ବିଶାଖାପାଟନମ୍,୦୬/୧୨: ଭାରତ ତୃତୀୟ ଦିନିିକିଆ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟ୍ରେ ପରାସ୍ତ କରିଛି। ଯଶସ୍ୱୀ ଜୟସ୍ୱାଲ ତାଙ୍କର ପ୍ରଥମ ଶତକ ହାସଲ କରିଥିବା ବେଳେ ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ମ୍ୟାଚ୍ ଜିତି ଭାରତୀୟ ଦଳ ସିରିଜ୍ରେ ୨-୧ରେ ଆଗୁଆ ହୋଇଛି। ବିଶାଖାପାଟଣାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୨୭୦ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଜବାବରେ, ଟିମ୍ ଇଣ୍ଡିଆ ୬୧ ବଲ୍ ବାକି ଥାଇ ୯ ୱିକେଟ୍ରେ ମ୍ୟାଚ୍ ଜିତି ନେଇଛି।
୨୭୧ ରନର ଟାର୍ଗେଟକୁ ପିଛା କରି ମଇଦାନକୁ ଓହ୍ଲାଇଥିଲେ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ୱାଲ। ସିରିଜର ପୂର୍ବ ଦୁଇଟି ମ୍ୟାଚରେ ଜୟସ୍ୱାଲ ମାତ୍ର ୪୦ ରନ କରିଥିଲେ। ଚାପରେ ସେ ୭୫ ବଲରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ରୋହିତ ଶର୍ମାଙ୍କ ସହିତ ୧୫୫ ରନର ଓପନିଂ ପାର୍ଟନରସିପ୍ କରିଥିଲେ। ଜୟସ୍ୱାଲ ଏହି ମ୍ୟାଚରେ ୧୨୧ ବଲରେ ୧୧୬ ରନ କରି ଅପରାଜିତ ରହିଥିଲେ। ଏହି ଇନିଂସରେ ସେ ୧୨ ଚୌକା ଏବଂ ଦୁଇଟି ଛକା ମାରିଥିଲେ। ଜୟସ୍ୱାଲ ଏବେ ତିନୋଟି ଫର୍ମାଟରେ ଶତକ ହାସଲ କରିଥିବା ଷଷ୍ଠ ଭାରତୀୟ ବ୍ୟାଟର ହୋଇଛନ୍ତି।
ରୋହିତ-କୋହଲିଙ୍କ ଦମଦାର ପ୍ରଦର୍ଶନ:
ରାଞ୍ଚିରେ ରୋହିତ ଶର୍ମା ୫୭ ରନ କରିଥିଲେ। ଦ୍ୱିତୀୟ ଦିନିକିଆରେ ସେ ଶୀଘ୍ର ଆଉଟ ହୋଇଥିଲେ, କିନ୍ତୁ ତୃତୀୟ ଦିନିକିଆରେ ସେ ୭୫ ରନ କରିଥିଲେ, ଯେଉଁଥିରେ ସାତ ଚୌକା ଏବଂ ତିନୋଟି ଛକା ସାମିଲ ଥିଲା। ଅନ୍ୟପକ୍ଷରେ ବିରାଟ କୋହଲି ପଡ଼ିଆକୁ ଆସିବା ମାତ୍ରେ ଦ୍ରୁତ ଗତିରେ ରନ କରିବା ଆରମ୍ଭ କରିଥିଲେ। ୪୫ ବଲ୍ ରେ ୬୫ ରନ କରିବା ପରେ ବିରାଟ ଅପରାଜିତ ରହିଥିଲେ। ଏହି ବିସ୍ଫୋରକ ଇନିଂସରେ ସେ ୬ ଚୌକା ଏବଂ ତିନୋଟି ଛକା ମାରିଥିଲେ। ଜୟସ୍ୱାଲ ଏବଂ କୋହଲି ୮୪ ବଲ୍ ରେ ୧୧୬ ରନର ପାର୍ଟନରସିପ୍ କରିଥିଲେ।
ଇତିହାସ ରଚିଲେ କୁଲଦିପ ଯାଦବ:
ପୂର୍ବରୁ କୁଲଦୀପ ଯାଦବ ତାଙ୍କ ବୋଲିଂରେ ଇତିହାସ ସୃଷ୍ଟି କରିଥିଲେ। ସେ ମ୍ୟାଚ୍ରେ ଚାରିଟି ୱିକେଟ୍ ନେଇଥିଲେ। ଦିନିିକିଆ କ୍ରିକେଟ୍ ଇତିହାସରେ ଭାରତୀୟ ବୋଲରଙ୍କ ମଧ୍ୟରେ ସର୍ବାଧିକ ଚାରିଟି ୱିକେଟ୍ ନେବାର ରେକର୍ଡ ତାଙ୍କ ନାଁରେ ଅଛି। ସେ ୧୧ ଥର ଚାରିଟି ୱିକେଟ୍ ନେଇଛନ୍ତି। କେବଳ ଅଜିତ୍ ଅଗରକର (୧୨ ଥର) ଏବଂ ମହମ୍ମଦ ଶାମି (୧୬ ଥର) ଏପରି ଅଧିକ ଥର କରିଛନ୍ତି। ପ୍ରସିଦ୍ଧ କୃଷ୍ଣ ମଧ୍ୟ ଆଜିର ମ୍ୟାଚ୍ରେ ଚାରିଟି ୱିକେଟ୍ ନେଇଥିଲେ।