ଖୋର୍ଦ୍ଧା,୨୩\୭ : ପରିଣତ ବୟସରେ ବି ଫିଟ୍ ଖୋର୍ଦ୍ଧା ଉପଖଣ୍ଡ ଗୁଡୁମ ଗ୍ରାମର ଗଙ୍ଗାଧର ସାହୁ । ବୟସ ୭୫ ବର୍ଷ ପାର ହେଲାଣି ତଥାପି ଥକି ଯାଇ ନାହାଁନ୍ତି । ପରିବାର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ସତ୍ତେ୍ୱ ଘାରିଛି ସାଇକେଲ ଚଳାଇବା ନିଶା । ପ୍ରତ୍ୟେକ ଦିନ ଅତିକମ୍ ରେ ୧୫ କିଲୋମିଟର ସାଇକେଲରେ ଗଳି ଗଳି ବୁଲି କଞ୍ଚା ପନିପରିବା ବିକ୍ରି ସହ ଦୁଇ ଶହ ଟଙ୍କା ରୋଜଗାର କରନ୍ତି । ଖାଲି ସେତିକି ନୁହେଁ ଜମି ଚାଷବାସ ବି କରୁଛନ୍ତି । ଯେଉଁ ବୟସରେ ଗଙ୍ଗାଧର ପୁଅ, ବୋହୂ ଓ ନାତି ନାତୁଣୀଙ୍କ ସାଙ୍ଗରେ ବିଳାସପୂର୍ଣ୍ଣ ଜୀବନ ବିତାଇବା କଥା ସେ ବୟସରେ ଛୁଆଙ୍କ ରୋଜଗାର ଉପରେ ନିର୍ଭର ଅପେକ୍ଷା ନିଜେ ରୋଜଗାରକ୍ଷମ ହୋଇପାରିଛନ୍ତି ।
ସାଇକେଲ ଚଳାଇବା ବନ୍ଦ କରିଦେଲେ ରୋଗ ମାଡ଼ିବସିବ ବୋଲି, ନିୟମିତ ସାଇକେଲ ଚଳାଉଥିବା ଗଙ୍ଗାଧର ପ୍ରକାଶ କରିଛନ୍ତି । ନିୟମିତ ସାଇକେଲ ଚଳାଇବା ଦ୍ୱାରା ଏ ବୟସରେ ନିଜେ ଫିଟ୍ ଥିବା କହିଛନ୍ତି । ଗଙ୍ଗାଧରଙ୍କ ପରିବାର କହିଲେ ପତ୍ନୀ ଖଲିମଣୀ ସାହୁ ଏବଂ ଦୁଇ ପୁଅ ବୋହୂ, ନାତିନାତୁଣୀ ଓ ଦୁଇ ବିବାହିତ ଝିଅ । ଯୁବକ ବୟସରେ କଣ୍ଟାଛକରେ ଏକ ଛୋଟିଆ ଦୋକାନ କରି ନିଜ ପରିବାର ଭରଷପୋଷଣ କରୁଥିଲେ । ସ୍ୱଳ୍ପ ରୋଜଗାରରେ ଦୁଇ ଝିଅଙ୍କୁ ହାତକୁ ଦୁଇ ହାତ କରିଥିବାବେଳେ ଦୁଇ ପୁଅଙ୍କୁ ଉଚ୍ଚ ଶିକ୍ଷିତ କରାଇବାରେ ସକ୍ଷମ ହୋଇଥିଲେ । ପୁଅ ଦୁଇ ଜଣ ବଡ଼ହେବା ପରେ ରୋଜଗାର କରୁଥିବାରୁ ପରିବାର ଅଭାବ ଅନଟନ ଦୂର ହୋଇଯାଇଛି । ଗାଁରେ ସେ ଏବଂ ତାଙ୍କ ପତ୍ନୀ ରହୁଥିବାବେଳେ ଗାଁରେ ଭଲ ବିଦ୍ୟାଳୟ ନଥିବାରୁ ପୁଅ, ବୋହୂ ନାତୁଣୀ ସହରରେ ରହୁଛନ୍ତି । ବର୍ତ୍ତମାନ ନାତୁଣୀ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପାଠପଢୁଛନ୍ତି ।
ତେବେ ସମୟ କାଟିବାକୁ ପ୍ରତ୍ୟେକ ଦିନ ସକାଳୁ ନିତ୍ୟକର୍ମ ସାରିବା ପରେ ଗଙ୍ଗାଧର ବସ୍ ରେ ଖୋର୍ଦ୍ଧାକୁ ଆସୁଥିବା ପ୍ରକାଶ କରିଛନ୍ତି । ସହରରେ ପହଁଞ୍ଚିବା ପରେ ପୁଅ ଘରୁ ସାଇକେଲରେ ଗଳିକନ୍ଦିରେ ବୁଲି ଶାଗ, ସାରୁ, କଞ୍ଚାପରିବା ବିକ୍ରି କରୁଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ବରଂ ଘର ବାରିରୁ ଅମଳ କରୁଥିବା ସାରୁ ଓ ଶାଗକୁ ଆଣି ସହରରେ ବିକ୍ରି କରୁଥିବା ପ୍ରକାଶ କରିଛନ୍ତି । ଯେଉଁ ଦିନ ନିଜେ ଅମଳ କରୁଥିବା ଶାଗ, ସାରୁ ବିକ୍ରି କରନ୍ତି ଅତିକମ୍ ରେ ୫ଶହ ଟଙ୍କା ରୋଜକରୁଥିବା କହିଛନ୍ତି । ଯଦି ବାହାର ଚାଷୀଙ୍କଠାରୁ କ୍ଷୀର ଏବଂ କଞ୍ଚାପରିବା ଆଣି ବିକ୍ରି କରନ୍ତି ତାହା ହେଲେ ପ୍ରତ୍ୟେକ ଦିନ ଦୁଇ ଶହ ଟଙ୍କା ରୋଜଗାର ହୋଇଥାଏ । ଏହା ତାଙ୍କର ନିତିଦିନିଆ କାର୍ଯ୍ୟ । ସକାଳୁ ଉଠିବା ପରେ ଚା’ କପେ’ ଜଳଖିଆ ଖାଇବା ପରେ ଅତିକମ୍ ରେ ସାଇକେଲରେ ୧୫ କିଲୋମିଟିର ବୁଲି ବୁଲି ଦ୍ୱିପ୍ରହର ପର୍ଯ୍ୟନ୍ତ ବିକ୍ରି କରୁଥିବା କହିଛନ୍ତି ।
୧୯୯୮ ମସିହା ଠାରୁ ଏମିତି ସାଇକେଲରେ ବେପାର କରିଆସୁଥିବା ସତ୍ତେ୍ୱ ପରିଣତ ବୟସରେ କେବେ ଥକ୍କିଯାଇନଥିବା କହିଛନ୍ତି । ବରଂ ଘରେ ବସିଗଲେ ଏବଂ ସାଇକେଲ ଚଳାଇବା ବନ୍ଦ କରିଦେଲେ ରୋଗ ମାଡ଼ିବସିବା ଆଶଙ୍କାରେ ନିୟମିତ ସାଇକେଲ ଚଳାଇବା ଅଭ୍ୟାସ ଜାରି ରଖିଥିବା ସେ ପ୍ରକାଶ କରିଛନ୍ତି । ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଥିବା ସତ୍ତେ୍ୱ ଗଙ୍ଗାଧର ଏମିତି ସାଇକେଲ ଚଳାଇବା ନିଶା ଏବଂ କଠିନ କର୍ମମୟ ଜୀବନ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।