ଆଗ୍ରା : ୟୁପିର ଆାଗ୍ରାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଆଗ୍ରା-ଜଳେସର ମାର୍ଗରେ ଶନିବାର ସକାଳେ ଗାଁ ନଗଳା ଚନ୍ଦନ ନିକଟରେ, କଣ୍ଟେନରର ଧକ୍କାରେ ଦୁଇଟି ଅଟୋ ରିକ୍ସାରେ ବସିଥିବା ୬ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ପାଞ୍ଚ ଜଣ ଲୋକ ଆହତ ହୋଇଛନ୍ତି। ପାଞ୍ଚ ମୃତକ ହେଉଛନ୍ତି ସହପଉ (ହାଥରସ)ସ୍ଥିତ ଗାଁ ଧାଧଉ ନିବାସୀ। ସମସ୍ତେ ପରସ୍ପରର ବନ୍ଧୁ ଥିଲେ। ସେମାନେ ତୀର୍ଥ ଯାତ୍ରାରୁ ଫେରୁଥିଲେ। ଅନ୍ୟ ମୃତକ ଅଟୋ ଚାଳକ ଆଗ୍ରାର ଶାହଗଞ୍ଜ ଅଞ୍ଚଳରେ ରୁହନ୍ତି।
ଗାଁ ଧାଧଉ ନିବାସୀ ରାମଅବତାର, ରିଟାୟର ଦରୋଗା ବିଜୟ ସିଂହ, ରଣବୀର ଭଗତ , ବିଜୟ ଗୌତମ , ଧନ ପ୍ରସାଦ , ଲକ୍ଷ୍ମୀ ଚନ୍ଦ, ବିଲ୍ଲା ମିସ୍ତ୍ରୀ ଓ ଉଦୟବୀର ସିଂହ, ୨୦ ଜାନୁଆରୀରେ ଜଗନ୍ନାଥ ପୁରୀ ଯାଇଥିଲେ। ଶନିବାର ସକାଳେ ମହାକୌଶଳ ଏକ୍ସପ୍ରେସ୍ରେ ଆଗ୍ରା ଫେରୁଥିଲେ। ରାମଅବତାର ଆଗ୍ରା କ୍ୟାଣ୍ଟ ଷ୍ଟେସନରେ ଓହ୍ଲାଇ ନଥିଲେ। ଆଉ ସାତ ବନ୍ଦୁ ଆଗ୍ରାର କ୍ୟାଣ୍ଟରେ ଓହ୍ଲାଇ ଥିଲେ। ସେଠାରୁ ଅଟୋ କରି ରାମବାଗ ଆସି ଥିଲେ।
ଏହାସହ ମଧ୍ୟ ପଢନ୍ତୁ : ବ୍ରହ୍ମପୁରରେ ଛାତିଥରା ଦୁର୍ଘଟଣା : ୩ ବାଇକ୍ ଉପରେ ଚଢିଗଲା ଟ୍ରକ୍, ଚାଲିଗଲା ୫ ଜୀବନ, ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା ଘୋଷଣା
ରାମବାଗ ଅଟୋ ଯୋଗେ ଗାଁ ଯାଉଥିଲେ। ନଗଳା ଚନ୍ଦନ ନିକଟସ୍ଥ ଜଳେସର ଆଡ଼ୁ ଆସୁଥିବା କଣ୍ଟେନର ପ୍ରଥମେ ତାଙ୍କ ଅଟୋକୁ ଧକ୍କା ମାରି ଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, ଅଟୋ ଅତି ସାଂଘାତିକ ଭାବେ ଭାଙ୍ଗି ଯାଇ ଥିଲା। ସେଥିରେ ବସିଥିବା ଲୋକେ ଉପରକୁ ଉଠି ଯାଇ ରାସ୍ତାରେ ଏପଟେ ସେପଟେ ବିଛେଇ ହୋଇ ପଡ଼ିଥିଲେ।
ଏହି ଦୁର୍ଘଟଣା ପରେ ଫେରାର ହେବାର ପ୍ରୟାସରେ କଣ୍ଟେନର ଚାଳକ ଆଉ ଏକ ଅଟୋକୁ ମଧ୍ୟ ଧକ୍କା ଦେଇଥିଲା। ଏଥିରେ ସାତ ଜଣ ଲୋକ ବସିଥିଲେ। ରାସ୍ତାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଲୋକେ ଏପଟ ସେପଟ ପଡ଼ି ଥିଲେ। ଏହା ଦେଖି ପଥଚାରୀଙ୍କ ହୃଦୟ ଥରି ଯାଇ ଥିଲା। କାନ୍ଦ ଓ ଚିତ୍କାରରେ ପରିବେଶ ଫାଟି ପଡ଼ୁଥିଲା। ନିଶାସକ୍ତ କଣ୍ଟେନର ଚାଳକକୁ ଲୋକେ ଧରି ମାଡ଼ ମାରିଥିଲେ। ପୁଲିସ ସେଠାରେ ପହଞ୍ଚି ରକ୍ଷା କରି ଥିଲା।