ଈଶ୍ୱରପ୍ରେମରେ ଜୀବନ ବଞ୍ଚିଲେ ବ୍ୟକ୍ତି ଏକ ଏପରି ଅବସ୍ଥାରେ ପ୍ରବେଶ କରେ, ଯେଉଁଠି ସେ ସଦା ଦିବ୍ୟପ୍ରେମ ଭିତରେ ବୁଡ଼ିରହେ । ଜଣେ ଅନ୍ୟକୁ ସାହାଯ୍ୟ କଲେ ସେ ସ୍ରଷ୍ଟାଙ୍କ ମହାନ ଉଦ୍ଦେଶ୍ୟର ଏକ ଅଂଶ ପାଲଟିଯାଏ । ଈଶ୍ୱରଙ୍କ ସତ୍ତାକୁ ଅଧିକରୁ ଅଧିକ ଜାଣିବାର ପ୍ରୟାସ କରିବା ଏବଂ କ୍ରମେ ଏହାର ଅନୁଭବ ଫଳରେ ବ୍ୟକ୍ତିର ବିଚାର, ଚିନ୍ତାଧାରାରେ ଏକ ଅଦ୍ଭୁତ ପରିବର୍ତ୍ତନ ଆସିବ, ଯାହା ବ୍ୟକ୍ତି ସହ ସମଗ୍ର ସମାଜ ପାଇଁ କଲ୍ୟାଣକାରୀ ହେବ ।
ଆମେ ଯେଉଁଠି ବି ରହୁ, ବୟସ ନିର୍ବିଶେଷରେ ଜୀବନର ଖୁସି ସମୟକୁ ହିଁ ସବୁବେଳେ ମନେପକାଉ । ଖୁସିର ମୁହୂର୍ତ୍ତ, ପର୍ବପର୍ବାଣୀ, ସଫଳତା ଆଦିକୁ ଉତ୍ସବ ଭଳି ପାଳନ କରୁ । ମାତ୍ର ଯେତେବେଳେ ଆମେ ପରସ୍ପର ସହ ଖୁସି ବାଣ୍ଟୁଥାଉ, ଉତ୍ସବ ପାଳନ କରୁଥାଉ, ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଅତିକ୍ରମ କରୁଥାଉ, ସେତେବେଳେ ଆମକୁ ଏଭଳି ଏକ ସୁନ୍ଦର ଜୀବନ ଉପହାର ଦେଇଥିବା ପରମେଶ୍ୱରଙ୍କ ପାଖରେ ଆମେ କୃତଜ୍ଞତା ଜଣାଉ କି? ଏହା ପରମେଶ୍ୱରଙ୍କର ହିଁ ତ କରୁଣା ଯେ, ଆମେ ମଣିଷ ଜନ୍ମଟିଏ ଲାଭ କରି ଏ ପୃଥିବୀରେ ଚଳପ୍ରଚଳ ହେଉଛେ! ତେବେ ଆମର ଇପ୍ସିତ ବସ୍ତୁ କିମ୍ବା ଲକ୍ଷ୍ୟ ହାସଲ କରିବା ପରେ ତା’ପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଜଣେଇବାକୁ ଆମେ ଭୁଲିଯାଉ କାହିଁକି? ଈଶ୍ୱରଙ୍କ ସ୍ମରଣ କେବଳ ଜୀବନର ଖୁସି ସମୟରେ ନୁହେଁ, ବରଂ ପ୍ରତିଦିନ, ପ୍ରତିକ୍ଷଣ, ପ୍ରତି ନିଃଶ୍ୱାସରେ କରିବା ଉଚିତ । ଆମେ ସମସ୍ତେ ଭଲଭାବରେ ଜାଣୁ ଯେ ମଣିଷ ସୁଖରେ ଈଶ୍ୱରଙ୍କୁ ସ୍ମରଣ କରୁ ବା ନକରୁ ଦୁଃଖ, ବିପଦ, କଷ୍ଟ ସମୟରେ ନିଶ୍ଚୟ ତାଙ୍କର ସୁମରଣା କରେ³ ତାକୁ ସେହି ବିପଦରୁ ମୁକ୍ତ କରିବା ପାଇଁ ଗୁହାରି କରେ । ମାତ୍ର ସେ ସମୟତକ ବିତିଗଲେ କୃତଘ୍ନ ଭଳି ବିପଦରୁ ଉଦ୍ଧାର କରିଥିବା ସେହି ଶକ୍ତିକୁ ପାସୋରି ପକାଏ । ଏହାକୁ ନେଇ ରହିଛି ଏକ ରୋଚକ କାହାଣୀ ।
ଥରେ ଗୋଟିଏ ଲୋକ ପଇଡ଼ ତୋଳିବା ପାଇଁ ସୁଉଚ୍ଚ ଏକ ନଡ଼ିଆ ଗଛକୁ ଚଢ଼ିଲା । ପଇଡ଼ ତ ତୋଳିଦେଲା, କିନ୍ତୁ ଗଛରୁ ଓହ୍ଲାଇଲା ବେଳେ ତଳକୁ ଦେଖିବା ମାତ୍ରେ ତାର ମୁଣ୍ଡ ବୁଲେଇଦେଲା । ତଳକୁ ଆସିବା ପାଇଁ ତାର ସାହସ ହେଲାନାହିଁ । ସାଙ୍ଗେ ସାଙ୍ଗେ ସେ ଈଶ୍ୱରଙ୍କୁ ପ୍ରାର୍ଥନା କଲା- ହେ ପ୍ରଭୁ, ମୁଁ ଯଦି ସୁରକ୍ଷିତ ଭାବରେ ଏହି ଗଛରୁ ଓହ୍ଲାଇଯାଏ, ତାହେଲେ ମନ୍ଦିରରେ ୧୦୦ଟି ନଡ଼ିଆ ଚଢ଼େଇବି । କିଛି ସମୟ ପରେ ସେ ସ୍ଥାନକୁ କିଛି ଲୋକ ଆସିଲେ । ସେ ତଳକୁ ଆସିବାକୁ ଭୟ କରୁଛି ଜାଣି ଗଛତଳେ ଠିଆ ହୋଇ ତାକୁ ସାହସ ଦେଲେ- ଭାଇ, ତୁମେ ଜମା ବ୍ୟସ୍ତ ହୁଅନାହିଁ, ଧୀରେ ଧୀରେ ତଳକୁ ନଦେଖି ଓହ୍ଲେଇ ଆସ । ଆମେ ତଳେ ଅଛୁ, ଯଦି ତୁମେ ପଡ଼ିଯିବ ଆମେ ତମକୁ ଧରିନେବୁ । ଲୋକଟି ସତରେ ଯେ ତଳେ ପଡ଼ି ଯାଇଥାନ୍ତା ତା’ ନୁହେଁ, କାରଣ ସେ ଥିଲା ସେହି କାମରେ ଅଭ୍ୟସ୍ତ । ତାକୁ ଲୋଡ଼ା ଥିଲା ଟିକେ ସାହସ । ଏଣୁ ସେ ଧୀରେ ଧୀରେ ଆଖି ବନ୍ଦକରି ତଳକୁ ଓହ୍ଲାଇବା ଆରମ୍ଭ କଲା । ଅଧାଯାଏଁ ଆସିଗଲା ପରେ ସେ ମନେମନେ ଭାବିଲା- ଆରେ ଅଧା ତ ଆସିଗଲିଣି, ଆଉ ବାକି ପାଇଁ ୧୦୦ଟି କାହିଁକି, ୫୦ଟି ନଡ଼ିଆ ଚଢ଼େଇଲେ ଚଳିବ । ଆଉ ଅଳ୍ପ ବାଟ ଅଛି ସେ ପୁଣି ଭାବିଲା- ଆଉ ତ ଚଉଠେ ବାଟ, ୟା ପାଇଁ ମନ୍ଦିରରେ ୫୦ଟି ନୁହେଁ, ୧୦ଟି ନଡ଼ିଆ ଚଢ଼େଇଲେ ଯଥେଷ୍ଟ! ଶେଷକୁ ଲୋକଟି ସୁରକ୍ଷିତ ଭାବରେ ତଳକୁ ଓହ୍ଲାଇ ଆସିଲା ।
ଭୂଇଁରେ ପାଦ ଦେଉଦେଉ ସେ ନିଜ ମନକୁ ଏୟା କହି ବୁଝେଇଦେଲା ଯେ, ମୋର ତ ସାହସ କିଛି କମ୍ ନୁହେଁ, ମୁଁ ଶେଷକୁ ତଳକୁ ଆସିଗଲି ଅନାୟାସରେ! ହଉ ଏବେ ଘରକୁ ଫେରିଲା ବେଳେ ମନ୍ଦିରରେ ଗୋଟିଏ ନଡ଼ିଆ ଚଢ଼େଇଦେଇ ଯିବି । ଏତକ ମନରେ ଭାବି ଲୋକଟି ଆତ୍ମବଡ଼ିମାରେ ହସି ହସି ଘରକୁ ଫେରୁଥାଏ, କେଉଁଠି ଥିଲା ଗୋଟିଏ ବୁଲାକୁକୁର ତାକୁ ଦେଖି ଭୁକିବାକୁ ଲାଗିଲା । କୁକୁରଟି ପାଖକୁ ଆସି ଲୋକଟିକୁ କାମୁଡ଼ିବାକୁ ଉଦ୍ୟତ ହୁଅନ୍ତେ ସେ ପ୍ରାଣମୂର୍ଚ୍ଛା ଦୌଡ଼ିବାକୁ ଲାଗିଲା । ଜୀବନ ବିକଳରେ ଦୌଡ଼ିବା ସମୟରେ ପୁଣି ଥରେ ତା’ ମନକୁ ଭାବନାଟିଏ ଆସିଲା- ହେ ପ୍ରଭୁ, ମତେ ଆଜି ଏ କୁକୁର କାମୁଡ଼ାରୁ ବଞ୍ଚେଇ ଦିଅ, ମୁଁ ସୁରକ୍ଷିତ ଭାବରେ ଘରକୁ ଫେରିଲେ ମନ୍ଦିରରେ ୫୦ଟି ନଡ଼ିଆ ଚଢ଼େଇବି । ଉପରୋକ୍ତ କାହାଣୀ ବିଷୟରେ ଅବତାରଣାର ଅର୍ଥ ଏୟା ଯେ, ବିପଦରେ ପଡ଼ିଲେ କାତର ହୋଇ ଈଶ୍ୱରଙ୍କୁ ଡାକ ଛାଡୁଥିବା ବ୍ୟକ୍ତି, ଯେଉଁ ମୁହୂର୍ତ୍ତରେ ସେ ବିପଦରୁ ମୁକୁଳି ଆସେ, ସବୁ ଶ୍ରେୟ ନିଜକୁ ଦିଏ । କୃତଜ୍ଞତା ନୁହେଁ ଆତ୍ମବଡ଼ିମାରେ ଈଶ୍ୱରଙ୍କ କଥା ଭୁଲିଯାଏ । ସତ କଥା ହେଲା, ଈଶ୍ୱର ମଣିଷକୁ କେବେ କହିନାହାଁନ୍ତି କୌଣସି ସେବା ବା ବସ୍ତୁ ପ୍ରଦାନ କରିବା ପାଇଁ, ମଣିଷ ନିଜେ ହିଁ ନିଜର ଲୋଭ, ଇଚ୍ଛା, ସ୍ୱପ୍ନ ପୂରଣ ଆଶାରେ ଈଶ୍ୱରଙ୍କୁ କେତେ କ’ଣ ଯାଚି ଚାଲିଥାଏ ।
ମାତ୍ର ଈଶ୍ୱର ବାସ୍ତବରେ କେଉଁଥିରେ ଖୁସି ହୁଅନ୍ତି ତାହା ଜାଣିବା ପାଇଁ ମଣିଷ ସକ୍ଷମ ହିଁ ନୁହେଁ । ଈଶ୍ୱରଙ୍କୁ ଭୌତିକ ବସ୍ତୁ ଦ୍ୱାରା ସନ୍ତୁଷ୍ଟ କରିବାକୁ ଚେଷ୍ଟା ନକରି ଆମେ ଆମର ଧନ୍ୟବାଦ, କୃତଜ୍ଞତା, ପ୍ରଶଂସା ଦ୍ୱାରା ସନ୍ତୁଷ୍ଟ କରିପାରିବା! ଯଦିଓ ଆମେ ଈଶ୍ୱରଙ୍କୁ ପ୍ରତ୍ୟକ୍ଷ ଭାବରେ ଦେଖିପାରୁନାହୁଁ ବା ଶୁଣିପାରୁନାହୁଁ, ଆମେ ତାଙ୍କର ପ୍ରତ୍ୟେକ ସୃଷ୍ଟିକୁ ସମ୍ମାନ ଜଣେଇବା ଏବଂ ଭଲପାଇବା । କାରଣ ଈଶ୍ୱର ପୃଥିବୀର ପ୍ରତ୍ୟେକ ବସ୍ତୁ ଭିତରେ ବିଦ୍ୟମାନ । ପରସ୍ପରକୁ ଭଲପାଇବା, ସାହାଯ୍ୟର ହାତଟିଏ ବଢ଼େଇବା, ସମସ୍ତଙ୍କୁ ନିଜର ଭାବି ମିଳିମିଶି ଚଳିବା ହିଁ ଈଶ୍ୱରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବାର ଶ୍ରେଷ୍ଠ ମାର୍ଗ । ଈଶ୍ୱରପ୍ରେମରେ ଜୀବନ ବଞ୍ଚିଲେ ବ୍ୟକ୍ତି ଏକ ଏପରି ଅବସ୍ଥାରେ ପ୍ରବେଶ କରେ, ଯେଉଁଠି ସେ ସଦା ଦିବ୍ୟପ୍ରେମ ଭିତରେ ବୁଡ଼ିରହେ । ଜଣେ ଅନ୍ୟକୁ ସାହାଯ୍ୟ କଲେ ସେ ସ୍ରଷ୍ଟାଙ୍କ ମହାନ ଉଦ୍ଦେଶ୍ୟର ଏକ ଅଂଶ ପାଲଟିଯାଏ । ଈଶ୍ୱରଙ୍କ ସତ୍ତାକୁ ଅଧିକରୁ ଅଧିକ ଜାଣିବାର ପ୍ରୟାସ କରିବା ଏବଂ କ୍ରମେ ଏହାର ଅନୁଭବ ଫଳରେ ବ୍ୟକ୍ତିର ବିଚାର, ଚିନ୍ତାଧାରାରେ ଏକ ଅଦ୍ଭୁତ ପରିବର୍ତ୍ତନ ଆସିବ, ଯାହା ବ୍ୟକ୍ତି ସହ ସମଗ୍ର ସମାଜ ପାଇଁ କଲ୍ୟାଣକାରୀ ହେବ । ଏଣୁ ପୃଥିବୀପୃଷ୍ଠରେ ପରମେଶ୍ୱରଙ୍କ ଦୂତ ରୂପେ ତାଙ୍କୁ ସ୍ମରଣ କରି ଜୀବନ ବଞ୍ଚିବାକୁ ଚେଷ୍ଟା କଲେ ଆମ ଜୀବନ ପ୍ରେମ, ଆନନ୍ଦ, ଖୁସିରେ ପୂରିଉଠିବ³ ଯାହା ମାନବ ଜୀବନର ସର୍ବୋଚ୍ଚ ଉଦ୍ଦେଶ୍ୟ ପୂରଣ କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ ବୋଲି କୁହାଯିବ ।