ପୁରୀ,୨୯/୦୬: ମହାପ୍ରଭୁଙ୍କ ମାନବୀୟ ଲୀଳା ଅନନ୍ୟ । ଆମ ଜଗନ୍ନାଥ ସଂସ୍କୃତି ବିଶ୍ୱରେ ଆଦରଣୀୟ । ଏହାର ଚେର ଯଥେଷ୍ଟ ଗଭୀର ତଥା ବିଶ୍ୱବ୍ୟାପି । ନବକଳେବର ଯେବେଠାରୁ ଠାକୁରଙ୍କ ମାନବୀୟ ଲୀଳା ସେବେଠାରୁ । ମନୁଷ୍ୟର ଯାହା ସବୁ କାର୍ଯ୍ୟ ତାହା ଠାକୁରଙ୍କ ନୀତିରେ ସ୍ପଷ୍ଟ । ଠାକୁରଙ୍କ ବିବାହ ବିଧି ସରିଥିଲା । ଚତୁର୍ଥୀ ହୋମ ସମ୍ପନ୍ନ ହେଲା । ଆଜି ଠାକୁରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିବେ । ଏହି ଅବସରରେ ମନେ ପଡ଼ିବ ଜନ୍ମବେଦି । ଏଣୁ ରଥଯାତ୍ରା ଅବସରରେ ଜନ୍ମବେଦି ଯାତ୍ରାକରି ୭ ଦିନର ଅବସ୍ଥାନ । ସ୍ନାନପୂର୍ଣ୍ଣିମାର ବିଧି ହେଉଛି ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରାର ପ୍ରାକ୍ ପ୍ରସ୍ତୁତି ।

ଜ୍ୟେଷ୍ଠ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଆବିର୍ଭାବ

ଜ୍ୟେଷ୍ଠପୂର୍ଣ୍ଣିମା ଦିନଟି ହେଉଛି ମହାପ୍ରଭୁଙ୍କ ଆବିର୍ଭାବ ତଥା ପବିତ୍ର ଜନ୍ମ ଦିବସ । ଏକଥା ସ୍ୱୟଂ ମହାପ୍ରଭୁ କହିଛନ୍ତି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ । ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡରେ ଏହା ବର୍ଣ୍ଣିତ ହୋଇଛି । ଜ୍ୟେଷ୍ଠ ପୂର୍ଣ୍ଣିମାକୁ ଠାକୁରଙ୍କ ପବିତ୍ର ଜନ୍ମ ଦିବସ ଭାବେ ଇନ୍ଦ୍ର ନୀଳମଣି ପୁରାଣରେ ବର୍ଣ୍ଣିତ ହୋଇଛି । ବାମଦେବ ସଂହିତାରେ ମଧ୍ୟ ଏହି ଦିବସରେ ଦାରୁବିଗ୍ରହଙ୍କ ରୂପରେ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ହୋଇଥିବା ବର୍ଣ୍ଣନା ରହିଛି । ଏଣୁ ରାଜା ଇନ୍ଦ୍ରଦ୍ୟୁମ୍ନ ଭଗବତ୍ ନିର୍ଦ୍ଦେଶକ୍ରମେ ଏହି ଦିନରେ ଚନ୍ଦନ ମିଶ୍ରିତ ସୁନାକୂଅର ଜଳରେ ଠାକୁରଙ୍କ ସ୍ନାନ କରାଇଛନ୍ତି । ନୀଳାଦ୍ରି ମହୋଦୟରେ ଏହି ବିବରଣୀ ରହିଛି ।

ଶ୍ରୀଜୀଉଙ୍କ ଗଜାନନ ବେଶ

ଶ୍ରୀ ବଳଭଦ୍ରଙ୍କ ଧଳାରଙ୍ଗ ଓ ଶ୍ରୀଜଗନ୍ନାଥଙ୍କ କଳାରଂଗର ଗଜାନନ ବେଶ ପ୍ରସ୍ତୁତ ହୋଇଛି । ଠାକୁରଙ୍କ ପାଇଁ ତରାସ, କିଆଫଳି, ଚନ୍ଦ୍ରସୂର୍ଯ୍ୟ, ଛତି, କାନ, ଚିତା, ଥୋଡ଼ହସ୍ତ, ଅଧର, ତୋରଣା ଓ ଗଜଖୁମ୍ୱ ତିଆରି ହୋଇଛି । ଦେବୀ ସୁଭଦ୍ରା ତଡ଼କୀ, ନାକୁଆସୀ, ତରାସ, ଛତି ଓ ଚୂଳ,ଚିତା ଆଦି ଲାଗି ହେବେ । ଶ୍ରୀସୁଦର୍ଶନଙ୍କ ପାଇଁ ସବୁଜ ରଙ୍ଗର ଚକ୍ର, ଚୂଳ ଓ ଓଲାର ତିଆରି କରାଯାଇଛି । ଏକ ସୁନ୍ଦର କାହାଣୀ ଅଛି ମହାପ୍ରଭୁଙ୍କ ହାତୀବେଶ ନେଇ । ମହାରାଷ୍ଟ୍ରର ଗଣପତି ଭଟ୍ଟ ଗଣେଶଙ୍କର ପରମଭକ୍ତ ଥିଲେ । ଶ୍ରୀ ଭଟ୍ଟ ଥରେ ପୁରୀ ଆସିଥିଲେ । ତାଙ୍କର ପାଣ୍ଡିତ୍ୟ ଓ ବାଗ୍ମିତା ପାଇଁ ରାଜା ତାଙ୍କୁ ସମ୍ମାନିତ କରବାସହ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଅନୁରୋଧ କରିଥିଲେ । ଶ୍ରୀ ଭଟ୍ଟ ସ୍ନାନବେଦିରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ହେଲେ ସେଥିରେ ଗଣେଶଙ୍କ ରୂପ ଲାବଣ୍ୟ ନଦେଖି ଦୁଃଖରେ ବାହୁଡ଼ି ଗଲେ । ବାଟରେ ଶୂନ୍ୟବାଣୀ ହେଲା । ଏହା ଶୁଣି ଶ୍ରୀ ଭଟ୍ଟ ଆଉଥରେ ଶ୍ରୀମନ୍ଦିର ଆସି ଦେଖିବାବେଳକୁ ଶ୍ରୀଜଗନ୍ନାଥ ତାଙ୍କୁ ତାଙ୍କ ଆରାଧ୍ୟଦେବତା ଗଜାନନଙ୍କ ବେଶରେ ଦୃଶ୍ୟମାନ ହେଲେ । ସେବେଠାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶ ହେଉଥିବା କୁହାଯାଉଛି । ଆଉ କିଛି ବୁଦ୍ଧିଜୀବୀ କୁହନ୍ତି ୧୦୮ କଳସ ଜଳ ସ୍ନାନ ପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ରଙ୍ଗ ଛାଡ଼ି ଯାଏ । ରଙ୍ଗଛଡ଼ା ଶ୍ରୀଅଙ୍ଗଙ୍କୁ ଚାରିଆଡୁ ଆବୃତ କରିବା ପାଇଁ ଠାକୁରଙ୍କ ଗଜାନନ ବେଶ।

କଳାହାଟ ଦ୍ୱାର ନିକଟରେ ତିଆରି ହେବ ‘ଅଣସର ଗୃହ’

ଶ୍ରୀମନ୍ଦିର ଗର୍ଭଗୃହ ସମ୍ମୁଖ କଳାହାଟ ଦ୍ୱାର ନିକଟରେ ତିଆରି ହେବ ‘ଅଣସର ଗୃହ’ । ଏହି କାମକୁ ବଳଭଦ୍ରଙ୍କ ବାଡ଼ର ବିଶ୍ୱକର୍ମାମାନେ କରିଥାନ୍ତିି । ଶ୍ରୀମନ୍ଦିର ଭିତରେ କୋଠ ସୁଆଁସିଆ ସେବକମାନେ ବିଶ୍ୱକର୍ମାମାନଙ୍କ ସହିତ ଉପସ୍ଥିତ ରହିଥିବେ । କୋଠ ସୁଆଁସିଆମାନେ ତାଟି ବାନ୍ଧି ବିଶ୍ୱକର୍ମାମାନଙ୍କୁ ଗୃହ ନିର୍ମାଣରେ ସାହାଯ୍ୟ କରିଥାନ୍ତି । ସ୍ନାନ ଯାତ୍ରାପରେ ଅଣସର ଘରେ ମହାପ୍ରଭୁଙ୍କ ଅନବସର ନୀତି ଅନୁଷ୍ଠିତ ହେବ ।

ଅଧିକ ପଢ଼ନ୍ତୁ :-  Snana Yatra : ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ସାରା ଜଗତର କଲ୍ୟାଣ ପାଇଁ କଲେ ପ୍ରାର୍ଥନା