ଭୁବନେଶ୍ୱର,୨୨/୦୬: ରାଜ୍ୟରେ ୧୦୮୯ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ମାତ୍ର ଜଣେ ଶିକ୍ଷକରେ ପାଠପଢ଼ା ହେଉଛି । ଏହି ସବୁ ସ୍କୁଲରେ ୪୭ ହଜାରରୁ ଅଧିକ ପିଲା ପଢ଼ୁଛନ୍ତି । କିଛି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଅର୍ଥାତ ୮ଟି କ୍ଲାସକୁ ଜଣେ ମାଷ୍ଟର । ସେହିପରି ୧୯୦୦ ସ୍କୁଲରେ ମାତ୍ର ଗୋଟିଏ ଶ୍ରେଣୀ ଗୃହ ରହିଛି । ଅର୍ଥାତ ୮ଟି ଶ୍ରେଣୀର ପିଲା ବସୁଛନ୍ତି ଗୋଟିଏ କୋଠରୀରେ । ଗୋଟେ କ୍ଲାସ କୋଠରୀ ଭିତରେ ଆଉ ଗୋଟେ ବାରଣ୍ଡାରେ ।
ସେତିକି ନୁହେଁ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ପ୍ରାୟ ଦେଢ଼ ଲକ୍ଷ ଶିକ୍ଷକ ପଦବି ରହିଛି । ସେଥିରୁ ୫୦ ହଜାରରୁ ଅଧିକ ଶିକ୍ଷକ ପଦବି ଏବେ ବି ଖାଲି ପଡ଼ିଛି । ଅର୍ଥାତ ଏକ ତୃତୀୟାଂଶ ଶିକ୍ଷକ ନାହାନ୍ତି । ଏଇ ହେଲା ଆମ ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର । ଏପରି ସ୍ଥିତିରେ ବହିରେ ଥିବା ଭୁଲ୍ ସଂଶୋଧନ କରି ଶିକ୍ଷକମାନେ ପଢ଼ାଇବାକୁ ଗଣଶିକ୍ଷା ବିଭାଗ କହୁଛି । ଯାହା କି ବାସ୍ତବରେ ସମ୍ଭବ ନୁହେଁ ବୋଲି ଶିକ୍ଷକ ସଂଘମାନେ ଅଭିଯୋଗ କରିଛନ୍ତି ।
ପାଠପଢ଼ା ସହ ଏସ୍ଆଇଆର୍, ବିଏଲ୍ଓ, ଜନଗଣନା, ଉଲ୍ଲାସ, ଟିଏଲ୍ଏମ୍, ସିଟିଏସ୍ ସର୍ଭେ ଭଳି ଅନେକ କାମ ପ୍ରାଥମିକ ଶିକ୍ଷକଙ୍କ ମୁଣ୍ଡରେ ଲଦି ଦିଆଯାଉଛି । ପୁଣି ଏବେ ପାଠ୍ୟପୁସ୍ତକରେ ତ୍ରୁଟି ସଂଶୋଧନ କରି ପଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ପାଠ୍ୟପୁସ୍ତକରେ ବିଭିନ୍ନ ପ୍ରକାରର ତ୍ରୁଟି । ଏତେ ସବୁ କାମ ଭିତରେ କମ୍ ଶିକ୍ଷକଙ୍କୁ ନେଇ ପାଠ୍ୟପୁସ୍ତକ ସଂଶୋଧନ କରି ପଢ଼ାଇବା କ’ଣ ସମ୍ଭବ? ଆମେ ଏବେ କରିବୁ କ’ଣ? ଏପରି ଅଭିଯୋଗ କରୁଛନ୍ତି ଶିକ୍ଷକ ଓ ଶିକ୍ଷକ ସଂଘ ।
ଶିକ୍ଷକଙ୍କୁ ଏବେ ପାଠ୍ୟପୁସ୍ତକ ସଂଶୋଧନ ଚିନ୍ତା ଘାରିଛି । ସେମାନେ ଅଭିଯୋଗ କରିଛନ୍ତି, ତାଙ୍କୁ ସରକାର ଶିକ୍ଷାଦାନ ଅପେକ୍ଷା ଅଣଶିକ୍ଷା କାର୍ଯ୍ୟରେ ଅଧିକ ମାତ୍ରାରେ ଲିପ୍ତ ରଖୁଛନ୍ତି । ଉଲ୍ଲାସ, ଟିଏଲ୍ଏମ୍, କୃମି ବଟିକା ବଣ୍ଟନ, ଆସ ସ୍କୁଲ ଯିବା କାର୍ଯ୍ୟକ୍ରମରେ ଘରକୁ ଘର ବୁଲି ସର୍ଭେ କରୁଛନ୍ତି ଶିକ୍ଷକ । ମଧ୍ୟାହ୍ନଭୋଜନର ହିସାବ, ଛାତ୍ରଛାତ୍ରୀଙ୍କ ଆଧାରକାର୍ଡ କରାଇବା, ଜାତି ପ୍ରମାଣପତ୍ର କରାଇବା, ଇକୋ କ୍ଲବ୍, କିଚେନ୍ ଗାର୍ଡେନ୍, କ୍ଲଷ୍ଟରରେ ପ୍ରୋଗ୍ରାମ, ପ୍ରବେଶ ଉତ୍ସବରେ ନିମନ୍ତ୍ରଣ କାର୍ଡ ବଣ୍ଟନ, ୟୁଡାଇଏସ ପ୍ଲସ୍ରେ ପିଲାଙ୍କ ତଥ୍ୟ, ଡିଜିଗଭ୍, ପାଠ୍ୟପୁସ୍ତକ ବଣ୍ଟନ ସମେତ ଏସ୍ଆଇଆର୍, ବିଏଲ୍ଓ କାର୍ଯ୍ୟ ସହ ଜନଗଣନାରେ ଶିକ୍ଷକମାନଙ୍କୁ ନିୟୋଜିତ କରାଯାଇଛି । ଏମିତିକି ଏସ୍ଆଇଆର୍, ବିଏଲ୍ଓ ଏବଂ ଜନଗଣନାରେ ନିୟୋଜିତ ଶିକ୍ଷକ ଯଦି କାର୍ଯ୍ୟରେ ଅବହେଳା କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଆଉ ଏକ ପ୍ରଶ୍ନ ମଧ୍ୟ ଶିକ୍ଷାବିତ୍ କରୁଛନ୍ତି, ପାଠ୍ୟପୁସ୍ତକରେ ଛାତ୍ରଛାତ୍ରୀମାନେ ସଂଶୋଧନ କରି ପଢ଼ାଉଛନ୍ତି କି ନାହିଁ? ତାର ନିରୀକ୍ଷଣ କରିବ କିଏ? ଛାତ୍ରଛାତ୍ରୀମାନେ ଠିକ୍ ପାଠ ପଢ଼ିବେ ବୋଲି ତାର ଗ୍ୟାରେଣ୍ଟି କ’ଣ ରହିଛି ।
ଅଧିକ ପଢ଼ନ୍ତୁ :- Monsoon Update: ମୌସୁମୀ ପ୍ରଭାବରେ ଉପକୂଳ ଓଡ଼ିଶାରେ ବଢ଼ିବ ବର୍ଷା , ୩ ଦିନ ଯାଏ ଝଡ଼ବର୍ଷା ଆଲର୍ଟ
ସୂଚନାଯୋଗ୍ୟ, ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ହିନ୍ଦୀ, ସଂସ୍କୃତ ଓ ଉର୍ଦ୍ଦୁ ପଢ଼ାଯାଉଛି । ହେଲେ ଏହାକୁ ପଢ଼ାଇବାକୁ ଶିକ୍ଷକ ନାହାନ୍ତି । ଯେଉଁମାନେ ଗଣିତ, ବିଜ୍ଞାନ, ସାହିତ୍ୟ ଓ ଇଂରାଜୀ ପଢ଼ାଉଛନ୍ତି ସେମାନେ ଏହାକୁ ପଢ଼ାଉଛନ୍ତି । ଏପରିକି ଅନେକ ସ୍ଥାନରେ ପଢ଼ା ହେଉଛି କି ନାହିଁ ତାହା ସନ୍ଦେହ । ଯେଉଁଠି ପ୍ରଥମରୁ ଦଶମ ଶ୍ରେଣୀ ଯାଏ ମିଶ୍ରଣ ସ୍କୁଲ ରହିଛି ସେଠାରେ ସପ୍ତାହକୁ ଗୋଟିଏ ଦିନ ଇଚ୍ଛା ହେଲେ ହାଇସ୍କୁଲର ଶିକ୍ଷକ ଆସି ପଢ଼ୁଛନ୍ତି । ଏଠି ପ୍ରଶ୍ନ ଉଠୁଛି, ହିନ୍ଦୀ, ସଂସ୍କୃତ ଓ ଉର୍ଦ୍ଦୁରେ ୫୩୬ଟି ଭୁଲ ରହିଛି । ଏଥିରୁ ତଲାସ ବହିରେ ୨୨୦, ହିନ୍ଦୀରେ ୭ ଓ ସଂସ୍କୃତରେ ସର୍ବାଧିକ ୨୪୫ଟି ଭୁଲ୍ ଚିହ୍ନଟ କରାଯାଇଛି । ଅଷ୍ଟମ ଶ୍ରେଣୀ ଶ୍ରେଣୀ ହିନ୍ଦୀ, ସଂସ୍କୃତ ଓ ଉର୍ଦ୍ଦୁରେ ମୋଟ୍୧୯୪, ସପ୍ତମ ଶ୍ରେଣୀରେ ୨୪୯ ଓ ଷଷ୍ଠରେ ୯୩ଟି ଭୁଲ୍ ରହିଛି । ଏ ସମସ୍ତ ଭୁଲ୍କୁ ପ୍ରାଥମିକ ଶିକ୍ଷକ କିପରି ସଂଶୋଧନ କରି ପଢ଼ାଇବେ । ସେମାନଙ୍କ କହିବା କଥା, କେବଳ ଯେ ଏସ୍ସିଇଆର୍ଟି ପକ୍ଷରୁ ଜାରି ହୋଇଥିବା ତାଲିକାରେ ଯେତିକି ଭୁଲ୍ ରହିଛି ତାକୁ ହୁଏତ ସଂଶୋଧନ କରିପାରିବେ ବାକି ଯେଉଁ ଭୁଲ୍ ଚିହ୍ନଟ ହୋଇନଥିବ କିମ୍ବା ଭୁଲ୍ ଥିବ ତାକୁ କିପରି ଧରିବେ । ତେବେ ପିଲାମାନେ ଭୁଲ୍ ପାଠ ପଢ଼ିବା ନିଶ୍ଚିତ ।
ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି, ସରକାରୀ ତଥ୍ୟ କହୁଛି ୧୬୭୮ ଭୁଲ୍ ରହିଛି । ସେଥିରୁ ସର୍ବାଧିକ ଅଷ୍ଟମ ଶ୍ରେଣୀର ବହିରେ ୭୦୫ଟି ଭୁଲ୍ ଥିବା ଚିହ୍ନଟ କରାଯାଇଛି । ସପ୍ତମଶ୍ରେଣୀ ବହିରେ ୩୮୭ଟି ଭୁଲ୍, ଷଷ୍ଠ ଶ୍ରେଣୀ ବହିରେ ୨୮୯ଟି, ପଞ୍ଚମ ଶ୍ରେଣୀରେ ୭୫ଟି, ଚତୁର୍ଥ ଶ୍ରେଣୀରେ ୧୩୧ଟି, ତୃତୀୟ ଶ୍ରେଣୀ ବହିରେ ୭୫ଟି, ଦ୍ୱିତୀୟ ଶ୍ରେଣୀରେ ୧୨ଟି ଓ ପ୍ରଥମ ଶ୍ରେଣୀରେ ପୁଣି ୭ଟି ଭୁଲ୍ । ଏହାକୁ ଛାଡ଼ି ଆଉ ଅଧିକ ଭୁଲ୍ ବାହାରି ପାରେ । ଏତେ ସବୁ କାର୍ଯ୍ୟ ଚାପ ମଧ୍ୟରେ ପାଠ୍ୟପୁସ୍ତକ ସଂଶୋଧନ କରି ପଢ଼ାଇବା କ’ଣ ସମ୍ଭବ? ଏପରିକି ଯଦି ଶିକ୍ଷକମାନେ ସଂଶୋଧନ ନକରି ଯଦି ପଢ଼ାଇବେ ତାର କିଏ ଯାଞ୍ଚ କରିବ? ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ସରକାର ତ୍ରୁଟିଶୂନ୍ୟ ପୁସ୍ତକ ଯୋଗାଇ ଦିଅନ୍ତୁ । ।