ମୁମ୍ବାଇ,୨୪।୬: ଅନ୍ତର୍ଜାତୀୟ ବଜାରରେ ଦେଖାଦେଇଥିବା ଘନ ଅସ୍ଥିରତା ଏବଂ ଭୂ-ରାଜନୈତିକ ସଙ୍କଟର ସିଧାସଳଖ ପ୍ରଭାବ ଆଜି ଭାରତୀୟ ସେୟାର ବଜାର ଉପରେ ପଡ଼ିଛି । ମଙ୍ଗଳବାର କାରବାରରେ ପୁଞ୍ଜି ବଜାରରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି । ମାତ୍ର ଗୋଟିଏ ଦିନର କାରବାରରେ ନିବେଶକମାନେ ପ୍ରାୟ ୬ ଲକ୍ଷ କୋଟି ଟଙ୍କା ହରାଇଛନ୍ତି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE) ରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ମୋଟ୍ ବଜାର ପୁଞ୍ଜି ୫.୭୭ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ପ୍ରାୟ ୪୭୪ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି ।
ମଙ୍ଗଳବାର କାରବାର ଶେଷ ସୁଦ୍ଧା ବଜାରର ଦୁଇ ପ୍ରମୁଖ ସୂଚକାଙ୍କରେ ବଡ଼ ହ୍ରାସ ରେକର୍ଡ କରାଯାଇଛି । ବିଏସ୍ଇ ସେନ୍ସେକ୍ସ ୮୯୩.୩୯ ପଏଣ୍ଟ (ପ୍ରାୟ ୯୦୦ ପଏଣ୍ଟ) ଖସିଆସି ୭୬,୨୦୦.୬୮ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି । ଏନ୍ଏସ୍ଇ ନିଫ୍ଟି ଅନୁରୂପ ଭାବେ ନିଫ୍ଟି ମଧ୍ୟ ୨୭୯ ପଏଣ୍ଟ ହ୍ରାସ ପାଇ ୨୩, ସୂଚକାଙ୍କ ଅନୁଯାୟୀ ୨୩,୮୨.୧୦ ପଏଣ୍ଟରେ କାରବାର ଶେଷ କରିଛି । ଆଜିର ବଜାର ପତନରେ ବିଶେଷ କରି ଆଇଟି ଏବଂ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକର ସେୟାର ଚାପରେ ରହିଥିଲା । ବିଏସ୍ଇରେ ସବୁଠାରୁ ଅଧିକ କ୍ଷତି ସହିଥିବା ପ୍ରମୁଖ କମ୍ପାନୀଗୁଡ଼ିକ ମଧ୍ୟରେ ଟିସିଏସ୍, ଟାଟା ଷ୍ଟିଲ୍, ବିଇଏଲ୍, ଆଦାନୀ ପୋର୍ଟସ ରହିଛନ୍ତି । ଏହି ସମସ୍ତ ବଡ଼ କମ୍ପାନୀଗୁଡ଼ିକର ସେୟାର ମୂଲ୍ୟରେ ୩.୫% ପର୍ଯ୍ୟନ୍ତ ବଡ଼ ହ୍ରାସ ଦେଖିବାକୁ ମିଳିଛି ।
ଏହା ବି ପଢ଼ନ୍ତୁ... Gold-Silver-Price-Crash: ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଭୁବନେଶ୍ୱରରେ ସୁନା ଦରରେ ଆଖିଦୃଶିଆ ହ୍ରାସ, ରୁପା ଅଢ଼େଇ ଲକ୍ଷକୁ ଖସିଲା
ବଜାର କ୍ରାଶ୍ ହେବାର ୪ଟି ମୁଖ୍ୟ କାରଣ:
ଅର୍ଥନୈତିକ ବିଶେଷଜ୍ଞଙ୍କ ମତରେ ବଜାରରେ ଏଭଳି ହାହାକାର ପଛରେ କେତେକ ପ୍ରମୁଖ ଆନ୍ତର୍ଜାତୀୟ ଓ ସ୍ଥାନୀୟ କାରଣ ରହିଛି ।
୧. ବିଶ୍ୱ ବଜାରରୁ ମିଳିଥିବା ଦୁର୍ବଳ ସଙ୍କେତ
ଏସୀୟ ବଜାର, ବିଶେଷ କରି ଦକ୍ଷିଣ କୋରିଆର ସୂଚକାଙ୍କ 'କୋସ୍ପି' ସହିତ ଅନ୍ୟାନ୍ୟ ପ୍ରମୁଖ ଆନ୍ତର୍ଜାତୀୟ ବଜାରରେ ବଡ଼ ଧରଣର ପତନ ଘଟିଥିଲା । ବିଶ୍ୱ ବଜାରର ଏହି ମାନ୍ଦାବସ୍ଥା ଭାରତୀୟ ସେୟାର ବଜାରକୁ ମଧ୍ୟ ନିଜ ସହ ତଳକୁ ଟାଣି ଆଣିଛି ।
୨. ଆଇଟି ଓ ଟେକ୍ନୋଲୋଜି ଷ୍ଟକ୍ରେ ବିକ୍ରି ଚାପ
ଟେକ୍ନୋଲୋଜି ଏବଂ ଆଇଟି ସେକ୍ଟରର ସେୟାରଗୁଡ଼ିକରେ ବ୍ୟାପକ ବିକ୍ରି ଦେଖିବାକୁ ମିଳିଥିଲା । ଟିସିଏସ୍ ଭଳି ପ୍ରତିଷ୍ଠିତ ଆଇଟି ସଂସ୍ଥାରେ ହ୍ରାସ ଯୋଗୁଁ ସୂଚକାଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି ହୋଇଥିଲା ।
୩. ମଧ୍ୟପ୍ରାଚ୍ୟ ସଙ୍କଟ ଓ କ୍ରୁଡ୍ ଅଏଲ୍ ମହଙ୍ଗା
ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଲାଗି ରହିଥିବା ଅସ୍ଥିରତା ଓ ଯୁଦ୍ଧ ପରିସ୍ଥିତି ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି । ଏହା ଭାରତ ଭଳି ଆମଦାନୀକାରୀ ଦେଶ ପାଇଁ ମୁଦ୍ରାସ୍ଫୀତି ଚିନ୍ତା ବଢ଼ାଇ ଦେଇଛି ।
୪. ଆମେରିକା ଫେଡେରାଲ୍ ରିଜର୍ଭର ସୁଧହାର ଚେତାବନୀ
ତୈଳ ଦର ବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ 'ଫେଡେରାଲ୍ ରିଜର୍ଭ' ଆଗାମୀ ଦିନରେ ସୁଧ ହାର ବଢ଼ାଇପାରେ ବୋଲି ବଜାରରେ ଆଶଙ୍କା ପ୍ରକାଶ ପାଇଛି । ଏହି ଅନୁମାନ ଯୋଗୁଁ ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି, ଯାହା ପତନର ଅନ୍ୟ ଏକ ବଡ଼ କାରଣ ସାଜିଛି । ଗୋଟିଏ ପଟେ ବିଶ୍ୱସ୍ତରୀୟ ଆର୍ଥିକ ଅନିଶ୍ଚିତତା ଏବଂ ଅନ୍ୟପଟେ ଘରୋଇ ବଜାରରେ ମୁଦ୍ରାସ୍ଫୀତିର ଭୟ ଯୋଗୁଁ ନିବେଶକମାନେ ଏବେ ସତର୍କତା ଅବଲମ୍ବନ କରୁଛନ୍ତି । ବଜାରର ଏହି ଅସ୍ଥିର ସ୍ଥିତି ଆଉ କିଛି ଦିନ ଜାରି ରହିପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।