ନୂଆଦିଳ୍ଲୀ,୬।୧:  ଅଷ୍ଟ୍ରେଲିଆରେ ଫସିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି। ସିଡନୀ ଟେଷ୍ଟ ୫ ଦିନ ବଦଳରେ ୩ ଦିନରେ  ସରିବା ପରେ ଘରକୁ ଫେରିବାକୁ ହେଉଛି ବିଳମ୍ବ। ୭ ଜାନୁଆରୀରେ ଖେଳ ସରିବା ପରେ ୮ ରେ ଭାରତ ଫେରିଥାନ୍ତା ଟିମ୍ ଇଣ୍ଡିଆ। କିନ୍ତୁ ମ୍ୟାଚ୍ ୨ ଦିନ ପୂର୍ବରୁ ସରିବା କାରଣରୁ ଟିମ୍ ଏବେ ଅଷ୍ଟ୍ରେଲିଆରେ ଅଛି। ଶୀଘ୍ର  ଫେରିବାକୁ ଏବେ ଟିକେଟ ମିଳୁନି।

ଶେଷ ହୋଇଛି ୨୦୨୪-୨୫ ବର୍ଡର-ଗାଭାସ୍କର ଟ୍ରଫି। ୫ଟି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ୩-୧ ରେ ହାରିଛି ଭାରତ। ଏହା ସହିତ ଟ୍ରଫିକୁ ଗତ ୭ ବର୍ଷ ଧରି ନିଜ ପାଖରେ ରଖିଥିବା ଭାରତକୁ ଲାଗିଛି ବଡ଼ ଝଟକା। ଅଷ୍ଟ୍ରେଲିଆ ହାତକୁ ଚାଲି ଯାଇଛି ଏହି ଟ୍ରଫି। ୫ ଦିନିଆ ସିଡନୀ ଟେଷ୍ଟ ସିରିଜ୍‌ ୩ ଦିନରେ ସରିଛି। ତେଣୁ ଭାରତର ଖେଳାଳି ଭାରତ ଫେରିବାକୁ ଚାହୁଁଛନ୍ତି। ହେଲେ ଆସିବାକୁ ମିଳୁନି ଟିକେଟ। କାରଣ ୭ ରେ ଖେଳ ସରିଥିଲେ ଟିମ୍‌ ୮ ରେ ଫେରିଥାନ୍ତା। ଖେଳ ଆଗୁଆ ସରିବା କାରଣରୁ ସେଠାରେ ଫସି ରହିଛି ଟିମ୍। ବିସିସିଆଇ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ଫେରିବା ନେଇ ଟିକେଟର ବ୍ୟବସ୍ଥା କରୁଛି। ଯେତେ ଶୀଘ୍ର ଟିକେଟ ମିଳିବ ଖେଳାଳିମାନେ ସ୍ବଦେଶ ଫେରିବେ। 

ଟିମ୍ ଇଣ୍ଡିଆ ଆଗକୁ ଘରକୁ ଫେରିବାକୁ ଚାହୁଁଛି। ତେବେ ତୁରନ୍ତ ଟିକେଟ ନମିଳିବା ତାଙ୍କ ପାଇଁ ସାମାନ୍ୟ ଅଡୁଆ ସୃଷ୍ଟି କରିଛି। ମ୍ୟାଚ୍ ଜଲଦି ସରିବା କାରଣରୁ କିଛି ଖେଳାଳି ସେଠାରୁ ଫେରିପାରନ୍ତି। ତେବେ ଏହା ନିର୍ଭର କରେ ତାଙ୍କୁ ଟିକେଟ କେବେ ମିଳୁଛି। ଯଦି ପୂର୍ବ ରେକର୍ଡ ଦେଖାଯାଏ ତେବେ ୨୦୧୪-୧୫ରେ ଅଷ୍ଟ୍ରେଲିଆ ଜିତିଥିଲା ବର୍ଡର-ଗାଭାସ୍କର ଟ୍ରଫି। ଏହାପରେ ୨୦୧୬-୧୭, ୨୦୧୮-୧୯, ୨୦୨୦-୨୧, ୨୦୨୨-୨୩ ବର୍ଡର-ଗାଭାସ୍କର ଟ୍ରଫି ଜିତିଥିଲା ଭାରତ। ସେଥିରୁ ୨୦୧୮-୧୯ ଓ ୨୦୨୦-୨୧ ବର୍ଡର-ଗାଭାସ୍କର ଟ୍ରଫି ଅଷ୍ଟ୍ରେଲିଆରେ ଖେଳା ଯାଇଥିଲା। ହେଲେ  ୨୦୨୪-୨୫ ରେ ଖେଳାଯାଇଥିବା ଏହି ଟ୍ରଫିରେ ଭାରତ ପୂର୍ବ ବର୍ଷ ଭଳି ଥର ଦେଖାଇ ପାରିନି ନିଜର ପ୍ରଭାବ।