ନୂଆଦିଲ୍ଲୀ,୨୩/୦୬; ଆମ ଦେଶରେ ଭିନ୍ନ ଭିନ୍ନ ସମୁଦାୟ, ଜାତି ଓ ପରିବାର ବଂଶାବଳୀ ଦ୍ୱାରା ଗାଁଗୁଡ଼ିକୁ ପରିଚୟ ମିଳେ । କିନ୍ତୁ ବିହାରରେ ଏକ ଗାଁ ଭିନ୍ନ କାରଣ ପାଇଁ ଚର୍ଚ୍ଚିତ । ଗାଁର ପ୍ରତ୍ୟେକ ବାସିନ୍ଦା ଗୋଟିଏ ବର୍ଦ୍ଧିତ ପରିବାରର ସଦସ୍ୟ । ଗାଁର ନାଁ ବି ସ୍ୱତନ୍ତ୍ର । ଚମ୍ପାରନ ଜିଲ୍ଲାର ପାହାଡ଼ପୁର ବ୍ଲକ୍ରେ ଅବସ୍ଥିତ ଏହି ନିଆରା ଗାଁର ନାଁ ‘ଇଂଲିଶ’ । ତେବେ କେବଳ ନାଁ ଏହି ଗାଁକୁ ନିଆରା କରିନି, ଗାଁର ପୂରା ଲୋକସଂଖ୍ୟାର ମୂଳ ଜଣେ ପୂର୍ବପୁରୁଷଙ୍କ ସହ ଯୋଡ଼ି ହୋଇଛି । ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ, ଗାଁର କାହାଣୀ ଅଷ୍ଟାଦଶ ଶତାବ୍ଦୀ ପୁରୁଣା ଏବଂ ଫଲି ସିଂହ ନାମକ ଜଣେ ବ୍ୟକ୍ତିଙ୍କଠୁ ଆରମ୍ଭ ହୋଇଥିଲା । ବ୍ରିଟିଶ ପ୍ରଶାସନ ଅଧୀନରେ ସେ ସୁବେଦାର ଥିଲେ । ଇଂଲିଶ ଗାଁର ଅନ୍ୟତମ ସବୁଠୁ ବୟସ୍କ ବ୍ୟକ୍ତି ସୁଦାମା ସିଂହ କହିଛନ୍ତି, ଏକ ସୈନ୍ୟ ଅଭିଯାନରେ ବିଜୟ ପରେ ବ୍ରିଟିଶ ପ୍ରଶାସନ ଦ୍ୱାରା ଫଲି ସିଂହ ପୁରସ୍କୃତ ହୋଇଥିଲେ । ମାନ୍ୟତା ସ୍ୱରୂପ ତାଙ୍କୁ ୫୧ ବିଘା ଜମି ମିଳିଥିଲା । ସେହି ଖଣ୍ଡେ ଜମି ଶେଷରେ ଏକ ଗାଁର ମୂଳଦୁଆ ପକାଇଲା ।
ଶତାଧିକ ବର୍ଷ ପୂର୍ବେ ମିଳିଥିବା ଏହି ଜମିରେ ଆଜି ଇଂଲିଶ ଗାଁ ଗଢ଼ିଉଠିଛି । ୫୧ ବିଘା ମୂଳ ଜମିରୁ ପ୍ରାୟ ୨୫ ବିଘାରେ ଘର ନିର୍ମିତ ହୋଇଛି । ବଳକା କ୍ଷେତ୍ର ରାସ୍ତା ଓ ଚାଷ ଜମି ଭାବେ ବ୍ୟବହୃତ ହେଉଛି । ଗ୍ରାମବାସୀ ସାଇତି ରଖିଥିବା ଐତିହାସିକ ତଥ୍ୟ ଅନୁସାରେ, ପୁରସ୍କାର ସ୍ୱରୂପ ଜମି ପାଇବା ପରେ ଫଲି ସିଂହ ଏହାର ସୀମାଙ୍କନ କରାଇଥିଲେ । କିନ୍ତୁ ପରେ ସିୱନ ଜିଲ୍ଲାର ମହାରାଜଗଞ୍ଜ ସ୍ଥିତ ନିଜର ପୈତୃକ ଗାଁ ରୂପନ୍ଦିପୁରକୁ ସେ ଫେରିଗଲେ । ତାଙ୍କ ପୁଅ ମହିପତ ସିଂହ ଏହି ଜମିକୁ ଫେରିଲେ ଏବଂ ସେଠାରେ ଏକ ଘର ନିର୍ମାଣ କଲେ । ସମୟ ବିତିବା ସହିତ ତାଙ୍କ ଭାଇ ସେଠାକୁ ଆସି ତାଙ୍କ ସହ ରହିଲେ ଏବଂ ଇଂଲିଶ ଗାଁର ମୂଳଦୁଆ ପକାଇଲେ । ସୁଦାମା ସିଂହଙ୍କ ଅନୁସାରେ, ଫଲି ସିଂହଙ୍କର ୪ ପୁଅ ଥିଲେ । ସେମାନଙ୍କ ବଂଶଧରଙ୍କ ଦ୍ୱାରା ହିଁ ପୂରା ଗାଁ ଗଢ଼ିଉଠିଛି । ପିଢ଼ି ପରେ ପିଢ଼ି ପରିବାର ବଢ଼ିଲେ, କିନ୍ତୁ ବଂଶ ଅପରିବର୍ତ୍ତିତ ରହିଲା । ଆଜି ଇଂଲିଶ ଗାଁରେ ଗୋଟିଏ ପରିବାରର ପ୍ରାୟ ୧୨୫ ଘର ଅଛି । ଗାଁରେ ପ୍ରାୟ ୬୦୦ ପରିବାର ସଦସ୍ୟ ରହୁଛନ୍ତି ।
ସେଥିପାଇଁ ଏହା ଦେଶର ଅନ୍ୟତମ ବିରଳ ଗାଁର ପରିଚୟ ପାଇଛି, ଯେଉଁଠି ପୂରା ସମ୍ପ୍ରଦାୟ ଜଣେ ପୂର୍ବପୁରୁଷଙ୍କ ବଂଶଧର । ଇଂଲିଶ ଗାଁ ରାଜପୁତ ବସ୍ତି ଭାବେ ମଧ୍ୟ ବେଶ ପରିଚିତ । ଗାଁ ଲୋକଙ୍କ ଅନୁସାରେ, ବ୍ରିଟିଶ ପ୍ରଶାସନ ପରବର୍ତ୍ତୀ ସମୟରେ ଫଲି ସିଂହଙ୍କୁ ‘ରାୟ’ ଉପାଧିରେ ସମ୍ମାନିତ କରିଥିଲା । ତା’ପରେ ସେ ସୁବେଦାର ଫଲି ରାୟ ନାମରେ ପରିଚିତ ହେଲେ । ଗାଁରେ ରୂପାନ୍ତରିତ ହୋଇଥିବା ୫୧ ବିଘା ଜମି ସମେତ ଚାଷ ଉଦ୍ଦେଶ୍ୟରେ ସରାଇୟା ପଞ୍ଚାୟତରେ ତାଙ୍କୁ ଆଉ ୧୦୦ ବିଘା ଜମି ମଧ୍ୟ ମିଳିଥିଲା । ତେବେ ସ୍ୱାଧୀନତା ପରେ ଭାରତର ଭୂମି ସଂସ୍କାର ପଦକ୍ଷେପ ପରେ ଏହି ଚାଷଜମିର ଏକ ଅଂଶ ଭଡ଼ାଟିଆ ଚାଷୀଙ୍କୁ ପୁନଃ ଆବଣ୍ଟିତ ହୋଇଥିଲା । ଏହି ପରିବର୍ତ୍ତନ ସତ୍ତେ୍ୱ ଫଲି ସିଂହଙ୍କ ଐତିହ୍ୟ ଇଂଲିଶ ଗାଁର ନିଆରା ପରିଚୟକୁ ବଜାୟ ରଖିଛି । ବ୍ରିଟିଶ ପ୍ରଶାସନରୁ ପ୍ରଦତ୍ତ ଏହି ଜମି ଦୀର୍ଘ ଶତାବ୍ଦୀ ପରେ ବି ଗୋଟିଏ ପରିବାର ବୃକ୍ଷ ଦ୍ୱାରା ବାନ୍ଧି ହୋଇଛି ।
ଏହା ବି ପଢନ୍ତୁ...Brahmos-missile : ପାକିସ୍ତାନକୁ ଘାଇଲା କରିଥିବା ଘାତକ ଭାରତୀୟ କ୍ଷେପଣାସ୍ତ୍ରକୁ କିଣିବାକୁ ଆଗ୍ରହୀ ଏହି ମୁସଲିମ୍ ଦେଶ, ଆଲୋଚନା କରୁଛନ୍ତି ଆଉ ୪ ଦେଶ…