ନୂଆଦିଲ୍ଲୀ,୨୯/୦୬: ବିଶ୍ୱକପ ବିଜୟୀ ଭାରତକୁ ମାତ୍ ଦେଇଛି ଟିମ୍ ଆୟର୍ଲାଣ୍ଡ । ଘରୋଇ ଆୟର୍ଲାଣ୍ଡ ବିପକ୍ଷରେ ସିରିଜ ପରାଜୟର ଲଜ୍ଜା ମୁଣ୍ଡାଇଛି ଭାରତ । ରବିବାର ଅନୁଷ୍ଠିତ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଆୟର୍ଲାଣ୍ଡ ୧ ରନ୍ରେ ବିଜୟୀ ହୋଇ ୨-୦ରେ ସିରିଜ ମୂଳପୋଛ କରିଛି । ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତକୁ ପରାସ୍ତ କରି ଆୟର୍ଲାଣ୍ଡ ଇତିହାସ ରଚିଛି । ୧୦୫୦ ଦିନର ଦୀର୍ଘ ବ୍ୟବଧାନ ପରେ ଟିମ୍ ଇଣ୍ଡିଆ ଏକ ଟି-୨୦ ସିରିଜ ହାରିଛି । ଏହା ସହିତ ଭାରତ ୧୦ଟି ଲଜ୍ଜାଜନକ ରେକର୍ଡ ମଧ୍ୟ କରିଛି । ଆୟରଙ୍କ ଅଧିନାୟକତ୍ୱରେ ଭାରତର ଅଭିଯାନ ନିରାଶଜନକ ରହିଛି ।
୧୦ ଲଜ୍ଜାଜନକ ରେକର୍ଡ-
. ଆୟର୍ଲାଣ୍ଡ ବିପକ୍ଷରେ ସିରିଜ ହାରିବା ପୂର୍ବରୁ, ଭାରତ ଶେଷ ଟି-ଟ୍ୱେଣ୍ଟି ପରାଜୟ ଅଗଷ୍ଟ ୨୦୨୩ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଥିଲା । ସଂଯୋଗବସତଃ, ଏହା ମଧ୍ୟ ଭାରତର ଶେଷ ସିରିଜ ପରାଜୟ ଥିଲା ।
.ଟି-ଟ୍ୱେଣ୍ଟି କ୍ରିକେଟ ଇତିହାସରେ ଏହା କେବଳ ତୃତୀୟ ଥର ପାଇଁ ଭାରତ ଗୋଟିଏ ରନରେ ପରାସ୍ତ ହୋଇଛି । ଶେଷଥର ପାଇଁ ଏହା ୧୦ ବର୍ଷ ତଳେ ଘଟିଥିଲା । ୨୦୧୬ରେ ୱେଷ୍ଟଇଣ୍ଡିଜଠାପୁ ଗୋଟିଏ ରନରେ ପରାସ୍ତ ହୋଇଥିଲେ । ୨୦୧୨ରେ ମଧ୍ୟ ଭାରତ ନ୍ୟୁଜିଲାଣ୍ଡଠାରୁ ଗୋଟିଏ ରନରେ ପରାସ୍ତ ହୋଇଥିଲା ।
. ଶ୍ରେୟସ ଆୟର ଟି-ଟ୍ୱେଣ୍ଟିରେ ଋଷବ ପନ୍ତଙ୍କ ପରେ ଦ୍ୱିତୀୟ ଭାରତୀୟ ଅଧିନାୟକ ଯିଏ ତାଙ୍କର ପ୍ରଥମ ୨ଟି ମ୍ୟାଚ୍ ହାରିଛନ୍ତି ।
. ତିଲକ ବର୍ମା ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ୪୬ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ଜଣେ ଭାରତୀୟ ବ୍ୟାଟରଙ୍କ ଦ୍ୱାରା ଷଷ୍ଠ ଧିମା ଅର୍ଦ୍ଧଶତକ । କେଏଲ ରାହୁଲଙ୍କ ନାମରେ ସବୁଠାରୁ ଧିମା ଅର୍ଦ୍ଧଶତକ ରେକର୍ଡ ଥିଲା । ସେ ୫୬ ବଲରେ ସାଉଥ ଆଫ୍ରିକା ବିପକ୍ଷରେ ୨୦୨୨ରେ କରିଥିଲେ ।
. ଆୟର୍ଲାଣ୍ଡ ଟିମ୍ ଆଇସିସି ଟି-ଟ୍ୱେଣ୍ଟି ରାଙ୍କିଂରେ ଟପ୍ ୧୦ରେ ନାହିଁ । ତଥାପି ଦଳ ବ୍ୟାକ୍ ଟୁ ବ୍ୟାକ୍ ଟି-ଟ୍ୱେଣ୍ଟି ବିଶ୍ୱକପ ବିଜେତା ଟିମ୍ ଇଣ୍ଡିଆକୁ ସିରିଜ ହରାଇଛି । ଭାରତ ଆଇସିସି ଟି-ଟ୍ୱେଣ୍ଟି ରାଙ୍କିଂରେ ପ୍ରଥମ ସ୍ଥାନରେ ରହିଛି । ଦୁଇ ବ୍ୟାଟର ଟି-ଟ୍ୱେଣ୍ଟି ରାଙ୍କିଂରେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଆୟର୍ଲାଣ୍ଡର କୌଣସି ବ୍ୟାଟର ଟପ୍ ୫୦ରେ ବି ନାହାନ୍ତି ।
. ଅଭିଷେକ ଶର୍ମା ୨୦୨୬ରେ ନବମ ଥର ଶୂନରେ ଆଉଟ୍ ହୋଇଛନ୍ତି । ଗୋଟିଏ କ୍ୟାଲେଣ୍ଡର ଇୟରରେ ସର୍ବାଧିକ ଥର ଟି-ଟ୍ୱେଣ୍ଟିରେ ଶୂନରେ ଆଉଟ୍ ହୋଇଥିବା ଖେଳିଳା ତାଲିକାରେ ସଯୁକ୍ତ ରୂପରେ ପ୍ରଥମ ସ୍ଥାନରେ ରହିଛନ୍ତି । ରାସିଦ ଖାନ ୨୦୧୯ରେ ଏବଂ ଶାଦବ ଖାନ ୨୦୨୪ରେ ୦ରେ ଆଉଟ୍ ହୋଇଥିଲେ ।
. ୭ ବର୍ଷ ହେଲା କୌଣସି ଟିମ୍ ଟି-ଟ୍ୱେଣ୍ଟି ସିରିଜରେ ଭାରତକୁ ହ୍ୱାଉଟ୍ ୱାସ୍ କରିନାହିଁ । ଅତି କମରେ ୨ଟି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତର ଶେଷ ହ୍ୱାଉଟୱାସ୍ ୨୦୧୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ହୋଇଥିଲା । ଟି-ଟ୍ୱେଣ୍ଟି କ୍ରିକେଟରେ ଏହା ଚତୁର୍ଥ ଥର ଯେ, ଟିମ୍ ଇଣ୍ଡିଆ କ୍ଲିନ୍ ସୁଇପ୍ ହୋଇଛି ।
. ଭାରତର ଏହା ତୃତୀୟ ଟି-ଟ୍ୱେଣ୍ଟି ସିରିଜ ପରାଜୟ । ଶ୍ରେୟସ ଆୟରଙ୍କ ଅଧିନାକତ୍ୱ ପୂର୍ବରୁ ୨୦୨୩ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଏବଂ ୨୦୨୧ରେ ଶିଖର ଧାୱନଙ୍କ ନେତ୍ୱତରେ ଏମିତି ଘଟିଥିଲା ।
. ଶ୍ରେୟ ଆୟର ୨୦୨୬ ମସିହାରେ ଏମଏସ୍ ଧୋନି (୨୦୦୯ ଏବଂ ୨୦୧୫ ) ଏବଂ ବିରାଟ କୋହଲି (୨୦୨୯)ଙ୍କ ପରେ ତୃତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି ଯିଏ ଟି-ଟ୍ୱେଣ୍ଟି ସିରିଜରେ ଅତିକମରେ ଗୋଟିଏ ମ୍ୟାଚ୍ ଜିତିନାହାନ୍ତି ।
.ଆୟରଙ୍କ ନେତୃତ୍ୱରେ ଭାରତ ଲଗାତାର ୧୬ଟି ଟି-ଟ୍ୱେଣ୍ଟି ସିରିଜ ବିଜୟର ଧାରାବାହିକକୁ ଶେଷ କରିଛି । ଏହା କୌଣସି ପୂର୍ଣ୍ଣ ସଦସ୍ୟ ଦଳ ଦ୍ୱାରା ସର୍ବାଧିକ ସିରିଜ ବିଜୟ । ପାକିସ୍ତାନ ୧୧ଟି ସିରିଜ ବିଜୟ ସହିତ ଦ୍ୱିତୀୟ ସ୍ଥାନରେ ଅଛି ।
ଏହା ବି ପଢନ୍ତୁ...ଆୟର୍ଲାଣ୍ଡଠାରୁ ୦-୨ରେ ସିରିଜ୍ ହାରିଲା ଭାରତ
ମ୍ୟାଚ୍ ବାବଦରେ କହିବାକୁ ଗଲେ, ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୮/୧୫୪ରନ୍ କରିଥିଲା । ଜବାବରେ ଭାରତ ୯ ୱିକେଟ୍ ବିନିମୟରେ ୧୫୩ରନ୍ କରିବାକୁ ସକ୍ଷମ ହୋଇଥିଲା । ଭାରତ ବିପକ୍ଷରେ ଆୟର୍ଲାଣ୍ଡର ଏହା ପ୍ରଥମ ସିରିଜ ବିଜୟ । ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଭାରତ । ବ୍ୟାଟିଂ ଆମନ୍ତ୍ରଣ ପାଇ ଆୟର୍ଲାଣ୍ଡ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ପ୍ରଥମ ୱିକେଟର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ହ୍ୟାରୀ ଟେକ୍ସର ୫୩ (୫ଚୌକା, ୧ଛକା) ଓ ବେନ୍ କାଲିଜ ୩୭ (୩ଚୌକା, ୨ଛକା) ରନ୍ ଯୋଗ କରିବା ଫଳରେ ଦଳୀୟ ସ୍କୋର ୮/୧୫୪ରେ ପହଞ୍ଚିଥିଲା । ଭାରତ ପକ୍ଷରୁ ପ୍ରିନ୍ସ ଯାଦବ ୩ଟି, ଅର୍ଶଦୀପ ସିଂହ ଓ ଶିବମ ଦୁବେ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ୧୫୫ରନ୍ ବିଜୟ ଲକ୍ଷ୍ୟର ପିଛା କରି ଭାରତ ୩୫ରନ୍ରେ ୪ଟି ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା । ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଖାତା ଖୋଲି ପାରିନଥିଲେ । ଇଶାନ କିଷନ (୧୨), ଶ୍ରେୟାସ ଆୟର (୧୦) ମଧ୍ୟ ବିଫଳ ହୋଇଥିଲେ ।
ବର୍ଷା ଯୋଗୁ କିଛି ସମୟ ମ୍ୟାଚ୍ ଅଟକିଥିଲା । ଏହାପରେ ତିଳକ ବର୍ମା ଓ ଅକ୍ଷର ପଟେଲ ସ୍କୋରକୁ ୭୪ରେ ପହଞ୍ଚାଇଥିଲେ । ଅକ୍ଷର ୧୪ରନ୍ କରି ବିଦାୟ ନେଇଥିଲେ । ଅଲରାଉଣ୍ଡର ଦୁବେ ୨ଚୌକା ବଳରେ ୨୦ରନ୍ କରିଥିଲେ । ତିଳକ ଅର୍ଦ୍ଧଶତକ ପୂରଣ କରିବା ପରେ ଆଉଟ୍ ହୋଇଥିଲେ । ସେ ୫୫ (୩ଚୌକା, ୧ଛକା) ରନ୍ କରିଥିଲେ । ନିମ୍ନଭାଗରେ ହର୍ଷିତ ରାଣା ୧୦ବଲ୍ରେ ଦ୍ରୁତ ୨୧ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ । ଆୟର୍ଲାଣ୍ଡ ପକ୍ଷରୁ ଜୟ ମୁଣ୍ଡ୍ରା ଓ ମ୍ୟାଟ୍ ହଲାର୍ଡ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।