କୋରିଆନ ଟାସ୍କ-ଆଧାରିତ ଅନ୍ଲାଇନ୍ ଗେମ୍ ନିଶାରେ ଗାଜିଆବାଦରେ ୩ ଭଉଣୀଙ୍କ ଆତ୍ମହତ୍ୟା ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିଛି । ଏହି ଘଟଣା ପରେ କୋରିଆନ ଗେମ୍ ସଭିଁଙ୍କ ଧ୍ୟାନ ଆକର୍ଷଣ କରିଛି । ଗତ କିଛି ବର୍ଷରେ ଇଣ୍ଟର୍ନେଟ ଆଢୁଆଳରେ କୋରିଆନ୍ ସଂସ୍କୃତି ଭାରତରେ ନିଜର କାୟା ବିସ୍ତାର କରିଛି । ଯୁବପିଢ଼ି କେ-ପପ୍, କେ-ଡ୍ରାମା ଓ କେଗେମ୍ସରେ ଖାସ୍ ରୁଚି ରଖୁଛନ୍ତି । କିନ୍ତୁ କେ-ଗେମ୍ସ ଉପରକୁ ଆଙ୍ଗୁଳି ଉଠିଛି, କାରଣ ଏହା ଏବେ ଜୀବନ ନେଉଛି ।
ପ୍ରଭାବଶାଳୀ ହେଉଛି କୋରିଆ ସଂସ୍କୃତି
ଅନେକ ଇନ୍ଷ୍ଟା ରିଲ୍ରେ କଣ୍ଟେଣ୍ଟ୍ କ୍ରିଏଟର୍ମାନେ ନିଜ ସୃଜନଶୀଳତାରେ କୋରିଆନ୍ ଆଚରଣକୁ ସାମିଲ କରୁଛନ୍ତି । ସେମାନଙ୍କ କହିବା ଶୈଳୀ, ଭାବଭଙ୍ଗୀ, ଏପରିକି ଟିଫିନ୍ ବକ୍ସରେ ବି କୋରିଆନ୍ ସଂସ୍କୃତିର ପ୍ରଭାବ ପଡୁଥିବା ଦେଖିବାକୁ ମିଳୁଛି । ଲୋକପ୍ରିୟତା ଅଭ୍ୟାସରେ ରୂପାନ୍ତରିତ ହେବା ଏବଂ ଏଭଳି ଅଭ୍ୟାସ ଯାହାକୁ ଛାଡ଼ିବା ବିଷୟରେ ଭାବିବା ମାତ୍ରେ ଚିନ୍ତା ବଢ଼ିବା ଏବେ ସମସ୍ୟାର କାରଣ ହୋଇଛି । କିଶୋରରୁ ଯୌବନରେ ପାଦ ଥାପୁଥିବା ପିଢ଼ି ପାଇଁ ଏହା ଏକ ନୂଆ ଚିନ୍ତାର ବିଷୟ ହୋଇଛି । ବିଶ୍ୱ ପୂର୍ବରୁ ଚାପରେ ଥିବାବେଳେ କେ-ଗେମ୍ ଚାପର ଏକ ନୂଆ ଦୁନିଆ ସୃଷ୍ଟି କରୁଛି ।
ପ୍ରତିଦିନ ନୂଆ ଚାଲେଞ୍ଜ୍, ନୂଆ ଟାସ୍କ
ଆଜିର କିଶୋର ଓ ଯୁବା ଘଣ୍ଟା ଘଣ୍ଟା ଅନ୍ଲାଇନ୍ ଗେମିଂ ଓ ଟାସ୍କ-ଆଧାରିତ ଡିଜିଟାଲ ଦୁନିଆରେ ହଜିଯାଇଛନ୍ତି । ଏଠାରେ ପ୍ରତିଦିନ ନୂଆ ଚାଲେଞ୍ଜ୍ ଓ କଠୋର ସମୟସୀମା ରହିଛି । ଏଠାରେ ହାରିବାର ଅର୍ଥ ଅପମାନ, ଯାହାକୁ ସହିବା ମୁସ୍କିଲ ନୁହେଁ ଅସମ୍ଭବ । ବିଶ୍ୱର ଅନେକ ସ୍ଥାନରେ, ଖାସ୍କରି ଏସିଆରେ କୋରିଆନ୍ ଗେମ୍ ଓ ଟାସ୍କ-ଆଧାରିତ ଡିଜିଟାଲ ଗତିବିଧି ସହ ଜଡ଼ିତ ଏଭଳି ଖବର ଅନେକ ସମୟରେ ସାମ୍ନାକୁ ଆସୁଛି । ଗେମ୍ ଜୀବନ କେମିତି ନେଉଛି, ତାହା ପ୍ରଶ୍ନ ନୁହେଁ । ପ୍ରକୃତ ପ୍ରଶ୍ନ ହେଉଛି କୋରିଆନ୍ ଗେମିଂ ଜଗତରେ ଏମିତି କ’ଣ ଅଛି ଯେ ଗୋଟିଏ ଖେଳ, ଟାସ୍କ ଓ ଜୀବନ ମଧ୍ୟରେ ଥିବା ସୂକ୍ଷ୍ମ ରେଖାକୁ ଲିଭାଇ ଦେଉଛି? ଏହାର ଉତ୍ତର କେବଳ ଆଲ୍ଗୋରିଦମ୍ରେ ନୁହେଁ, ବରଂ କୋରିଆର ଶତାବ୍ଦୀ ପୁରୁଣା ରହସ୍ୟମୟୀ ପରମ୍ପରାରେ ଲୁଚିଛି । ବାହ୍ୟ ଜଗତରେ ଦକ୍ଷିଣ କୋରିଆ ଆଧୁନିକ ଟେକ୍ନୋଲୋଜି, ଇ-ସ୍ପୋର୍ଟସ୍, ହାଇ ସ୍ପିଡ୍ ଇଣ୍ଟର୍ନେଟ ଓ କେ-ପପ୍ର ଚମକ ପାଇଁ ପରିଚିତ । ସିଓଲର ସୁଉଚ୍ଚ ଅଟ୍ଟାଳିକା ଓ ୨୪ ଘଣ୍ଟା ଖୋଲା ଗେମିଂ କାଫେ ଏହାର ନୂଆ ପରିଚୟ । କିନ୍ତୁ ଏ କୋରିଆ ଭିତରେ ଆଉ ଏକ କୋରିଆ ନିଃଶ୍ୱାସ ନେଉଛି, ଯାହା ସ୍ଥାନୀୟ ରହସ୍ୟାବୃତ୍ତ ପ୍ରାଚୀନ ପରମ୍ପରା, ଲୋକକଥା, ଆତ୍ମା ଓ ସେମାନଙ୍କ ସହ ଜଡ଼ିତ ଅନୁଷ୍ଠାନ ଦ୍ୱାରା ଗଠିତ ।
ଚିନ୍ତା, ଏକଲାପଣ ଓ ମାନସିକ ଚାପ
କୋରିଆନ୍ ଗେମ୍ ପ୍ରସ୍ତୁତକର୍ତ୍ତାଙ୍କ ଉଦ୍ଦେଶ୍ୟ ମନୋରଞ୍ଜନ ହେଲେ ମଧ୍ୟ ଅଜାଣତରେ ହେଉ ବା ଜାଣି ଜାଣି ସେମାନେ ସେହି ବର୍ଗକୁ ଟାର୍ଗେଟ୍ କରୁଛନ୍ତି, ଯେଉଁମାନେ ଏହି ପରିବର୍ତ୍ତନଶୀଳ ବିଶ୍ୱରେ ନିଜକୁ ଭିଡ଼ ଭିତରେ ଏକୁଟିଆ ଅନୁଭବ କରୁଛନ୍ତି । ଏହି ସ୍ଥିତିରେ କୋରିଆନ୍ ଗେମ୍ ଏଭଳି ମାନସିକ ଅନୁଭବ ରୂପେ ସାମ୍ନାକୁ ଆସୁଛି, ଯାହାକୁ ଖେଳୁଥିବା ବ୍ୟକ୍ତି ନିଜକୁ ଗେମ୍ ପଛର କାହାଣୀର ଜଣେ ଚରିତ୍ର ବୋଲି ଭାବି ନେଉଛନ୍ତି ।
ଜୀବନ ଉପରେ କୋରିଆନ୍ ଗେମ୍ର ପ୍ରଭାବ
ସ୍କ୍ୱିଡ୍ ଗେମ୍ସ, ଆଲାଇସ୍ ଇନ୍ ବର୍ଡର୍ଲାଣ୍ଡ, ସ୍ୱିଟ୍ ହୋମ୍ ଭଳି କେ-ଡ୍ରାମାରେ ପ୍ରଦର୍ଶିତ ଗେମ୍ ହେଉ ବା ଅନ୍ଲାଇନ୍ କୋରିଆନ ଟାସ୍କ-ଆଧାରିତ ଗେମ୍ ସବୁଠି ଗୋଟିଏ ପ୍ରକାର ପ୍ୟାଟର୍ନ ଦେଖିବାକୁ ମିଳେ । ଏଠି ନିୟମ ଖୁବ୍ କଠୋର, ସମୟ ବହୁତ କମ୍ । ଭୁଲ ହେଲେ ଦଣ୍ଡ ବି ଭୟାନକ । ଆଉ ପରାଜୟର ଏଠି ସ୍ଥାନ ନାହିଁ । ପରାଜୟର ଅର୍ଥ ବାହାରିଯିବା ନୁହେଁ, ବରଂ ମୃତ୍ୟୁ । ଅର୍ଥାତ୍ ଗେମ୍ ହାରିବା ପରେ ଜୀବନର କୌଣସି ଅର୍ଥ ନାହିଁ । ମୃତ୍ୟୁ ପରେ ବି ୟୁଜର୍ ପୁଣି ଏହି ଗେମ୍ର ଅଂଶ ହୋଇପାରିବେ । ନୂଆ ଜୀବନ, ନୂଆ ଟାସ୍କ ଓ ଉର୍ଜ୍ଜା ସହିତ । ଏହି ବିଚାର ଯେତେ ସହଜ ମନେହେଉଛି, ବାସ୍ତବରେ ସେତିକି ଜଟିଳ । ଏହିଠାରୁ କୋରିଆନ୍ ସଂସ୍କୃତିର ରହସ୍ୟବାଦ ପ୍ରଭାବଶାଳୀ ହୋଇଯାଏ, ଯେଉଁଥିରେ ଆତ୍ମାଙ୍କ ଅନୁଷ୍ଠାନ ଓ ପୁନର୍ଜନ୍ମ ଭଳି ଶବ୍ଦ ଭିନ୍ନ ବ୍ୟାଖ୍ୟା ସହ ସାମିଲ । ଅନ୍ଲାଇନ୍ ଗେମ୍ରେ ‘ବାହାରିଯିବା’ ଡିଜିଟାଲ ହୋଇପାରେ, କିନ୍ତୁ ମାନସିକ ସ୍ତରରେ ଏହାକୁ ଗ୍ରହଣ କରିବା ମୁସ୍କିଲ । ଡିଜିଟାଲ ଦୁନିଆରେ ଏହା ଅପମାନ । ଖାସ୍କରି କିଶୋରଙ୍କ ପାଇଁ । ଏହି ସ୍ଥିତିରେ ଅନ୍ଲାଇନ୍ ଗେମ୍ ଓ ଟାସ୍କ ଏକ ମାନସିକ ଚାପ ପ୍ରଣାଳୀରେ ବଦଳିଯାଏ ।