ନୂଆଦିଲ୍ଲୀ, ୨୨।୬: ସ୍ୱିଜରଲ୍ୟାଣ୍ଡର ଲେକ୍ ଲ୍ୟୁସର୍ଣ୍ଣରେ ଆମେରିକା ସହ ବଡ଼ ଚୁକ୍ତିନାମା । ଏକ ବୈଠକ ଶେଷ ହେବା ପରେ ଇରାନର ପ୍ରତିନିଧି ଦଳ ନିଜ ଦେଶକୁ ଫେରିଛନ୍ତି । ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ୍ ବଘାଇ ଏହି ସୂଚନା ଦେଇଛନ୍ତି । ରବିବାର ସକାଳୁ ଆରମ୍ଭ ହୋଇ ସୋମବାର ଭୋର ପର୍ଯ୍ୟନ୍ତ ଚାଲିଥିବା ଏହି ମାରାଥନ୍ ବୈଠକରେ ଯୁଦ୍ଧ ରୋକିବା ଏବଂ ଇରାନ ଉପରୁ ଆର୍ଥିକ ପ୍ରତିବନ୍ଧକ ହଟାଇବା ସମ୍ପର୍କରେ କେତେକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ଆଲୋଚନାରେ ମଧ୍ୟସ୍ଥି ସାଜିଥିବା କତାର ଏବଂ ପାକିସ୍ତାନ, ଇରାନ ଓ ଆମେରିକାର ସହମତିରେ ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି । ଏହି ଚୁକ୍ତିକୁ ଗ୍ରାଉଣ୍ଡ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ଏକ 'ନିରୀକ୍ଷଣ ବ୍ୟବସ୍ଥା' ପ୍ରସ୍ତୁତ କରାଯାଇଛି । ଏବେ ବିଶେଷଜ୍ଞ ଏବଂ ବୈଷୟିକ ସ୍ତରର ଟିମ୍ ଏହି କାର୍ଯ୍ୟକୁ ଆଗକୁ ବଢ଼ାଇବେ ।
କେଉଁ ସବୁ ପ୍ରସଙ୍ଗରେ ସହମତି ?
ଇସମାଇଲ୍ ବଘାଇ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ଏକ ପୋଷ୍ଟ କରି ବୈଠକର ମୁଖ୍ୟ ବିଷୟ ଏବଂ ଚୁକ୍ତିନାମା ସମ୍ପର୍କରେ ସୂଚନା ଦେଇଛନ୍ତି । ଲେବାନନରେ ଇସ୍ରାଏଲ୍ ସେନାର ସାମରିକ ଅଭିଯାନ ଏବଂ ଆକ୍ରମଣକୁ ସଙ୍ଗେ ସଙ୍ଗେ ରୋକିବା ପାଇଁ ଏକ 'କନଫ୍ଲିକ୍ଟ କଣ୍ଟ୍ରୋଲ ମେକାନିଜିମ୍' ଗଠନ କରାଯିବ । ଏଥିରେ ଇରାନ, ଆମେରିକା ଏବଂ ନିଜେ ଲେବାନନ ସାମିଲ ରହିବେ । ଇରାନର କ୍ରୁଡ୍ ଅଏଲ୍ ଏବଂ ପେଟ୍ରୋକେମିକାଲ୍ ଉତ୍ପାଦ ରପ୍ତାନି ପାଇଁ ରାସ୍ତା ସଫା କରାଯିବ । ବିଦେଶରେ ଫ୍ରିଜ୍ ହୋଇ ରହିଥିବା ଇରାନର ଅର୍ଥ ଏବଂ ସମ୍ପତ୍ତିକୁ ତୁରନ୍ତ ମୁକ୍ତ କରାଯିବ ।
କ’ଣ କହିଲେ ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ?
ଇରାନ ପ୍ରତିନିଧି ଦଳ ଅନୁଯାୟୀ, ଏକ ଚୂଡ଼ାନ୍ତ ଏବଂ ସ୍ଥାୟୀ ଶାନ୍ତି ଚୁକ୍ତି ଏହି କଥା ଉପରେ ନିର୍ଭର କରିବ ଯେ ଦୁଇ ପକ୍ଷ ପ୍ରାରମ୍ଭିକ ସର୍ତ୍ତଗୁଡ଼ିକୁ କେତେ ଗମ୍ଭୀରତାର ସହ ପାଳନ କରୁଛନ୍ତି । ବଘାଇ ଆହୁରି ମଧ୍ୟ କହିଛନ୍ତି ଯେ, "ଆମର ସ୍ପଷ୍ଟ ନୀତି ହେଉଛି 'ପ୍ରତିଶ୍ରୁତି ବଦଳରେ ପ୍ରତିଶ୍ରୁତି' । ଆମେ ବିରୋଧୀ ପକ୍ଷର ପ୍ରତିଟି ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛୁ । ଯଦି ସେମାନେ ନିଜ ସର୍ତ୍ତ ପୂରଣ ନକରନ୍ତି, ତେବେ ଇରାନ ନିଜର ସର୍ତ୍ତ ମନାଇବା ପାଇଁ ସମସ୍ତ ବିକଳ୍ପ ଏବଂ କୂଟନୈତିକ ପନ୍ଥା ଆପଣାଇବାକୁ ପଛାଇବ ନାହିଁ ।"
ଏହା ବି ପଢ଼ନ୍ତୁ... India Agriculture: ଚୀନ୍ ବ୍ୟାନ୍ କଲା ଲଙ୍କା, ଜାପାନ ରୋକିଲା ଆମ୍ବ; ବିଦେଶୀ ବଜାରରେ ଭାରତୀୟ କୃଷି ରପ୍ତାନିକୁ ଶକ୍ତ ଧକ୍କା !
ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ: ୬୦ ଦିନର ରୋଡମ୍ୟାପ୍ ପ୍ରସ୍ତୁତ
ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି, ଯେଉଁଥିରେ ଉଭୟ ପକ୍ଷ '୬୦ ଦିନ ମଧ୍ୟରେ' ଏକ ଚୂଡ଼ାନ୍ତ ଚୁକ୍ତିରେ ପହଞ୍ଚିବା ପାଇଁ ଏକ ରୋଡମ୍ୟାପ୍ ଉପରେ ସହମତି ପ୍ରକାଶ କରିଛନ୍ତି । ଇରାନ କହିଛି ଯେ, ଏହି ଆଲୋଚନା ଫଳରେ ତେଲ ରପ୍ତାନି ପାଇଁ କୋହଳ ନୀତି ଏବଂ କିଛି ଜବତ ସମ୍ପତ୍ତି ଫେରସ୍ତ କରିବାକୁ ସହମତି ପ୍ରକାଶ ପାଇଛି । ଏହାସହ ଲେବାନନରେ ଯୁଦ୍ଧବିରତିର ତଦାରଖ ପାଇଁ ଏକ 'ଡି-କନଫ୍ଲିକ୍ସନ ସେଲ୍' ସ୍ଥାପନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ୬୦ ଦିନ ମଧ୍ୟରେ ଚୂଡ଼ାନ୍ତ ଚୁକ୍ତିରେ ପହଞ୍ଚିବା ଲକ୍ଷ୍ୟରେ ପ୍ରସ୍ତୁତ ଏହି ରୋଡମ୍ୟାପକୁ ସ୍ୱିଜରଲ୍ୟାଣ୍ଡ ସ୍ୱାଗତ କରିଛି ।