ନୂଆଦିଲ୍ଲୀ,୧୬।୩: ପଶ୍ଚିମବଙ୍ଗ ଓ ତାମିଲନାଡୁ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ବିଗୁଲ ବାଜି ସାରିଛି। ନିର୍ବାଚନ ମଧ୍ୟ ସେହି ରାଜ୍ୟରେ ହେଉଛି ଯେଉଁଠି ବିଜେପିର ସ୍ଥିତି ଖୁବ୍ ଦୁର୍ବଳ ବୋଲି କହିହେବନି। ଏଥିରୁ ତିନୋଟିରେ ବିଜେପିର ସରକାର ରହିଛି। ଲୋକସଭା ନିର୍ବାଚନ ପରେ ହରିୟାଣା,ମହାରାଷ୍ଟ୍ର,ଦିଲ୍ଲୀ ଓ ବିହାର ନିର୍ବାଚନରେ ବିଜେପି ବଡ଼ ଧରଣର ବିଜୟ ହୋଇଛି। ଏବେ ଯେଉଁ ୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ହେବାକୁ ଯାଉଛି। ସେଠାରେ ନିଜର ସ୍ଥିତି ମଜବୁତ କରି ରଖିବା ବିରୋଧିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିଛି। ପଶ୍ଚିମବଙ୍ଗ,ତାମିଲନାଡୁ ଓ କେରଳରେ ଗୋଟିଏ ବି ଆସନ ବିରୋଧି ହାତରୁ ଚାଲିଯିବା ବିଜେପି ପାଇଁ ବଡ଼ ବିଜୟ ବୋଲି ମନେ କରାଯାଉଛି।

ଏହି ନିର୍ବାଚନରେ ବିରୋଧି ଦଳର ବଡ଼ ଚେହେରା ଉପରେ ମଧ୍ୟ ବହୁତ କିଛି ବାଜିରେ ଲାଗିଛି। ଯେପରିକି ରାହୁଲ ଗାନ୍ଧୀ,ମମତା ବାନାର୍ଜୀ, ଏମକେ ଷ୍ଟାଲିନ୍ ଓ ପିନରୟୀ ବିଜୟନଙ୍କ ଲୋକପ୍ରିୟତାକୁ ମଧ୍ୟ ନିର୍ବାଚନରେ ବଡ ଚ୍ୟାଲେଞ୍ଜ ମିଳିପାରେ। ନିର୍ବାଚନ ବି ଏଭଳି ସମୟରେ ହେଉଛି ଯେତେବେଳେ ବିରୋଧି ଦଳ ଏସଆଇଆର ପକ୍ରିୟାକୁ କଡା ବିରୋଧ କରୁଛନ୍ତି। ପଶ୍ଚିମବଙ୍ଗ ଓ କେରଳରେ ଇଣ୍ଡିଆ ମେଣ୍ଟର ଦଳ ମଧ୍ୟ ପରସ୍ପର ମୁହାଁମୁହିଁ ହୋଇପାରନ୍ତି। ଏଠାରେ ଟିଏମସି ଓ କଂଗ୍ରେସ ମୁହାଁମୁହିଁ ହେବେ। ସେଭଳି କେରଳରେ ସିପିଏମ୍ ନେତୃତ୍ବାଧୀନ ଏଲଡିଏଫ୍ ଓ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍ ଭିତରେ ମୁକାବିଲା ହୋଇପାରେ। ପଶ୍ଚିମବଙ୍ଗରେ ଯଦି କଂଗ୍ରେସ ଓ ଟିଏମସି ଏକାଠି ନହୁଅନ୍ତି ତେବେ ବିଜେପି ଏହାର ଲାଭ ଉଠାଇବ।

ଆସାମରେ ବିଜେପି ଓ କଂଗ୍ରେସ ସିଧା ଲଢେଇ କରିବେ। ଯଦି ବିଜେପି ଜିତେ ତେବେ ରାଜ୍ୟରେ ତା’ର ହ୍ୟାଟ୍ରିକ୍ ହେବ। ସେଭଳି କଂଗ୍ରେସ ଆଗରେ ୧୫ ବର୍ଷର ବନବାସ ଦୂର କରିବାର ଚ୍ୟାଲେଞ୍ଜ ରହିଛି। ପଶ୍ଚିମବଙ୍ଗରେ ଟିଏମସି ଓ ବିଜେପି ଭିତରେ ଲଢେଇ ରହିଛି। ତାମିଲନାଡୁରେ ଡିଏମ୍‌କେ କଂଗ୍ରେସ, ବାମପନ୍ଥୀ ଦଳ ଅନ୍ୟମାନଙ୍କ ସହ ନିର୍ବାଚନ ଲଢୁଛି। ସେଭଳି ବିଜେପି ଓ ଏଆଇଏଡିଏମକେ ଏକାଠି ମୈଦାନରେ ଓହ୍ଲାଇଛି। ୨୦୨୪ ଲୋକସଭା ନିର୍ବାଚନରେ ଦୁଇ ଦଳ ଅଲଗା ନିର୍ବାଚନ ଲଢୁଛନ୍ତି।

ତାମିଲନାଡୁରେ ଏଥର ସୁପରଷ୍ଟାର ବିଜୟ ମଧ୍ୟ ନିର୍ବାଚନ ମୈଦାନରୁ ଓହ୍ଲାଇଛନ୍ତି। ବିଶେଷଜ୍ଞଙ୍କ ମତରେ ବିଜୟଙ୍କ ଫାକ୍ଟର ବିଜୟରେ ବଡ଼ ଯୋଗଦାନ ରହିଛି। କାରଣ ବିଜୟ ଖୁବ୍ ଲୋକପ୍ରିୟ। ସେ ସରକାର ତିଆରି କରିବାରେ ବଡ଼ ଭୂମିକା ଗ୍ରହଣ କରିପାରନ୍ତି। କେରଳରେ ଶାସକ ଏଲଡିଏଫ୍ ପାଇଁ ବଡ଼ ଚ୍ୟାଲେଞ୍ଜ ରହିଛି। ୟୁଡିଏଫ୍ ଓ ବିଜେପି ଦୁହେଁ ଏଲଡିଏଫ୍ ବିରୋଧରେ ପୁରା ଜୋର ଲଗାଇ ଦେଇଛନ୍ତି। ସେଭଳି ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ବାମୀ ବିଜେପି-ଅଲ୍ ଇଣ୍ଡିଆ ଏନ୍ଆର କଂଗ୍ରେସର ମୁକାବିଲା କଂଗ୍ରେସ-ଡିଏମ୍‌କେ ମେଣ୍ଟ ସହ ରହିଛି।