ନୂଆଦିଲ୍ଲୀ :୨୮ ଫେବ୍ରୁଆରୀ ୨୦୨୬ ଥିଲା ଇରାନ ପାଇଁ କାଳ ରାତ୍ରୀ। ଏହି ଦିନ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣର ଶିକାର ହୋଇଥିଲା ଇରାନ। ଯେଉଁଥିରେ ଇରାନ ହରାଇ ଥିଲା ତାର ସର୍ବୋଚ୍ଚ ନେତା ଅଲତୁଲ୍ଲା ଖାମେନିଙ୍କୁ ଏବଂ ଇରାନର ନବନିଯୁକ୍ତ ସର୍ବୋଚ୍ଚ ନେତା ମୋଜତବା ଖାମେନି ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ ମାତ୍ର କିଛି ସେକେଣ୍ଡରେ ମୃତ୍ୟୁ ମୁଖରୁ ସେ ବଞ୍ଚି ଯାଇ ଥିଲେ। ଏହି କଥାର ଖୁଲାସା ଏକ ଲିକ୍ ହୋଇଥିବା ଅଡିଓ ରେକର୍ଡିଂରୁ ଜଣା ପଡ଼ିଛି। ଅଡିଓ ରେକର୍ଡିଂ ଅନୁସାରେ, ତାଙ୍କ ପିତା ତଥା ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନି ୨୮ ଫେବ୍ରୁଆରୀ, ୨୦୨୬ରେ ଇସ୍ରାଏଲର ଅପରେସନ୍ ଏପିକ୍ ଫ୍ୟୁରି ଦ୍ୱାରା କରାଯାଇଥିବା ମିସାଇଲ ଆକ୍ରମଣରେ ପ୍ରାଣ ହରାଇ ଥିଲେ, କିନ୍ତୁ ମୋଜତବା ଠିକ୍ ସମୟରେ ବିଲ୍ଡିଂରୁ ବାହାରି ଆସିଥିଲେ। ଯେଉଁଥିପାଇଁ ତାଙ୍କର ଜୀବନ ବଞ୍ଚି ଯାଇ ଥିଲା।

ବ୍ରିଟିଶ ଖବରକାଗଜ ଦି ଟେଲିଗ୍ରାଫରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଲିକ୍ ହୋଇଥିବା ଅଡିଓଟି ମାର୍ଚ୍ଚ ୧୨ ତାରିଖରେ ଇରାନର ବରିଷ୍ଠ ଧର୍ମଗୁରୁ ତଥା ଇସଲାମି ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) କମାଣ୍ଡରଙ୍କ ଏକ ଆଭ୍ୟନ୍ତରୀଣ ବୈଠକରୁ ଲିକ୍ ହୋଇଛି। ବୈଠକରେ ଦିବଂଗତ ନେତାଙ୍କ କାର୍ଯ୍ୟାଳୟର ପ୍ରୋଟୋକଲ ମୁଖ୍ୟ ମଜାହେର ହୁସେନି କହିଛନ୍ତି ଯେ ,ମୋଜତବା ଖାମେନି ସେଦିନ ତାଙ୍କ ପିତାଙ୍କ ସହିତ କୋଠା ଭିତରେ ଥିଲେ, କିନ୍ତୁ ମିସାଇଲ ପଡ଼ିବା ପୂର୍ବରୁ ସେ କୌଣସି କାମ ପାଇଁ ପ୍ରାଙ୍ଗଣକୁ ଯାଇ ଥିଲେ। 

ଆହୁରି ମଧ୍ୟ ପଢନ୍ତୁ : ଖାମେନେଇଙ୍କ ପରେ ଇରାନର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଲାରିଜାନି ମୃତ, ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀଙ୍କ ଘୋଷଣା

ରେକର୍ଡିଂରେ ହୁସେନିଙ୍କ କଥା ଉଦ୍ଧୃତ କରାଯାଇଛି ଯେ, ଈଶ୍ୱରଙ୍କ ଇଚ୍ଛାରେ ମୋଜତବାଙ୍କୁ କିଛି କାମ ପାଇଁ ବାହାରକୁ ଯିବାକୁ ପଡିଲା ଏବଂ ସେ ଫେରୁ ଥିଲେ। ସେ ବାହାରେ ଥିଲେ ଏବଂ ଉପର ମହଲାକୁ ଯାଉଥିଲେ, ସେତେବେଳେ କୋଠା ଉପରକୁ ମିସାଇଲ ଆକ୍ରମଣ ହେଲା। ଆକ୍ରମଣର ତୁରନ୍ତ ପରେ, ଇସ୍ରାଏଲୀୟ ବ୍ଲୁ ସ୍ପାରୋ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କୋଠାର ପରିସରକୁ ଟାର୍ଗେଟ୍ କଲା, ଯେଉଁଥିରେ ଅୟତୁଲ୍ଲା ଅଲି ଖାମେନିଙ୍କ ସମେତ ବହୁତ ବରିଷ୍ଠ ଅଧିକାରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ମୃତ୍ୟୁ ହୋଇ ଥିଲା।

ରିପୋର୍ଟ ଅନୁସାରେ, ଅତି କମରେ ତିନୋଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। କୁହାଯାଇଛି ଯେ, ଗୋଟିଏ ମୁଖ୍ୟ ବାସଭବନରେ, ଅନ୍ୟଟି ମୋଜତବାଙ୍କ ଉପର ବାସଭବନରେ ଏବଂ ତୃତୀୟଟି ତାଙ୍କ ଶାଳକ ମିସବାହ ଅଲ-ହୁଦା ବାଘେରି କାନିଙ୍କ ଘର ଉପରେ ପଡ଼ିଲା। ଆକ୍ରମଣର ପ୍ରଭାବ ବର୍ଣ୍ଣନା କରି ହୁସେନି କହିଛନ୍ତି ଯେ, ଇରାନୀ ସାମରିକ ମୁଖ୍ୟ ମହମ୍ମଦ ଶିରାଜିଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇଯାଇ ଥିଲା ଏବଂ କେବଳ କିଛି କିଲୋ ମାଂସ ଦ୍ୱାରା ତାଙ୍କୁ ଚିହ୍ନଟ କରାଯାଇ ଥିଲା । ଅନ୍ୟ ଏକ କ୍ଷେପଣାସ୍ତ୍ର ବାଘେରି କାନିଙ୍କ ମୁଣ୍ଡକୁ ଦୁଇ ଭାଗ କରିଦେଇଥିଲା।

ଆହୁରି ମଧ୍ୟ କୁହାଯାଇଛି, ମୋଜତବା ଖାମେନିଙ୍କୁ ଆକ୍ରମଣରେ ଗୋଡ଼ରେ ସାମାନ୍ୟ ଆଘାତ ଲାଗି ଥିଲା। ତାଙ୍କ ପତ୍ନୀ ହଦ୍ଦାଦଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଥିଲା । ଦିବଂଗତ ନେତାଙ୍କ ଆଉ ଜଣେ ପୁଅ ମୁସ୍ତଫା ଖାମେନି ଓ ତାଙ୍କ ପତ୍ନୀ ମଧ୍ୟ ଅଳ୍ପକେ ବଞ୍ଚି ଯାଇ ଥିଲେ । ବର୍ତ୍ତମାନ ଏହି ଅଡିଓ ଲିକ୍ ହେବା ପରେ ମୋଜତବା ଖାମେନିଙ୍କ ସ୍ୱାସ୍ଥ୍ୟ ଏବଂ ସ୍ଥାନ ବିଷୟରେ କଳ୍ପନାଜଳ୍ପନା ଜୋର ଧରିଛି। ସଂଘର୍ଷ ଆରମ୍ଭ ହେବା ପର ଠାରୁ ତାଙ୍କୁ ସାଧାରଣରେ ଦେଖିବାକୁ ମିଳୁ ନାହିଁ, ଯାହାକି ତାଙ୍କ ଆଘାତର ଗମ୍ଭୀରତା ଉପରେ ପ୍ରଶ୍ନ ଉଠାଇଛି।

ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ତାଙ୍କ ଗୋଡ଼ କ୍ଷତିଗ୍ରସ୍ତ ହୋଇଛି, ଯଦିଓ ଏହା ସ୍ପଷ୍ଟ ହୋଇ ପାରି ନାହିଁ।