ନୂଆଦିଲ୍ଲୀ, ୯।୩: ଆଇସିସି ମେନ୍ସ ଟି-୨୦ ବିଶ୍ୱକପ୍ ୨୦୨୬ର ଟାଇଟଲ୍ ଜିତି ଇତିହାସ ରଚିଛି ଭାରତୀୟ ଦଳ । ବିଶ୍ୱ ବିଜୟୀ ହେବାର କିଛି ଘଣ୍ଟା ମଧ୍ୟରେ ଅହମ୍ମଦାବାଦରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ଆଇସିସି ଅଧ୍ୟକ୍ଷ ଜୟ ଶାହା ବିଶ୍ୱକପ୍ ଟ୍ରଫି ଧରି ହନୁମାନ ମନ୍ଦିରରେ ପହଞ୍ଚିଛନ୍ତି । ମ୍ୟାଚ୍ ପରେ ସମସ୍ତ ଆନୁଷ୍ଠାନିକତା ଶେଷ କରି ଭାରତୀୟ ଦଳର ସଦସ୍ୟମାନେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ନିକଟରେ ଥିବା 'ହନୁମାନ ଟେକ୍ରି' ମନ୍ଦିରକୁ ପାଦରେ ଚାଲି ଚାଲି ଯାଇଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଜୟ ଶାହା ଏବଂ ସୂର୍ଯ୍ୟକୁମାର ଯାଦବ ଶ୍ରଦ୍ଧାର ସହ ଟ୍ରଫି ଧରି ହନୁମାନଜୀଙ୍କ ଦର୍ଶନ ପାଇଁ ଯାଉଛନ୍ତି । ଏହି ଐତିହାସିକ ବିଜୟ ପାଇଁ ସେମାନେ ପ୍ରଭୁଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରିଛନ୍ତି ।
#WATCH | Gujarat | Team India Skipper Surya Kumar Yadav, offered prayers at the Hanuman Temple in Ahmedabad after winning the #icct20worldcup2026 pic.twitter.com/QoCBEa6vPm
— ANI (@ANI) March 8, 2026
ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ମାତ୍:
ଗତ ରବିବାର ଖେଳାଯାଇଥିବା ହାଇଭୋଲଟେଜ୍ ଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି । ୨୦ ଓଭରରେ ୨୫୫ ରନ୍ କରି ଏକ ବିଶାଳ ସ୍କୋର କରିଛି ଭାରତ । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ନ୍ୟୁଜିଲ୍ୟାଣ୍ଡ ମାତ୍ର ୧୫୯ ରନ୍ରେ ସୀମିତ ରହିଥିଲା । ଏହି ବିଜୟ ସହ ଭାରତ କେବଳ ନିଜର ଟାଇଟଲ୍ ବଜାୟ ରଖିନାହିଁ, ବରଂ ଆୟୋଜକ ଦେଶ ଭାବେ ଟି-୨୦ ବିଶ୍ୱକପ୍ ଜିତିବାରେ ପ୍ରଥମ ଦେଶ ହେବାର ଗୌରବ ଅର୍ଜନ କରିଛି । ୨୦୨୪ରୁ ୨୦୨୬ ମଧ୍ୟରେ ଭାରତର ଏହା କ୍ରମାଗତ ତୃତୀୟ ଆଇସିସି ଟାଇଟଲ୍, ଯାହା ଭାରତୀୟ କ୍ରିକେଟର ଗୋଲଡେନ୍ ପିରିୟଡ୍କୁ ଦର୍ଶାଉଛି ।
ବିଜୟ ପରେ କ’ଣ କହିଲେ ସୂର୍ଯ୍ୟକୁମାର ?
ଟିମ୍ ଇଣ୍ଡିଆର ଚମତ୍କାର ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହି ବିଜୟ ପଛର ସବୁଠାରୁ ବଡ଼ କାରଣ ପ୍ରକାଶ କରି ସେ କହିଛନ୍ତି ଯେ, ଜଣେ ନେତା ଭାବରେ ନିଜ ଖେଳାଳିଙ୍କ ଦକ୍ଷତାକୁ ବୁଝିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ମ୍ୟାଚ୍ ଶେଷରେ ସୂର୍ଯ୍ୟକୁମାର କହିଛନ୍ତି ଯେ, "ମୁଁ ଜାଣିଥିଲି ମୋ ଦଳର ପ୍ରତ୍ୟେକ ଖେଳାଳିଙ୍କ ପାଖରେ ମ୍ୟାଚ୍ ଜିତାଇବାର ଅଦ୍ଭୁତ କ୍ଷମତା ରହିଛି । ବିଶେଷ କରି ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମାଙ୍କ ଉପରେ ମୋର ଆରମ୍ଭରୁ ଭରସା ଥିଲା ।"କ୍ୟାପଟେନ୍ ଆହୁରି ମଧ୍ୟ କହିଛନ୍ତି ସଞ୍ଜୁ ଏବଂ ଅଭିଷେକ ଜଣେ ଜଣେ ଶ୍ରେଷ୍ଠ ଖେଳାଳି । ଫାଇନାଲ୍ ଭଳି ଏକ ବଡ଼ ମଞ୍ଚରେ ସେମାନେ ନିଶ୍ଚୟ କିଛି ଖାସ୍ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ ଥିଲା । ଖେଳାଳିଙ୍କୁ ସ୍ୱାଧୀନତା ଦେଲେ ସେମାନେ ସର୍ବୋତ୍ତମ ପ୍ରଦର୍ଶନ କରନ୍ତି ।
ଆହୁରି ପଢ଼ନ୍ତୁ... ଇତିହାସ ରଚିଲା ଭାରତ, ଲଗାତାର ଦ୍ୱିତୀୟ ଥର ଟି-୨୦ ବିଶ୍ୱ ଚାମ୍ପିଅନ୍: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ