ମସ୍କୋ,୦୬/୦୨: ଆମେରିକା ଓ ଇସ୍ରାଏଲ ବିରୋଧରେ ଯୁଦ୍ଧ ଲଢ଼ିବା ପାଇଁ ଇରନକୁ ତାର ଅତି ଘନିଷ୍ଠ ସହଯୋଗୀ ତଥା ଦୁଇ ଶକ୍ତିଶାଳୀ ରାଷ୍ଟ୍ର ରୁଷ କିମ୍ବା ଚୀନ୍ କୌଣସି ସହାୟତା ଦେଇନାହାନ୍ତି । ବର୍ତ୍ତମାନ ପରିସ୍ଥିତିରେ ଉଭୟ ଦେଶ ଇରାନ ନିକଟରୁ ଦୂରେଇ ରହିଛନ୍ତି । ଇରାନ ଉପରେ ଆକ୍ରମଣ ଓ ଏହାର ସର୍ବୋଚ୍ଚ ନେତା ଆୟତୋଲା ଅଲି ଖାମେନେଇଙ୍କୁ ହତ୍ୟା ଘଟଣାକୁ କେବଳ ସେମାନେ ନିନ୍ଦା କରିବା ସହ ଯୁଦ୍ଧ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି । ଉଭୟ ଦେଶ ସହ ଇରାନର ରଣନୀତିକ ସହଯୋଗ ରହିଛି । ଏପରିକି ନିକଟରେ ସେମାନେ ମିଳିତ ସମରାଭ୍ୟାସ କରିଥିଲେ । କିନ୍ତୁ ଇରାନର ବିପଦ ସମୟରେ ରୁଷ କିମ୍ବା ଚୀନ୍ କୌଣସି ସହାୟତା ଦେଇନାହାନ୍ତି ।
ରୁଷ କହିଛି ଯେ ଇରାନ ଯୁଦ୍ଧ ଲଢ଼ିବା ଲାଗି କୌଣସି ସାମରିକ ସହାୟତା କିମ୍ବା ଯୁଦ୍ଧାସ୍ତ୍ର ମାଗିନାହିଁ କିମ୍ବା ଏଥିପାଇଁ ଅନୁରୋଧ ମଧ୍ୟ କରିନାହିଁ । କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସ୍କୋଭ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ ଇରାନ ପ୍ରତି ରହିଥିବା ଆମର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବନାହିଁ । ଇରାନ ଆମର ରଣନୀତିକ ଭାଗିଦାରୀ, କିନ୍ତୁ ସାମରିକ ସହଯୋଗୀ ନୁହେଁ । ଗତବର୍ଷ ରୁଷ ଓ ଇରାନ ମିଳିତ ଭାବେ ଆଗାମୀ ୨୦ ବର୍ଷ ପାଇଁ ରଣନୀତିକ ସହଯୋଗ ଜାରି ରଖିବାକୁ ବୁଝାମଣା କରିଥିଲେ । ଏହି ବୁଝାମଣା ଅନୁସାରେ ଇରାନର ବୁଶହର ସହରରେ ଥିବା ପରମାଣୁ କେନ୍ଦ୍ରରେ ଦୁଇଟି ନୂଆ ୟୁନିଟ୍ର ନିର୍ମାଣ ମଧ୍ୟ ରୁଷ କରୁଥିଲା । ଏଥିରେ ରୁଷର ବୈଜ୍ଞାନିକ ଓ ପରମାଣୁ ବିଶେଷଜ୍ଞଙ୍କ ଟିମ୍ କାର୍ଯ୍ୟ କରୁଥିଲେ । ଏହି କାରଣରୁ ୟୁକ୍ରେନ ଯୁଦ୍ଧରେ ବ୍ୟବହାର କରିବା ଲାଗି ରୁଷକୁ ଇରାନ ସାହେଦ ଡ୍ରୋନ ଦେଇଥିଲା ।
ଅଧିକ ପଢ଼ନ୍ତୁ :- ‘ଆଗ ଇରାନକୁ ଶେଷ କରିବି, ତା’ପରେ...’ ଏହି ଦେଶକୁ ଧ୍ୱଂସ କରିବାକୁ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ !
ସେହିଭଳି ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୱି ତାଙ୍କ ଇସ୍ରାଏଲ ପ୍ରତିପକ୍ଷଙ୍କୁ ଫୋନ୍ କରି ଯୁଦ୍ଧ ବନ୍ଦ କରିବାକୁ କହିଛନ୍ତି । ଯୁଦ୍ଧ ଦ୍ୱାରା କୌଣସି ସମସ୍ୟାର ସମାଧାନ ହେବ ନାହିଁ ବୋଲି ସେ ଜଣାଇଛନ୍ତି । ତେଣୁ ଆଉ ଯୁଦ୍ଧକୁ ଆଗକୁ ନ ବଢ଼ାଇ ଆଲୋଚନା ମାଧ୍ୟମରେ ବିବାଦ ତୁଟାଇବାକୁ ସେ ଅନୁରୋଧ କରିଛନ୍ତି । କିନ୍ତୁ ଇରାନର ବିପଦ ବେଳେ ତାକୁ କୌଣସି ସହାୟତା ଦେବା କଥା ସେ କହିନାହାନ୍ତି । ୨୦୨୧ରେ ଚୀନ୍ ଓ ଇରାନ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ବଢ଼ାଇବାକୁ ୨୫ ବର୍ଷୀୟା ରାଜିନାମା ହୋଇଥିଲା । ଚୀନ୍ରେ ବେଲ୍ ଆଣ୍ଡ ରୋଡ୍ ଇନିସିଏଟିଭ୍ରେ ସାମିଲ ହେବାକୁ ଇରାନ ଆଗ୍ରହ ପ୍ରକାଶ କରିଥିଲା । ଚୀନ୍ର ରଣନୀତିକାର ଜୋଡି ୱେନ କହିଛନ୍ତି ଏହି ବୁଝାମଣା ରାଜନୈତିକ, ଆର୍ଥିକ ଓ ରଣନୀତିକ କ୍ଷେତ୍ର ପାଇଁ ଉଦିଷ୍ଟ ଥିଲା । କିନ୍ତୁ ସାମରିକ କ୍ଷେତ୍ରରେ ସହଯୋଗ ସୀମିତ ରହିଛି । ତା’ଛଡା ଅନ୍ୟ ଦେଶର ମାମଲାରେ ଚୀନ୍ ହସ୍ତକ୍ଷେପ କରିବା ଠିକ୍ ନୁହେଁ । ସେହି ଦୃଷ୍ଟିରୁ ଚୀନ୍ ସରକାର ଇରାନକୁ ସାମରିକ ସହାୟତା କିମ୍ବା ଯୁଦ୍ଧାସ୍ତ୍ର ପଠାଇବାର ମଧ୍ୟ ଯୁକ୍ତିଯୁକ୍ତ ନୁହେଁ ବୋଲି ସେ କହିଛନ୍ତି ।