ନାସିକ, ୧୭।୪: ଟାଟା କନସଲଟେନ୍ସି ସର୍ଭିସେସ୍ (TCS) ଭଳି ଏକ ପ୍ରତିଷ୍ଠିତ ସଂସ୍ଥାରେ ଚାଲିଥିବା ଯୌନ ନିର୍ଯାତନା ଏବଂ ଧର୍ମାନ୍ତରୀକରଣ ମାମଲା ଏବେ ଏକ ଭୟଙ୍କର ମୋଡ଼ ନେଇଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଫେରାର HR ଏଗଜିକ୍ୟୁଟିଭ୍ ନିଦା ଖାନଙ୍କର ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ସହ ସମ୍ପର୍କ ଥିବା ସୂଚନା ମିଳିଛି । ଏହି ଖୁଲାସା ପରେ ଏବେ ମାମଲାର ଯାଞ୍ଚ ପାଇଁ NIA, ATS ଏବଂ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ମୈଦାନକୁ ଓହ୍ଲାଇଛନ୍ତି । ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ନିଦା ଖାନଙ୍କର ସମ୍ପର୍କ ଜୈଶ-ଏ-ମହମ୍ମଦର ମହିଳା ୱିଙ୍ଗ୍ 'ଜୈଶ-ଉଲ୍-ମୋମିନାର୍ଟ'ର ମୁଖ୍ୟ ଡକ୍ଟର ଶାହିନ୍ ଶାହିଦଙ୍କ ସହ ରହିଛି । ଶାହିନ୍ ହେଉଛନ୍ତି ଐତିହାସିକ ଲାଲ୍ କିଲ୍ଲା ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ । ଏହି ଘଟଣାକୁ ଗୁପ୍ତଚର ସଂସ୍ଥାମାନେ ଏକ 'ହ୍ୱାଇଟ୍-କଲର୍' ବା 'ହାଇବ୍ରିଡ୍' ଆତଙ୍କବାଦୀ ଷଡ଼ଯନ୍ତ୍ର ବୋଲି ସନ୍ଦେହ କରୁଛନ୍ତି, ଯେଉଁଠାରେ କର୍ପୋରେଟ୍ ଅଫିସକୁ ବ୍ୟବହାର କରି ଯୁବତୀମାନଙ୍କୁ କଟ୍ଟରପନ୍ଥୀ ବନାଇବା ଏବଂ ନିଯୁକ୍ତି ଦେବାର ଯୋଜନା ଚାଲିଥିଲା ।

ଅଫିସ୍‌ରେ ଶିଖାଉଥିଲେ ବୁର୍ଖା ପିନ୍ଧିବା ଓ ନମାଜ ପଢ଼ିବା:

ନାସିକ ୟୁନିଟ୍‌ର ପ୍ରାୟ ୧୨ ଜଣ ମହିଳା କର୍ମଚାରୀ ନିଦାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ନିଦା ବିଶେଷ କରି ୨୦-୨୫ ବର୍ଷର ହିନ୍ଦୁ ଯୁବତୀମାନଙ୍କୁ ଟାର୍ଗେଟ୍ କରୁଥିଲେ । ଅଫିସ୍ ଭିତରେ ଯୁବତୀମାନଙ୍କୁ ଜବରଦସ୍ତ କଲମା ଓ ନମାଜ ପଢ଼ିବାକୁ ବାଧ୍ୟ କରାଯାଉଥିଲା । ନିଦା ଯୁବତୀମାନଙ୍କୁ ଇସଲାମିକ ପରମ୍ପରା ଅନୁସାରେ ପୋଷାକ ପିନ୍ଧିବାକୁ ବାଧ୍ୟ କରୁଥିଲେ ଏବଂ ବୁର୍ଖା କିପରି ପିନ୍ଧାଯାଏ, ସେଥିପାଇଁ ଟ୍ରେନିଂ ମଧ୍ୟ ଦେଉଥିଲେ । ଏହି ମାମଲା ସାମ୍ନାକୁ ଆସିବା ପରେ TCS କମ୍ପାନୀ ପକ୍ଷରୁ ସମସ୍ତ ନାମିତ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ପୁଲିସ ବର୍ତ୍ତମାନ ସୁଦ୍ଧା ୯ଟି ମାମଲା ରୁଜୁ କରିଥିବା ବେଳେ AGM ଅଶ୍ୱିନୀ ଛନାନୀଙ୍କ ସମେତ କିଛି ଅଭିଯୁକ୍ତ ଜେଲ୍‌ରେ ଅଛନ୍ତି । ନିଦା ଖାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

ନିଦା ଖାନ କିଏ ?  

ନାସିକର ଏକ BPO କାର୍ଯ୍ୟାଳୟରେ ହିନ୍ଦୁ ଯୁବତୀମାନଙ୍କୁ ଯୌନ ନିର୍ଯାତନା ଏବଂ ଜବରଦସ୍ତ ଧର୍ମାନ୍ତରୀକରଣ ଅଭିଯୋଗ ମାମଲାରେ ପୋଲିସ ଏବେ ଆକ୍ସନ ମୋଡ୍‌ରେ । ଏହି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ 'ମାଷ୍ଟରମାଇଣ୍ଡ' କୁହାଯାଉଥିବା ନିଦା ଖାନଙ୍କୁ ପୁଲିସ ଫେରାର ବୋଲି ଘୋଷଣା କରିଥିଲା । କିନ୍ତୁ, ଏବେ ନିଦାଙ୍କ ପରିବାର ସାମ୍ନାକୁ ଆସି କିଛି ଚମକାଇଲା ଭଳି ତଥ୍ୟ ରଖିଛନ୍ତି ।

ନିଦାଙ୍କ ପରିବାରର ସଫେଇ: "ଫେରାର ନୁହଁନ୍ତି, ସେ ଗର୍ଭବତୀ"

ପୁଲିସ ନିଦାଙ୍କୁ ଖୋଜୁଥିବା ବେଳେ ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ନିଦା କେଉଁଆଡ଼େ ଫେରାର ହୋଇନାହାଁନ୍ତି, ବରଂ ସେ ନିଜ ଘରେ ଅଛନ୍ତି । ସବୁଠାରୁ ବଡ଼ କଥା ହେଉଛି ନିଦା ବର୍ତ୍ତମାନ ଗର୍ଭବତୀ ଅଛନ୍ତି । ତାଙ୍କ ବାପାଙ୍କ କହିବା ଅନୁଯାୟୀ, ନିଦା କୌଣସି ବଡ଼ ପଦବୀରେ ନଥିଲେ, ବରଂ ଜଣେ ସାଧାରଣ ଟେଲିକଲର ଭାବେ କାମ କରୁଥିଲେ । କେବଳ ଲୋକଙ୍କୁ 'ହ୍ୟାଲୋ' ଏବଂ 'ଗୁଡ୍ ବାଏ' କହିବା ଯୋଗୁଁ ସେ ଆଜି ଅସୁବିଧାରେ ପଡ଼ିଛନ୍ତି ।

୨୬ ବର୍ଷୀୟା ନିଦା ନାସିକରେ ଜନ୍ମିତ ଏବଂ ଶିକ୍ଷିତ । ସେ କମର୍ସରେ ଗ୍ରାଜୁଏସନ ଶେଷ କରି ଏବେ MBA ପଢୁଛନ୍ତି । ୨୦୨୧ ଡିସେମ୍ବରରେ ସେ ଏହି BPO ରେ ଯୋଗ ଦେଇଥିଲେ । ଗତ ବର୍ଷ ନିଦାଙ୍କ ବିବାହ ହୋଇଥିଲା ଏବଂ ଚଳିତ ବର୍ଷ ସେ ନିଜ ସ୍ୱାମୀଙ୍କ ସହ ମୁମ୍ବାଇ ଚାଲିଯାଇଥିଲେ । ସେଠାରେ ସେ ମାଲାଡ୍ ସ୍ଥିତ ଏକ BPO ଅଫିସରେ କାର୍ଯ୍ୟ କରୁଥିଲେ ।​​​​​​​

ଅଫିସରେ କ’ଣ ଘଟିଥିଲା ?

ନାସିକର ଜଣେ ୨୩ ବର୍ଷୀୟା ପୀଡ଼ିତା ଯୁବତୀଙ୍କ ଅଭିଯୋଗ ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସିନିୟର ସହକର୍ମୀ ଦାନିଶ ଶେଖ୍ ନିଜକୁ ଅବିବାହିତ କହି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ପରେ ବିବାହ ପାଇଁ ମନା କରିଦେଇଥିଲେ । ଦାନିଶ ଏବଂ ତାଙ୍କ ସହକର୍ମୀ ତୌସିଫ ମିଶି ପୀଡ଼ିତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ବାରମ୍ବାର ଚାପ ପକାଉଥିଲେ । ନିଦା ଖାନ ଏବଂ ତୌସିଫ ମିଶି ହିନ୍ଦୁ ଦେବାଦେବୀଙ୍କ ବିଷୟରେ ଅତ୍ୟନ୍ତ ଆପତ୍ତିଜନକ ଟିପ୍ପଣୀ କରିଥିବା ନେଇ ଏଫ୍‌ଆଇଆର୍‌ରେ ଉଲ୍ଲେଖ ରହିଛି ।

ନିଦାଙ୍କ ପରିବାର ଏହାକୁ ଏକ ଭୁଲ୍ ବୁଝାମଣା ବୋଲି କହୁଥିବା ବେଳେ, ପୁଲିସ କିନ୍ତୁ ତଦନ୍ତରେ ନିଦାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ସନ୍ଦେହ କରୁଛି । ହିନ୍ଦୁ ଯୁବତୀମାନଙ୍କୁ ଟାର୍ଗେଟ୍ କରି ସେମାନଙ୍କର ବ୍ରେନୱାସ୍ କରିବାରେ ନିଦା 'ମାଷ୍ଟରମାଇଣ୍ଡ' ଭାବେ କାମ କରୁଥିଲେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏହା କେବଳ ଏକ ଯୌନ ନିର୍ଯାତନା ମାମଲା ନୁହେଁ, ବରଂ ଦେଶର ସୁରକ୍ଷା ସହ ଜଡ଼ିତ ଏକ ବଡ଼ ଷଡ଼ଯନ୍ତ୍ର ବୋଲି ଏଜେନ୍ସିମାନେ ମନେ କରୁଛନ୍ତି । ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଖୁବଶୀଘ୍ର ନାସିକରେ ପହଞ୍ଚି ଡିଜିଟାଲ୍ ପ୍ରମାଣ, ହ୍ୱାଟ୍ସଆପ୍ ଚାଟ୍ ଏବଂ ଆର୍ଥିକ କାରବାରର ଯାଞ୍ଚ କରିବ ।

ଆହୁରି ପଢ଼ନ୍ତୁ... ​​​​​​​TCS ଅଫିସରେ ଧର୍ମାନ୍ତରୀକରଣ ଚକ୍ରବ୍ୟୁହ: କର୍ମଚାରୀଙ୍କୁ ବୁର୍ଖା ପିନ୍ଧିବା ଶିଖାଉଥିଲେ ‘ଦବଙ୍ଗ ମ୍ୟାମ୍’ ନିଦା ଖାନ