ନୂଆଦିଲ୍ଲୀ, ୨୪।୬: ଟାଟା ଗ୍ରୁପ୍‌ କମ୍ପାନି ଟାଟା ଇଲେକ୍ଟ୍ରୋନିକ୍ସର ଡାଟା ଡାର୍କ ୱେବ୍‌ରେ ଲିକ୍‌ ହୋଇଯାଇଛି । ଏହି ସାଇବର ଆକ୍ରମଣରେ ହ୍ୟାକର ଡାର୍କ ୱେବ୍‌ରେ କମ୍ପାନିର ୨ ଲକ୍ଷରୁ ଅଧିକ ଗୋପନ ଫାଇଲ୍‌ ଲିକ୍‌ କରିଦେଇଛନ୍ତି । ଏଥିରେ ଟାଟାର ଦୁଇ ବୃହତ୍‌ କ୍ଲାଏଣ୍ଟ ଆପଲ୍‌ ଏବଂ ଟେସ୍‌ଲାର ଯନ୍ତ୍ରାଂଶ ଡିଜାଇନ, ବୈଶିଷ୍ଟ୍ୟ ସଂକ୍ରାନ୍ତ ଦସ୍ତାବିଜ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଦସ୍ତାବିଜ୍‌ ରହିଛି । ତେବେ ଟାଟା ଇଲେକ୍ଟ୍ରୋନିକ୍ସ ସ୍ପଷ୍ଟ କରିଛି ଯେ, ଏହି ଘଟଣା ଦ୍ୱାରା କମ୍ପାନିର ବ୍ୟବସାୟିକ କାରବାର ଉପରେ କୌଣସି ପ୍ରଭାବ ପଡ଼ିନାହିଁ ଏବଂ ସମସ୍ତ କାର୍ଯ୍ୟ ସ୍ୱାଭାବିକ ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆପଲ୍‌ର ଗ୍ଲୋବାଲ ସାଇବର ସୁରକ୍ଷା ଟିମ୍‌ ବି ଏହି ଡାଟା ଚୋରି ଘଟଣାର ଯାଞ୍ଚ ଏବଂ ଏହାର ବିସ୍ତୃତ ସମୀକ୍ଷା କରୁଛି, ଯଦ୍ଦ୍ୱାରା ଏହା ପଛର ମୁଖ୍ୟ କାରଣ ଜଣାପଡ଼ିବ ।

ସେହିଭଳି ଆପଲ୍‌ ମଧ୍ୟ ଏହା କହିଛି ଯେ, ଏହି ଲିକ୍‌ ଦ୍ୱାରା କମ୍ପାନିର କାରବାର ଉପରେ କୌଣସି ବିପଦ ନାହିଁ ।  ସାଇବର ସୁରକ୍ଷା ଗବେଷକଙ୍କ ଅନୁସାରେ, ‘ୱାର୍ଲଡ ଲିକ୍ସ’ ନାମକ ରାନ୍‌ସମ୍‌ୱେର ଗ୍ରୁପ୍‌ ଟାଟା ଇଲେକ୍ଟ୍ରୋନିକ୍ସର ସିଷ୍ଟମ୍‌ରୁ ଚୋରି କରିଥିବା ଡାଟାକୁ ଡାର୍କ ୱେବ୍‌ରେ ପୋଷ୍ଟ କରିଛି । ଏହି ଗ୍ରୁପ୍‌ ପୂର୍ବରୁ ନାଇକିର ସିଷ୍ଟମ୍‌ ଉପରେ ସାଇବର ଆକ୍ରମଣ କରିଥିଲା । ଡାର୍କ ନେଟ୍‌ରେ ପ୍ରକାଶ କରାଯାଇଥିବା ୱେବ୍‌ସାଇଟ୍‌ ଅନୁସାରେ, ଏହି ଲିକ୍‌ରେ ମୋଟ ୬୩୦ ଗିଗାବାଇଟ୍‌ ଡାଟା ସାମିଲ ଅଛି, ଯେଉଁଥିରେ ୨ ଲକ୍ଷରୁ ଅଧିକ ଫାଇଲ ଏବଂ ଫୋଲ୍‌ଡର ରହିଛି । ଲିକ୍‌ ହୋଇଥିବା ଡାଟାବେସ୍‌ରେ ଆପଲ୍‌ର କେତେକ ଫୋଲ୍‌ଡର ମିଳିଛି । ଟେସ୍‌ଲାର ଅନେକ ଗୋପନ ତଥ୍ୟ ଲିକ୍‌ ହୋଇଛି । ଭାରତୀୟ ସାଇବର ସୁରକ୍ଷା ଗବେଷକ ରାଜଶେଖର ରାଜହରିୟା ଏହି ଫାଇଲଗୁଡ଼ିକର ସମୀକ୍ଷା କରିବା ପରେ କହିଛନ୍ତି ଯେ, ଏହି ଡାଟା ଡାର୍କ ୱେବ୍‌ରେ କେବଳ ଡିଜାଇନ ନୁହେଁ ବରଂ ଅନେକ ବର୍ଷର ଇମେଲ, ଇଭେଣ୍ଟ୍‌ ଲଗ୍‌ସ ଏବଂ ବିଦେଶୀ ନାଗରିକଙ୍କ ସହିତ ଟାଟା କର୍ମଚାରୀଙ୍କ ପାସ୍‌ପୋର୍ଟ କପି ବି ରହିଛି ।

ଏହା ବି ପଢ଼ନ୍ତୁ... ଦକ୍ଷିଣ କୋରିଆ ସେୟାର ମାର୍କେଟ ଧରାଶାୟୀ :୧୦% ହ୍ରାସ ପାଇଲା କୋସ୍ପି,ବନ୍ଦ ହେଲା ଟ୍ରେଡିଂ

ଅନ୍ୟତମ ଗବେଷକ ରାକେଶ କୃଷ୍ଣନ କହିଛନ୍ତି ଯେ, ଏହି ଡାଟା ଡାର୍କ ୱେବ୍‌ରେ ଜୁନ୍‌ ୧୦ରୁ ଉପଲବ୍ଧ ଅଛି ।  ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ସାଇବର ଆକ୍ରମଣ ପରେ ଟାଟା ଇଲେକ୍ଟିକାଲ୍ସକୁ ରାନ୍‌ସମ୍‌ ପାଇଁ ବି କଲ୍‌ ଏବଂ ମେସେଜ୍‌ ଆସିଛି । ଡାଟା ଲିକ୍‌ରେ ତାମିଲନାଡୁର ହୋସୁର୍‌ସ୍ଥିତ ଟାଟାର ମୁଖ୍ୟ ଆଇଫୋନ୍‌ ଆସେମ୍ବ୍ଲି ପ୍ଲାଣ୍ଟ ସହ ଜଡ଼ିତ ସର୍ଚ୍ଚ ଟର୍ମର ୩୩ ଫାଇଲ୍‌ ଏବଂ ଫୋଲ୍‌ଡର ମିଳିଛି । ଟାଟା ଗତ ସପ୍ତାହରେ ହିଁ ନିଜର ଆଇଫୋନ୍‌ ଆସେମ୍ବ୍ଲିଂ ଅପରେଶନ୍‌ ସହ ଜଡ଼ିତ କେତେକ କର୍ମଚାରୀଙ୍କୁ ଏହି ଡାଟା ଲିକ୍‌ ସମ୍ପର୍କରେ ସୂଚନା ଦେଇଥିଲା । ପ୍ରକାଶଯୋଗ୍ୟ, ଟାଟା ଇଲେକ୍ଟ୍ରିକାଲ୍ସ ଭାରତରେ ଆପଲ୍‌ର ମୋଟ ଆଇଫୋନ୍‌ ଉତ୍ପାଦନର ପ୍ରାୟ ଏକ ତୃତୀୟାଂଶ(୩୩%) ଅଂଶ ନିର୍ମାଣ କରୁଛି ।