହିଲେ ଯେ, ଆମକୁ ପାରମ୍ପରିକ କୃଷି ପଦ୍ଧତିରୁ ଆଗକୁ ଯାଇ କିଛି କରିବାକୁ ହେବ । ସରକାରଙ୍କ ଉଦ୍ଦେଶ୍ୟ ହେଉଛି ବୈକଳ୍ପିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା । ଅର୍ଗାନିକ ଏବଂ ପ୍ରାକୃତିକ କୃଷି ପଦ୍ଧତି ଉପରେ ଜୋର ଦିଆଯାଉଛି । ଏହା ଦ୍ୱାରା ସାର ସବ୍ସିଡି ଉପରେ ହେଉଥିବା ମୋଟ ଖର୍ଚ୍ଚ ଏବଂ ସରକାରୀ ରାଜକୋଷ ଉପରେ ପଡୁଥିବା ବୋଝ କମ୍ କରାଯାଇପାରିବ ।