ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ ଟିମ୍ ସୁନ୍ଦର ଖେଳ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ବିପକ୍ଷ ଓ୍ବାନଡେ ସିରିଜ୍ ୨-୧ରେ ଜିତିଥିଲା। ସିରିଜ୍ର ପ୍ରଥମ ମ୍ୟାଚ୍ ରାଞ୍ଚିରେ ହୋଇଥିଲା,ଯାହାକୁ ଭାରତୀୟ ଟିମ୍ ୧୭ ରନ୍ରେ ଜିତିଥିଲା। ତେବେ ତା ପର ମ୍ୟାଚକୁ ଭ୍ରମଣକାରୀ ଟିମ୍ ରାୟପୁର ଓ୍ବାନଡେରେ ୪ ଓ୍ବିକେଟରେ ଜିତିଥିଲା। ପରାଜୟ ପରେ ଟିମ୍ ଇଣ୍ଡିଆ ବିଶାଖାପାଟନମ୍ରେ ହୋଇଥିବା ନିର୍ଣ୍ଣାୟକ ମ୍ୟାଚ୍ରେ ୯ ଓ୍ବିକେଟରେ ବିଜୟୀ ହୋଇଥିଲା।
ଓ୍ବାନଡେ ସିରିଜ୍ରେ ବିଜୟ ପରେ ଭାରତୀୟ ଟିମ୍ ଉପରେ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ୍ ବା ଆଇସିସି ନେଇଛି ଆକ୍ସନ। ଭାରତୀୟ ଟିମ୍ ଉପରେ ମ୍ୟାଚ୍ ଫି’ର ୧୦ ପ୍ରତିଶତ ଜରିମାନା ଲଗାଇଛି। ସାଉଥ୍ ଆଫ୍ରିକା ବିପକ୍ଷ ରାୟପୁରରେ ଖେଳା ଯାଇଥିବା ଦ୍ବିତୀୟ ଓ୍ବାନଡେ୍ରେ ସ୍ଲୋ ଓଭର ରେଟ୍ କାରଣରୁ ଭାରତୀୟ ଟିମ୍କୁ ଏହି ଦଣ୍ଡ ମିଳିଛି। ଏମିରେଟ୍ସ ଆଇସିସି ଏଲିଟ୍ ପ୍ୟାନେଲ ଅଫ୍ ମ୍ୟାଚ୍ ରେଫରୀର ସଦସ୍ୟ ରିଚି ରିଚର୍ଡସନ୍ ଏହି ସଜା ଏଥିପାଇଁ ଶୁଣାଇଛନ୍ତି, କାରଣ ଟିମ୍ ଇଣ୍ଡିଆ ସମୟରେ ଦୁଇ ଓଭର କମ୍ ବୋଲିଂ କରିଛି। ଆଇସିସିର ଆଚାର ସଂହିତାର ଅନୁଚ୍ଛେଦ ୨.୨୨ ଅନୁସାରେ, ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଯାହାକି ନ୍ୟୁନତମ ଓଭର ରେଟ୍-ଉଲଂଘନ ସହ ଜଡିତ ମାମଲା ଉପରେ ଲାଗୁ ହେବ।
ନିୟମ ଅନୁସାରେ, ନିର୍ଦ୍ଧାରିତ ସମୟରେ ଓଭର ପୁରା ନହେଲେ ଖେଳାଳିଙ୍କ ଉପରେ ପ୍ରତି ଓଭର ହାରରେ ୫% ଜରିମାନା ଲଗାଯାଇଥାଏ। ଭାରତ ଦୁଇ ଓଭର କମ୍ ବୋଲିଂ କରିଥିଲା,ଏହି କାରଣରୁ ମ୍ୟାଚ୍ ଫି’ରେ ୧୦% ପ୍ରତିଶତ ଫାଇନ ଲାଗିଥିଲା। ଭାରତୀୟ ଟିମ୍ କାର୍ଯ୍ୟକାରୀ ଅଧିନାୟକ କେଏଲ ରାହୁଲ ନିଜର ଭୁଲ ସ୍ବୀକାର କରିଛନ୍ତି। ତେଣୁ କୌଣସି ଔପଚାରିକ ଶୁଣାଣିର ଆବଶ୍ୟକତା ପଡିଲାନି। ଉଲ୍ଲେଖନୀୟ ଯେ, ରାୟପୁର ଓ୍ବାନଡେରେ ଭାରତୀୟ ଟିମ୍ ବିରାଟ କୋହଲି (୧୦୨) ଓ ରୁତୁରାଜ ଗାୟକଓ୍ବାଡ (୧୦୫)ର ସୁନ୍ଦର ଇନିଂସ ଖେଳି ୩୫୮/୫ର ବଡ଼ ସ୍କୋର କରିଥିଲା। ଏହାପରେ ବି ଭାରତୀୟ ଟିମ୍ ମ୍ୟାଚ୍ ହାରି ଯାଇଥିଲା। ଦକ୍ଷିଣ ଆଫ୍ରିକାର ଏଡେନ୍ ମାର୍କରମଙ୍କ(୧୧୦ ରନ୍)ର ଦମଦାର ଇନିଂସ ସାହାଯ୍ୟରେ ୪ ଓ୍ବିକେଟ୍ରେ ମ୍ୟାଚ୍ ଜିତିଥିଲା।