ନୂଆଦିଲ୍ଲୀ ୧୦/୧୧: ଅଜଣା  ବ୍ୟକ୍ତିଙ୍କଠାରୁ କଲ୍‌ ଆସିଲେ ତାଙ୍କ ନାମ  ମୋବାଇଲ ସ୍କ୍ରିନରେ ଡିଫଲ୍ଟ ଭାବେ ଦେଖିବାକୁ ସକ୍ଷମ ହେବେ ୟୁଜର । ଏହି  ସୁବିଧା ଆଗକୁ ଲାଗୁ ହେବାକୁ ଯାଉଛି ।  ଏ ଦିଗରେ ଟେଲିକମ କମ୍ପାନିଗୁଡ଼ିକ କଲିଂ ନେମ୍‌ ପ୍ରେଜେନ୍‌ଟେସନ (ସିଏନ୍‌ଏପି)  ସେବା ହରିୟାଣା ଏବଂ ହିମାଚଳ  ପ୍ରଦେଶରେ ଆରମ୍ଭ କରିଛନ୍ତି । ବର୍ତ୍ତମାନ  ସ୍ପାମ୍‌ ଏବଂ ସ୍ପାମ୍‌ କଲ୍‌ ଯୋଗୁ ଲୋକଙ୍କ ଚିନ୍ତା ବଢ଼ିଛି । ଏଭଳି ଫିଚରଦ୍ୱାରା ୟୁଜର କଲ୍‌ କରୁଥିବା ବ୍ୟକ୍ତିଙ୍କୁ ସହଜରେ ଚିହ୍ନଟ କରିବା ସହ କାଟିପାରିବେ । 

ସାରା ଦେଶରେ ସିଏନ୍‌ଏପି ସେବା କାର୍ଯ୍ୟକାରୀ କରିବା ପୂର୍ବରୁ ପ୍ରୁଫ୍‌ ଅଫ୍‌  କନ୍‌ସେପ୍ଟ ଟ୍ରାଏଲ୍‌ ଆରମ୍ଭ କରିବାକୁ  ଟେଲିକମ୍‌ ବିଭାଗ (ଡିଓଟି) ଟେଲିକମ  ସେବା ଯୋଗାଣକାରୀ କମ୍ପାନି ଗୁଡ଼ିକୁ  ନିର୍ଦ୍ଦେଶ ଦେଇଛି । ଏହି ସିଷ୍ଟମ ଦ୍ୱାରା  କେବଳ ନମ୍ବର ନୁହେଁ ଇନକମିଂ କଲ୍‌  କରୁଥିବା ବ୍ୟକ୍ତିଙ୍କ ପଞ୍ଜୀକୃତ ନାମ  ଜଣାପଡ଼ିବ । ଫଳରେ ଜାଲ୍‌ ପଚିଚୟ କିମ୍ବା  ଅନ୍ୟ ସଂସ୍ଥାର ପ୍ରତିନିଧି କହି ଠକେଇ  ମାମଲା ହ୍ରାସ ହୋଇପାରିବ ।

ରିଲାଏନ୍ସ ଜିଓ, ଭୋଡାଫୋନ- ଆଇଡିଆ ଏବଂ ବିଏସ୍‌ଏନ୍‌ଏଲ୍‌ ଏହି  ସେବାକୁ ପରୀକ୍ଷଣ ଭିତ୍ତିରେ ହରିୟାଣା ସର୍କଲରେ କାର୍ଯ୍ୟକାରୀ କରିଛନ୍ତି ।  ଅନ୍ୟପଟେ ଭାରତୀ ଏୟାରଟେଲ ହିମାଚଳ  ପ୍ରଦେଶରେ ଏହାକୁ ପରୀକ୍ଷା କରୁଛି ।  ବର୍ତ୍ତମାନ ଏହି ସବୁ ସର୍କଲରେ ପଞ୍ଜୀକୃତ ମୋବାଇଲ ନମ୍ବର ଗୁଡ଼ିକର କଲ୍‌ରଙ୍କ ନାମ  ମୋବାଇଲ ସ୍କ୍ରିନରେ ଦେଖାଯିବ । 

ଉଦାହରଣ ସ୍ୱରୂପ ଯଦି ହିମାଚଳ କିମ୍ବା  ହରିୟାଣାର ସବ୍‌ସ୍କ୍ରାଇବର ଦେଶର ଅନ୍ୟ ପ୍ରାନ୍ତରେ ଥିବା କୌଣସି ବ୍ୟକ୍ତିଙ୍କୁ କଲ୍‌ କରନ୍ତି  ତାଙ୍କ ନାମ ସେଭ୍‌ ହୋଇ ନ ଥିଲେ ଫୋନ  ପାଉଥିବା ବ୍ୟକ୍ତିଙ୍କ ସ୍କ୍ରିନରେ ଦେଖାଯିବ । ମୋବାଇଲ ନମ୍ବର ନେବା ବେଳେ କଷ୍ଟମର  ଆକ୍ୱିଜିସନ ଫର୍ମରେ ପ୍ରଦାନ କରାଯାଉଥିବା  ଡାଟାକୁ ସିଏନ୍‌ଏପି ସିଷ୍ଟମ ବ୍ୟବହାର  କରିଥାଏ । ସମ୍ପୂର୍ଣ୍ଣ ଲାଗୁ ହେଲେ ଏହା ଡିଫଲ୍ଟ  ସର୍ଭିସ ହେବ । ବର୍ତ୍ତମାନ ଲ୍ୟାଣ୍ଡ୍‌ଲାଇନ ଏବଂ ୨ଜି ଭିତ୍ତିକ ଫିଚର ଫୋନକୁ ଏହି ସେବାରୁ  ବାଦ ଦିଆଯାଇଛି ।

ଡାଟା ସମ୍ପୂର୍ଣ୍ଣ ଭାବେ ଇଣ୍ଟିଗ୍ରେଟ  ହୋଇଯିବା ପରେ ଆଗକୁ ଲ୍ୟାଣ୍ଡ୍‌ ଲାଇନ  ୟୁଜର ମଧ୍ୟ ଏହି ସେବା ପାଇବେ ବୋଲି  ଟେଲିକମ ଶିଳ୍ପର ଜଣେ ବରିଷ୍ଠ ନିର୍ବାହୀ  କହିଛନ୍ତି । ତ୍ୱରିତ ଭାବେ ଏହି ସେବାକୁ  କାର୍ଯ୍ୟକାରୀ କରିବା ଲାଗି ଡିଓଟି ଟେଲିକମ୍‌  ଫାର୍ମ ଗୁଡ଼ିକୁ ପରାମର୍ଶ ଦେଇଛି । ୨୦୨୬  ମାର୍ଚ୍ଚ ଏପ୍ରିଲ ବେଳକୁ ସାରା ଦେଶରେ  ଏହା ଲାଗୁ ହୋଇପାରେ । ପରୀକ୍ଷଣର  ଫଳାଫଳ ଉପରେ ଏଭଳି ପଦକ୍ଷେପ  ଗ୍ରହଣ କରିବେ କମ୍ପାନି।

ତେବେ ଏହି ସେବାର ବ୍ୟାପକତାକୁ  ନେଇ ଏବେ ଆଶଙ୍କାରେ ରହିଛନ୍ତି ଟେଲିକମ  କମ୍ପାନି । କାରଣ ୨ଜି ନେଟୱର୍କରେ  ଟେକ୍ନୋଲୋଜି ଏତେଟା ଉନ୍ନତ ନୁହେଁ ।  ଏହି ପରୀକ୍ଷଣକୁ ନେଇ ଟେଲିକମ  କମ୍ପାନିଗୁଡ଼ିକ ଅଦ୍ୟାବଧି କୌଣସି  ଆନୁଷ୍ଠାନିକ ସ୍ପଷ୍ଟୀକରଣ ଜାରି କରିନାହାନ୍ତି ।