ରାଞ୍ଚି, ୩୦/୧୧: ରେଡ୍ ବଲ୍ ପରାଜୟ ପ୍ରତିଶୋଧ ହ୍ବାଇଟ ବଲ୍ରେ ନେଲା ଟିମ୍ ଇଣ୍ଡିଆ । ରାଞ୍ଚିରେ ଦକ୍ଷିଣ ଆଫ୍ରିକାକୁ ଚେକ୍ ଦେଇଛି ଭାରତୀୟ ଦଳ । ପ୍ରଥମ ଦିନିକିଆରେ ଭ୍ରମଣକାରୀ ଦଳକୁ ୧୭ ରନରେ ପରାସ୍ତ କରିଛି ଟିମ୍ ରାହୁଲ । ମାକ୍ରାମ ସେନା ୩୫୦ ରନର ଟାର୍ଗେଟକୁ ପିଛା କରି ଶେଷ ଓଭରରେ ହାର ମାନିଛି । ୩୩୨ ରନ କରି ଅଲଆଉଟ୍ ହୋଇଛି ସାଉଥ୍ ଆଫ୍ରିକା । ଫଳରେ ପ୍ରଥମ ଓ୍ବାନଡେ’କୁ ଜିତି ସିରିଜରେ ୧-୦ରେ ଆଗରେ ରହିଛି । ବିରାଟ୍ କୋହଲି ୧୩୫ରନ ଶତକୀୟ ଇନିଂସ ଖେଳି ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ।
ସଂଘର୍ଷ କରି ହାରିଲା ଦକ୍ଷିଣ ଆଫ୍ରିକା:
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ରବିବାର ରାଞ୍ଚିର ଜେଏସସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ବିରାଟ୍ କୋହଲିଙ୍କ ଶତକ ବଳରେ ୫୦ ଓଭରରେ ୮ ୱିକେଟ୍ ହରାଇ ୩୪୯ ରନ୍ କରିଥିଲା। ଯାହା ଫଳରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ସାମ୍ନାରେ ୩୫୦ ରନର ଟାର୍ଗେଟ୍ ରହିଥିଲା । ବିଜୟ ପାଇଁ ବିଶାଳ ଲକ୍ଷ୍ୟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକାକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ଦଳ ଦ୍ୱିତୀୟ ଓଭରରେ ହିଁ ଦୁଇଟି ୱିକେଟ୍ ହରାଇଥିଲା। ରିୟାନ ରିକଲଟନ୍ ଏବଂ ଡି କକ୍ ଖାତା ଖୋଲିପାରି ନଥିଲେ। ହର୍ଷିତ ରାଣାଙ୍କ ସ୍ବିଙ୍ଗରେ ଚକମା ଖାଇ ଉଭୟ ବ୍ୟାଟର ପାଭିଲିୟନକୁ ଫେରିଥିଲେ । ପରେ ଅର୍ଶଦୀପ ସିଂହ ଅଧିନାୟକ ଏଡେନ୍ ମାର୍କରାମଙ୍କୁ ଆଉଟ୍ କରି ସାଉଥ୍ ଆଫ୍ରିକାକୁ ବ୍ୟାକ୍ ଫୁଟକୁ ଠେଲି ଦେଇଥିଲେ । ମାର୍କରାମ ମାତ୍ର ୭ ରନ କରି ଆଉଟ୍ ହୋଇଥିଲା । ଏହା ପରେ ଡି ଜର୍ଜି ୩୫ ବଲ୍ରେ ୩୯ ରନର ଇନିଂସ ଖେଳିଥିଲେ। ହେଲେ କୁଲଦୀପ ଯାଦବ ତାଙ୍କୁ ସ୍ପିନ୍ ଜାଲରେ ଛନ୍ଦି ଦେଇଥିଲେ । ଆଉ ଏଲବିଡବ୍ଲ୍ୟୁ ଆଉଟ୍ କରି ପାଭିଲିୟନ ପଠାଇଦେଇଥିଲେ । ସେହିପରି ଡିୱାଲ୍ଡ ବ୍ରେଭିସ୍ ୨୮ ବଲରେ ୩୭ ରନ କରି ହର୍ଷିତଙ୍କ ଶିକାର ହୋଇଥିଲେ। ଏହାପରେ ମାର୍କୋ ଜାନସେନ୍ ଏବଂ ମାଥ୍ୟୁସ୍ ଦଳ ଚମତ୍କାର ଭାଗିଦାରୀ କରି ଦଳକୁ ବିଜୟ ଆଶା ଦେଖାଇଥିଲେ । ମାର୍କୋ ୩୯ ବଲରେ ୭୦ ରନ ଏବଂ ମାଥ୍ୟୁସ୍ ୮୦ ବଲରେ ୭୨ ରନ କରିଥିଲେ। ମାର୍କୋ ଜାନସେନ ଆଉଟ୍ ହେବାପରେ ମାଥ୍ୟୁସଙ୍କୁ ସାଥ୍ ଦେଇଥିଲେ କୋର୍ବିନ ବସ୍ । ସେ ୫୧ ବଲରେ ୬୭ ରନ କରି ଟିମ୍ ଇଣ୍ଡିଆର ଟେନସନ ବଢ଼ାଇ ଦେଇଥିଲେ । ଆଉ ଦକ୍ଷିଣ ଆଫ୍ରିକାକୁ ବିଜୟ ଦ୍ବାର ଦେଶ ପର୍ଯ୍ୟନ୍ତ ନେଇଯାଇଥିଲେ । ହେଲେ ଶେଷ ଓଭରରେ ସଂଘର୍ଷ କରି ଆଉଟ୍ ହୋଇଥିଲେ । ଫଳରେ ଦକ୍ଷିଣ ଆଫ୍ରିକା ୩୩୨ ରନ କରି ଅଲଆଉଟ୍ ହୋଇଥିଲା । ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ଟି ଓ୍ବିକେଟ୍ ନେଇଥିବା ବେଳେ ହର୍ଷିତ୍ ରାଣା ୩ ଓ୍ବିକେଟ୍, ଅର୍ଶିଦୀପ ସିଂହ ଦୁଇ ଓ୍ବିକେଟ୍ ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଗୋଟିଏ ଓ୍ବିକେଟ୍ ମିଳିଛି ।
ଭାରତ ୧-୦ରେ ଆଗରେ:
ଶୁବମନ ଗିଲ୍ ଆହତ କାରଣରୁ ଦଳକୁ ବାଦ୍ ପଡ଼ିବା ପରେ ଓପନିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା ଓ ଯଶସ୍ବୀ ଜୈସ୍ବାଲ । ହେଲେ ଯଶସ୍ବୀ ବେଶୀ ସମୟ ପଡ଼ିଆରେ ତିଷ୍ଠି ପାରିନଥିଲେ । ସେ ମାତ୍ର ୧୮ ରନ କରି ନାନ୍ଦ୍ରେ ବରର୍ଗରଙ୍କ ଶିକାର ହୋଇଥିଲେ । ଏହା ପରେ ରାଞ୍ଚିରେ ଆରମ୍ଭ ହୋଇଥିଲା କିଙ୍ଗ୍ କୋହଲିଙ୍କ ଏଣ୍ଟ୍ରି । ପ୍ରଥମ ବଲ୍ ଚୌକା ମାରି ଟେଷ୍ଟ ପରାଜୟର ପ୍ରତିଶୋଧ ଘୋଷଣା କରିଦେଇଥିଲେ ସେ । ରୋହିତ୍ ଶର୍ମାଙ୍କ ସହ ମିଶି ଉଭୟେ ଜବରଦସ୍ତ ଶତକୀୟ ଭାଗିଧାରୀ ଖେଳିଥିଲେ । ରୋହିତ ଶର୍ମା ୫୭ ରନ କରି ମାର୍କୋ ଜନସନଙ୍କ ଶିକାର ହୋଇଥିଲେ । ମାତ୍ର ବିରାଟ କୋହଲି ପଛକୁ ଫେରି ଦେଖିନଥିଲେ । ଦକ୍ଷିଣ ଆଫ୍ରିକା ବୋଲରଙ୍କ ଉପରେ ପ୍ରହାର ଆରମ୍ଭ କରିଥିଲେ । ସେ ପ୍ରଥମେ ଅର୍ଦ୍ଧଶତକ ପରେ ଏହାକୁ ଶତକୀୟ ଇନିଂସରେ ବଦଳାଇ ଦେଇଥିଲେ । ରାଞ୍ଚିରେ ବିରାଟ୍ କୋହଲି ୧୨୦ରୁ ୧୩୫ ରନର ଜବରଦସ୍ତ ଇନିଂସ ଖେଳିଛନ୍ତି । ଏଥିରେ ୧୧ଟି ଚୌକା ଏବଂ ୭ଟି ଛକା ରହିଛି । ଏହା ଦିନିକିଆ କ୍ରିକେଟରେ ବିରାଟଙ୍କ ୫୨ତମ ସେଞ୍ଚୁରୀ ଏବଂ ଆନ୍ତର୍ଜାତିକ କ୍ରିକେଟରେ ୮୩ତମ ଶତକ । ସେହିପରି ରୋହିତ ଶର୍ମା ୫୧ ବଲରୁ ୫୭ ରନ ସଂଗ୍ରହ କରିଛନ୍ତି । ଅଧିନାୟକ କେଏଲ ରାହୁଲ ୫୬ ବଲରୁ ୬୦ ରନ କରିଥିବା ବେଳେ ରବୀନ୍ଦ୍ର ଜାଡେଜା ୩୨ ରନ କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜେନସେନ୍, ନାନ୍ଦ୍ରେ ବର୍ଗର, କୋର୍ବିନ ବସ୍ ଏବଂ ବାର୍ଟମ୍ୟାନ୍ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଥିଲେ । ଟିମ୍ ଇଣ୍ଡିଆ ପ୍ରଥମ ଦିନିକିଆକୁ ବିଜୟୀ ହୋଇ ସିରିଜରେ ୧-୦ରେ ଆଗରେ ରହିଛି ।