ବ୍ରହ୍ମପୁର, ୩୧/୦୧: ବ୍ରହ୍ମପୁରରେ ଭୟଙ୍କର ସଡକ ଦୁର୍ଘଟଣା। ରଙ୍ଗ ସାଇଡ୍ ରେ ଆସି ସିରିଜି ଦୁର୍ଘଟଣା ଘଟାଇଲା ଟ୍ରକ୍। ହଳଦିଆପଦର ଓଭରବ୍ରିଜରେ ୩ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍‌। ଘଟଣାସ୍ଥଳରେ ଚାଲିଗଲା ୫ ବାଇକ୍ ଆରୋହୀଙ୍କ ଜୀବନ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଡ୍ରାଇଭର୍ ଗାଡି ଛାଡ଼ି ଚମ୍ପଟ୍ ମାରିଥିଲା। ପୁଲିସ କାବୁ କରିବାରେ ସଫଳ ହୋଇଛି। ଦକ୍ଷିଣାଞ୍ଚଳ ଆଇଜି ପହଞ୍ଚି ସ୍ଥିତି ପରଖିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଶୋକ
ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ, 'ବ୍ରହ୍ମପୁର ହଳଦିଆପଦର ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ପ୍ରାଣହାନୀ ହେବା ସହ ଅନେକ ଆହତ ହୋଇଥିବା ବିଷୟରେ ଜାଣି ମୁଁ ଦୁଃଖିତ। ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଏଥିସହ ଆହତ ବ୍ୟକ୍ତିମାନଙ୍କ ଆଶୁଆରୋଗ୍ୟ କାମନା କରୁଛି।'

​​​​​​​

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି ଯେ, ବ୍ରହ୍ମପୁରରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ସମବେଦନା ଜଣାଉଛି। ଏହି ଦୁଃଖଦ ସମୟରେ ମହାପ୍ରଭୁ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ । ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି । ଓଁ ଶାନ୍ତି...

​​​​​​​

ଏହି ଖବରଟିକୁ ପଢନ୍ତୁ- ଓଡ଼ିଆରେ ପଢିବେ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀ, ପାଠ୍ୟପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ