ମୁମ୍ବାଇ, ୨୨।୬: ଗ୍ରାହକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ‘ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ’ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଆର୍ଥିକ ସେବା କ୍ଷେତ୍ରରେ ହେଉଥିବା ‘ମିସ୍-ସେଲିଂ’ ବା ଭୁଲ୍ ତଥ୍ୟ ଦେଇ ପ୍ରଡକ୍ଟ ବିକ୍ରି କରିବା ମାମଲା ଉପରେ ଆରବିଆଇ କଠୋର ନିୟମ ଜାରି କରିଛି । ଏହି ନୂଆ ନିୟମ ୧ ଜାନୁଆରୀ ୨୦୨୭ ରୁ ସାରା ଦେଶରେ ଲାଗୁ ହେବ । ଅନେକ ସମୟରେ ବ୍ୟାଙ୍କ, ଏନବିଏଫସି କିମ୍ବା ଏଜେଣ୍ଟମାନଙ୍କ ପ୍ରରୋଚନାରେ ପଡ଼ି ଗ୍ରାହକମାନେ ଏଭଳି ଆର୍ଥିକ ପ୍ରୋଡକ୍ଟ କିଣି ନିଅନ୍ତି, ଯାହା ସେମାନଙ୍କର ଆବଶ୍ୟକତା ସହ ମେଳ ଖାଇନଥାଏ । ଏଥିରେ ବୀମା ପଲିସି, ବିନିଯୋଗ ଯୋଜନା, କ୍ରେଡିଟ୍ କାର୍ଡ ଆଦି ସାମିଲ ଥାଏ । ଏଭଳି ପ୍ରକ୍ରିୟାକୁ ‘ମିସ୍-ସେଲିଂ’ କୁହାଯାଏ, ଯାହା ଉପରେ ଏବେ ଲଗାମ ଲଗାଇବାକୁ ଯାଉଛନ୍ତି ସରକାର ।

'ମିସ୍-ସେଲିଂ' କ’ଣ ?

RBIର ସ୍ପଷ୍ଟୀକରଣ ଅନୁଯାୟୀ, ମିସ୍-ସେଲିଂ କେବଳ ଭୁଲ୍ ସୂଚନା ଦେଇ କୌଣସି ପ୍ରୋଡକ୍ଟ ବିକ୍ରି କରିବା ନୁହେଁ । ଏହାଛଡ଼ା ଗ୍ରାହକଙ୍କ ପ୍ରୋଫାଇଲ୍, ଆୟ, ବିପଦ ସହିବାର କ୍ଷମତା କିମ୍ବା ଆବଶ୍ୟକତା ବାହାରେ କୌଣସି ପ୍ରଡକ୍ଟ ବିକ୍ରି କରିବା । ଗ୍ରାହକଙ୍କ ସ୍ପଷ୍ଟ ସହମତି ବିନା ପ୍ରଡକ୍ଟ ବିକ୍ରି କରିବା । ଅଧାପନ୍ତରିଆ କିମ୍ବା ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିବା । ଗୋଟିଏ ପ୍ରଡକ୍ଟ ସହିତ ଅନ୍ୟ ଏକ ପ୍ରଡକ୍ଟକୁ ଜବରଦସ୍ତି ଯୋଡ଼ି ବିକ୍ରି କରିବା ମଧ୍ୟ ମିସ୍-ସେଲିଂ ପରିସରଭୁକ୍ତ ହେବ ।

ଗ୍ରାହକଙ୍କୁ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ:

ଏହି ନୂଆ ନିୟମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ଯଦି କୌଣସି ମାମଲାରେ ମିସ୍-ସେଲିଂ ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥାକୁ ଗ୍ରାହକଙ୍କ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରିବାକୁ ପଡ଼ିବ । ଏହା ସହିତ ସେହି ପ୍ରୋଡକ୍ଟର ବିକ୍ରିକୁ ରଦ୍ଦ କରାଯିବ ଏବଂ ଏ ବିଷୟରେ ଗ୍ରାହକଙ୍କୁ ଲିଖିତ ଭାବେ ଜଣାଇବାକୁ ହେବ । ଭୁଲ୍ ପରାମର୍ଶ କିମ୍ବା ମିଥ୍ୟା ଦାବିର ଶିକାର ହେଉଥିବା ଗ୍ରାହକଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି ଆଣିଦେବ ।

ଗ୍ରାହକଙ୍କ ସ୍ପଷ୍ଟ ସହମତି ଜରୁରୀ:

RBI ନିର୍ଦ୍ଦେଶ ଦେଇଛି ଯେ, ଯେକୌଣସି ଆର୍ଥିକ ପ୍ରଡକ୍ଟ ବିକ୍ରି କରିବା ପୂର୍ବରୁ ଗ୍ରାହକଙ୍କ ସ୍ପଷ୍ଟ ସହମତି ନେବା ବାଧ୍ୟତାମୂଳକ । ଏହି ସହମତିର ରେକର୍ଡ ରଖାଯିବ । କୌଣସି ପୂର୍ବ-ନିର୍ଦ୍ଧାରିତ ବିକଳ୍ପ ବା ସ୍ୱୀକୃତିକୁ ଗ୍ରାହକଙ୍କ ସହମତି ବୋଲି ଧରାଯାଇପାରିବ ନାହିଁ । ଭିନ୍ନ ଭିନ୍ନ ପ୍ରୋଡକ୍ଟ ପାଇଁ ପୃଥକ୍ ଭାବେ ସହମତି ନେବାକୁ ହେବ ।

ଏହା ବି ପଢ଼ନ୍ତୁ... Affordable EVs: ପେଟ୍ରୋଲ୍-ଡିଜେଲ୍ ଖର୍ଚ୍ଚରୁ ମିଳିବ ମୁକ୍ତି: ଭାରତର ସବୁଠାରୁ ଶସ୍ତା ୫ଟି ଇଲେକ୍ଟ୍ରିକ୍ କାର୍, ଦାମ୍ ୭ ଲକ୍ଷ ଟଙ୍କାରୁ ବି କମ୍

ଜବରଦସ୍ତି ବଣ୍ଡଲିଂ ଉପରେ ରୋକ୍:

ଅନେକ ସମୟରେ ଦେଖାଯାଏ ଯେ, ବ୍ୟାଙ୍କରୁ ଲୋନ୍ ନେବା ସମୟରେ ଗ୍ରାହକଙ୍କ ଉପରେ ବୀମା କିମ୍ବା ଅନ୍ୟ କୌଣସି ପ୍ରଡକ୍ଟ କିଣିବା ପାଇଁ ଚାପ ପକାଯାଏ । ଆରବିଆଇ ଏଭଳି ବାଧ୍ୟତାମୂଳକ ବଣ୍ଡଲିଂ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଛି । ଯଦି କୌଣସି ଅତିରିକ୍ତ ପ୍ରଡକ୍ଟ ପାଇଁ ଅଲଗା ଶୁଳ୍କ ନିଆଯାଉଛି, ତେବେ ସେଥିପାଇଁ ଗ୍ରାହକଙ୍କୁ ବାଧ୍ୟ କରାଯାଇପାରିବ ନାହିଁ ।

ଡିଜିଟାଲ୍ ପ୍ଲାଟଫର୍ମ ଏବଂ ଇନଫ୍ଲୁଏନ୍ସର୍ସ ମଧ୍ୟ ଦାୟୀ ରହିବେ:

ନୂଆ ନିୟମ କେବଳ ବ୍ୟାଙ୍କ ଶାଖା ମଧ୍ୟରେ ସୀମିତ ନାହିଁ । ସୋସିଆଲ ମିଡିଆ ଇନଫ୍ଲୁଏନ୍ସର୍ସ, ଡିଜିଟାଲ ମାର୍କେଟିଂ ପାର୍ଟନର୍ସ ଏବଂ ଏଜେଣ୍ଟମାନଙ୍କ ଦ୍ୱାରା କରାଯାଉଥିବା ପ୍ରଚାର ମଧ୍ୟ ଏହାର ଅଧୀନରେ ଆସିବ । ଯଦି କୌଣସି ଏଜେଣ୍ଟ କିମ୍ବା ଇନଫ୍ଲୁଏନ୍ସର୍ ଭ୍ରମାତ୍ମକ ସୂଚନା ଦିଅନ୍ତି, ତେବେ ତାର ସମ୍ପୂର୍ଣ୍ଣ ଦାୟିତ୍ୱ ସମ୍ପୃକ୍ତ ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥା ଉପରେ ରହିବ । RBI ର ଏହି ଐତିହାସିକ ପଦକ୍ଷେପ ଯୋଗୁଁ ଆଗାମୀ ଦିନରେ ବ୍ୟାଙ୍କିଙ୍ଗ୍ ସେବା ଅଧିକ ସ୍ୱଚ୍ଛ ହେବ ଏବଂ ଗ୍ରାହକମାନେ ପ୍ରତାରଣାରୁ ରକ୍ଷା ପାଇପାରିବେ ।