ମୁଁ ଆରାବଳୀ…ଟିଭି ଆଉ ଖବର କାଗଜରେ ଏବେ ମତେ ନେଇ ବହୁ ଚର୍ଚ୍ଚା, ବହୁ ବାଦ ବିବାଦ…। ସକାଳର ଖବର କାଗଜରୁ ଆରମ୍ଭ ହେଉଛି ମୁଁ…ଆଉ ରାତି ହେଲେ ଟିଭି ପରଦାର ବିତର୍କରେ ବ୍ୟବଛେଦ ବି ହେଉଛି ମୁଁ… । ଦିନ ତମାମ ହୋହଲ୍ଲା…ଆରୋପ ପ୍ରତ୍ୟାରୋପ, ବିରୋଧ-ବିକ୍ଷୋଭ ଭିତରେ ଭାରି ଅଣନିଶ୍ବାସୀ ହୋଇପଡିଲିଣି ମୁଁ । ଦିନ ପରେ ରାତି...ରାତି ପରେ ଦିନ… ମୋ ପାଇଁ ସମୟ ଏକ ଅସରନ୍ତି ଅଭିଶାପରେ ପରିଣତ ହେବାକୁ ବସିଲାଣି। ସମୟ ଯେତିକି ଗଡୁଛି, ମତେ ନେଇ ବିବାଦ ସେତିକି ଉଗ୍ର ହେଉଛି। ମତେ ବଞ୍ଚାଇବା ଲାଗି କିଏ ଓକିଲାତି କଲାଣି ତ’ ଆଉ କିଏ ନୀତି ନିୟମର ଦ୍ବାହି ଦେଇ ଖସିଯିବାକୁ ବସିଲାଣି । ଆଉ ଏହାରି ଭିତରେ ମୁଁ ମୋ ସନ୍ତାନ ମାନଙ୍କ କଥା ହିଁ ଭାବୁଛି...

କାଲି ଯଦି ମୁଁ ନଥାଏ...କେମିତି ବଞ୍ଚିବେ ମୋ ସନ୍ତାନ ମାନେ ? କେମିତି ବଞ୍ଚିବ ଏ ଜୀବଜଗତ ? କେମିତି ବଞ୍ଚିବ ଏ ସୃଷ୍ଟି ? ମୋ ଆଗରେ ମୋ ସନ୍ତାନ ମାନଙ୍କର ଦୁର୍ଗତୀକୁ ମୁଁ ସହିବି କେମିତି ? ମୁଁ ମା ଭଳି ଛିଡା ହୋଇଥିଲି । ବିକାଶ ନାଁରେ ବିନାସ ଆଡକୁ ଯାଉନାହାଁନ୍ତି ତ ଏମାନେ ? ମୁଁ କେବଳ ପଥରର ଏକ ପାହାଡ ନୁହେଁ, ବରଂ ପ୍ରକୃତିର ଏକ ପ୍ରାଚୀର । ବିଶ୍ବର ସବୁଠାରୁ ପୁରୁଣା ଫୋଲ୍ଡ ମାଉଣ୍ଟେନ ମଧ୍ୟରେ ରହିଛି ମୁଁ । ବର୍ଷ ବର୍ଷ ଧରି ଅନେକ ଘଟଣା ଦୁର୍ଘଟଣା ଦେଖିଛି ମୁଁ । ଏବେ ପୁଣି ମଧ୍ୟ ପ୍ରାଚ୍ୟରେ ଯୁଦ୍ଧର ସ୍ଥିତି, ତୃତୀୟ ଯୁଦ୍ଧର ଆଶଙ୍କା । ଏତିକି ବେଳେ ବିଷ ପାଲଟୁଛି ପବନ । ପାଣିରେ ବିଷ, କଳକାରଖାନାର ବିଷ, କାୟା ମେଲାଇଲାଣି ପାଷ୍ଟିକ ବର୍ଜ୍ୟବସ୍ତୁ।

୨୫ଶହ ମିଲିୟନ ବର୍ଷ ପୂର୍ବରୁ ମୋର ଜନ୍ମ । ଗୁଜୁରାଟରୁ ଆରମ୍ଭ ହୋଇ ରାଜସ୍ଥାନ ଆଉ ହରିୟାଣାରୁ ଦିଲ୍ଲୀ ଯାଏଁ ଲମ୍ବିଛି ମୋ କୋଳ। ଥର ମରୁଭୁମିର ପ୍ରସାରକୁ ଅଟକାଏ ମୁଁ । ମୁଁ ନଥିଲେ ହରିୟାଣା, ଦିଲ୍ଲୀ ସମେତ ପୂର୍ବ ଅଂଚଳ ଆଜି ମରୁଭୁମି ହୋଇସାରନ୍ତାଣି। ମୋରି ବକ୍ଷୋଜରୁ ଝରୁଛନ୍ତି ବନସ ଏବଂ ସାବରମତି ଭଳି ନଦୀ । କେବଳ ସେତିକି ନୁହେଁ, ମୋ ଗର୍ଭରେ ମୁଁ ସାଇତି ରଖିଛି ତମ୍ବା, ସିସା ଏବଂ ଜିଙ୍କ ଭଳି ପ୍ରଚୁର ଖଣିଜ ସଂପଦ। କିନ୍ତୁ ଦୁଃଖର ବିଷୟ ବେଆଇନ୍ ଖଣି ଖନନ ଏବଂ ଜଙ୍ଗଲ କ୍ଷୟ ଯୋଗୁଁ ଆଜି ମୋ ଜୀବନ ସଙ୍କଟରେ ।

​​​​​​​

ଯଦି ଆଜି ମତେ ନବଞ୍ଚାଅ... କାଲି ତମେ ବଞ୍ଚିବ କେମିତି ? ବିଗିଡିଯିବ ପରିବେଶର ସନ୍ତୁଳନ । ମୁଁ ଏକ ପର୍ବତ ନୁହେଁ ବରଂ ତୁମ ଜୀବନର ନିଶ୍ୱାସ । ଅଜସ୍ର ଜୀବଜନ୍ତୁ ନିଶ୍ଚିହ୍ନ ହୋଇଯିବେ । ଅଗଣିତ ବୃକ୍ଷଲତା ଲୋପ ପାଇଯିବେ। ଦିଲ୍ଲୀ ସମେତ ଉତ୍ତର ଭାରତ ମରୁଭୂମି ପାଲଟିଯିବ ।ଚାଷ, ଜମିବାଡ଼ି ସବୁ ବାଲିଚର ହୋଇଯିବ । କଲବଲ ହେବେ ଚାଷୀ । ଧୀରେ ଧୀରେ ପଡ଼ିବ ଅନାହାର, ଦୁର୍ଭିକ୍ଷ । ବର୍ଷା ଜଳକୁ ଶୋଷି ମାଟିର ତଳ ସ୍ତରକୁ ନେଉଛି ମୁଁ । ଯଦି ମୁଁ ନଷ୍ଟ ହୁଏ ପାଣି ପାଇଁ ପଡିବ ହାହାକାର । ଏ ସତର୍କ ଜଳ ଜଳ ହୋଇ ସମସ୍ତଙ୍କୁ ଦେଖାଯାଉଛି, ହେଲେ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କୁ ଦେଖାଯାଉନି କିପରି ? ଆଜି ମୁଁ କାନ୍ଦୁଛି... କାଲି ତୁମେ ବି କାନ୍ଦିବ...