ନୂଆଦିଲ୍ଲୀ, ୬।୩: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ଥରହର ଇରାନ । ଯୁଦ୍ଧର ସପ୍ତମ ଦିନରେ ରାଜଧାନୀ ତେହେରାନ ସମେତ ବିଭିନ୍ନ ସହର ଉପରେ ଶକ୍ତିଶାଳୀ ଏୟାର ଷ୍ଟ୍ରାଇକ ହୋଇଛି । ଆଗାମୀ ସମୟରେ ଏହି ଆକ୍ରମଣ ଆହୁରି ଭୟଙ୍କର ହେବ ବୋଲି ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଚେତାବନୀ ଦେଇଛନ୍ତି । ଆମେରିକାର ସ୍ୱତନ୍ତ୍ର B-2 ଷ୍ଟେଲ୍‌ଥ୍ ବୋମାବର୍ଷୀ ବିମାନ ସାହାଯ୍ୟରେ ଇରାନର ମାଟି ତଳେ ଲୁଚି ରହିଥିବା ବାଲିଷ୍ଟିକ୍ ମିସାଇଲ୍ ଲଞ୍ଚରଗୁଡ଼ିକୁ ଧ୍ୱଂସ କରାଯାଇଛି । ଏଥିପାଇଁ ପ୍ରାୟ ୨୦ ହଜାର ପାଉଣ୍ଡ ଓଜନ ବିଶିଷ୍ଟ "ପେନିଟ୍ରେଟର" ବୋମା ବ୍ୟବହାର କରାଯାଇଛି । ତେହେରାନ ବିଶ୍ୱବିଦ୍ୟାଳୟ ନିକଟରେ ଥିବା ଏକ ମିଲିଟାରୀ ଏକାଡେମୀ ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି । ଏହି ସମୟରେ ଇରାନର ସରକାରୀ ଗଣମାଧ୍ୟମ ସେଠାରୁ ଲାଇଭ୍ ରିପୋର୍ଟିଂ କରୁଥିବା ବେଳେ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା ।

ଏହା ବି ପଢ଼ନ୍ତୁ... ​​​​​​​ଆମେରିକା ଓ ଇସ୍ରାଏଲର ଆକ୍ରମଣରେ ଇରାନରେ ମୃତ୍ୟୁ ବିଭୀଷିକା, ସାହାୟତା ପାଇଁ ହାତ ବଢ଼ାଇଲେନି ରୁଷ- ଚୀନ୍‌

ଇରାନ ସରକାରଙ୍କ ସୂଚନା ଅନୁଯାୟୀ, ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୧,୨୩୦ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ୟୁନିସେଫ୍ ଅନୁଯାୟୀ, ଏମାନଙ୍କ ମଧ୍ୟରେ ପାଖାପାଖି ୧୮୧ ଜଣ ଶିଶୁ ଅଛନ୍ତି । କେବଳ ସାମରିକ ଘାଟି ନୁହେଁ, ବରଂ ଜନବସତି ଅଞ୍ଚଳ, ପାର୍କିଂ ଲଟ୍ ଏବଂ ଗ୍ୟାସ୍ ଷ୍ଟେସନଗୁଡ଼ିକରେ ମଧ୍ୟ ବୋମାମାଡ଼ ହୋଇଥିବା ରିପୋର୍ଟ ମିଳିଛି । ଯୁଦ୍ଧର ପ୍ରଥମ ଦିନରେ ଦକ୍ଷିଣ ଇରାନର ମିନାବ୍‌ଠାରେ ଏକ ବାଳିକା ବିଦ୍ୟାଳୟ ଉପରେ ମିସାଇଲ୍ ମାଡ଼ ହୋଇଥିଲା, ଯେଉଁଥିରେ ପ୍ରାୟ ୧୭୫ ଜଣ ଛାତ୍ରୀ ପ୍ରାଣ ହରାଇଥିଲେ । ଏହି ଘଟଣାରେ ଆମେରିକାର ସମ୍ପୃକ୍ତି ଥିବା ନେଇ ତଦନ୍ତ ଜାରି ରହିଛି । ଆମେରିକା ପ୍ରତିରକ୍ଷା ସଚିବ କହିଛନ୍ତି ଯେ, ସେମାନେ ଏହି ଘଟଣାର ଯାଞ୍ଚ କରୁଛନ୍ତି, କିନ୍ତୁ କୌଣସି ଶିକ୍ଷାନୁଷ୍ଠାନକୁ ଜାଣିଶୁଣି ଟାର୍ଗେଟ୍ କରାଯାଇନାହିଁ ।

ଅନ୍ୟପଟେ ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ, ସେମାନେ ଇରାନ ଉପରେ ପ୍ରାୟ ୨୫୦୦ ରୁ ଅଧିକ ଏୟାର ଷ୍ଟ୍ରାଇକ କରିସାରିଛନ୍ତି । ଏହି ବୋମାମାଡ଼ରେ ଇରାନର ୮୦ ପ୍ରତିଶତ ବାୟୁ ପ୍ରତିରକ୍ଷା ପ୍ରଣାଳୀ  ସଂପୂର୍ଣ୍ଣ ଭାବେ ଛାରଖାର ହୋଇଯାଇଛି । ଫଳରେ ଇରାନ ଆକାଶରେ ଏବେ ଇସ୍ରାଏଲର ସଂପୂର୍ଣ୍ଣ ଆଧିପତ୍ୟ ଜାରି ରହିଛି । ଶନିବାର ଆମେରିକା-ଇସ୍ରାଏଲ୍‌ର ଏକ ମିସାଇଲ୍ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ଦେଶରେ ନେତୃତ୍ୱକୁ ନେଇ ସଙ୍କଟ ଦେଖାଦେଇଛି । ଖାମେନେଇଙ୍କ ପୁଅ ମୋଜତାବା ଖାମେନେଇ ପରବର୍ତ୍ତୀ ଶାସକ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିରେ ହସ୍ତକ୍ଷେପ କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ଇରାନର ପରବର୍ତ୍ତୀ ନେତା ଚୟନରେ ଆମେରିକା ସିଧାସଳଖ ଭୂମିକା ଗ୍ରହଣ କରିବ । ମୋଜତାବାଙ୍କୁ ଜଣେ ଅଗ୍ରହଣୀୟ ବିକଳ୍ପ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ।