ଭୁବନେଶ୍ୱର, ୨୩।୬: କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ(ସିଇଏ) ଓ ଇଣ୍ଡିଆ ଗ୍ରୀଡ ତଥ୍ୟକୁ ତର୍ଜମା କଲେ ଦେଶର ସର୍ବୋଚ୍ଚ ବିଦ୍ୟୁତ ଚାହିଦା ଅଭିବୃଦ୍ଧି ହୋଇଥିବା ରାଜ୍ୟଗୁଡ଼ିକର ତାଲିକାରେ ଓଡ଼ିଶା ୧୬ତମ ସ୍ଥାନରେ ରହିଛି । ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ବିଦ୍ୟୁତ୍ ଚାହିଦା ଅଭିବୃଦ୍ଧି ଦେଶରେ ସର୍ବାଧିକ ୬୩.୭୮% । ତା’ପରକୁ ବିହାରର ଅଭିବୃଦ୍ଧି ୫୭.୩୬ ଧ ହୋଇଛି । ଦେଶର ପୂର୍ବ, ଉତ୍ତର, ପଶ୍ଚିମ ଓ ଦକ୍ଷିଣାଞ୍ଚଳର ପ୍ରତ୍ୟେକ ପ୍ରମୁଖ ୪ଟି ରାଜ୍ୟକୁ ନେଇ ୧୬ଟି ରାଜ୍ୟର ଗତ ୫ ବର୍ଷ ୨୦୧୮-୧୯ରୁ ୨୦୨୩-୨୪ ବ୍ୟବଧାନରେ ହୋଇଥିବା ସର୍ବୋଚ୍ଚ ବିଦ୍ୟୁତ୍ ଚାହିଦା ଅଭିବୃଦ୍ଧି ତଥ୍ୟ ସମୀକ୍ଷାରୁ ଏହା ଜଣାପଡ଼ିଛି । ପୂର୍ବାଞ୍ଚଳର ୪ ରାଜ୍ୟ ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗର ବିଦ୍ୟୁତ ଚାହିଦା ଅଭିବୃଦ୍ଧି ଓଡ଼ିଶା ତୁଳନାରେ ଅଧିକ ରହିଛି । ସେହିପରି ଦେଶର ଉତ୍ତର, ପଶ୍ଚିମ ଓ ଦକ୍ଷିଣାଞ୍ଚଳର ପ୍ରମୁଖ ରାଜ୍ୟଗୁଡ଼ିକର ବିଦ୍ୟୁତ୍ ଚାହିଦା ଅଭିବୃଦ୍ଧି ମଧ୍ୟ ଓଡ଼ିଶାଠାରୁ ଢ଼େର ଅଧିକ ।
୨୦୧୮-୧୯ରେ ଓଡ଼ିଶାର ମୋଟ ଉପଭୋକ୍ତାଙ୍କ ସଂଖ୍ୟା ପ୍ରାୟ ୮୩ ଲକ୍ଷ ଥିବା ବେଳେ ବିଦ୍ୟୁତ୍ ଚାହିଦା ୫୩୫୭ ମେଗାୱାଟ୍ ଥିଲା । ୨୦୨୩-୨୪ ବେଳକୁ ରାଜ୍ୟର ମୋଟ ଉପଭୋକ୍ତାଙ୍କ ସଂଖ୍ୟା ୯୪ ଲକ୍ଷରେ ପହଞ୍ଚିଥିବା ବେଳେ ବିଦ୍ୟୁତ୍ ଚାହିଦା ମାତ୍ର ୨୦.୨୭% ବୃଦ୍ଧି ପାଇ ୬୪୪୩ ମେଗାୱାଟରେ ପହଞ୍ଚିଛି । ଏହି ସମୟରେ ଆମ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ବିଦ୍ୟୁତ ଚାହିଦା ୬୩.୭୮% ପ୍ରତିଶତ ବୃଦ୍ଧି ପାଇ ୨୦୨୩-୨୪ରେ ୨୧୯୩ ମେଗାୱାଟରେ ପହଞ୍ଚି ଥିବା ବେଳେ ବିହାରର ଚାହିଦା ୫୭.୩୬% ବୃଦ୍ଧିପାଇ ୨୦୨୩-୨୪ରେ ୮୦୪୯ ମେଗାୱାଟରେ ପହଞ୍ଚିଛି । ବିଦ୍ୟୁତ ଚାହିଦା ଅଭିବୃଦ୍ଧିରେ ଝାଡ଼ଖଣ୍ଡ ଦେଶରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ବିହାର ଦ୍ୱିତୀୟ ସ୍ଥାନରେ ରହିଛି । ପଶ୍ଚିମାଞ୍ଚଳର ରାଜ୍ୟ ମଧ୍ୟରେ ଗୁଜୁରାଟ ବିଦ୍ୟୁତ୍ ଚାହିଦା ୪୫.୬୦% ବୃଦ୍ଧିପାଇ ୨୦୨୩-୨୪ରେ ୨୪୮୨୯ ମେଗାୱାଟରେ ପହଞ୍ଚି ତୃତୀୟ ସ୍ଥାନରେ ରହିଛି । ଦକ୍ଷିଣାଞ୍ଚଳ ରାଜ୍ୟ ମଧ୍ୟରେ ତେଲଙ୍ଗାନାର ବିଦ୍ୟୁତ ଚାହିଦା ୪୪.୪୫% ବୃଦ୍ଧିପାଇ ୨୦୨୩-୨୪ରେ ୧୫୬୨୨ ମେଗାୱାଟରେ ପହଞ୍ଚିବା ସହିତ ଚତୁର୍ଥ ସ୍ଥାନ ଅଧିକାର କରିଥିବା ବେଳେ ଉତ୍ତରପ୍ରଦେଶର ଚାହିଦା ୪୧.୪୧% ବୃଦ୍ଧିପାଇ ୨୮୭୦୪ ମେଗାୱାଟରେ ପହଞ୍ଚି ପଞ୍ଚମ ସ୍ଥାନରେ ରହିଛି ।
ପଞ୍ଜାବ ବିଦ୍ୟୁତ୍ ଚାହିଦା ୨୧.୦୧% ବୃଦ୍ଧିପାଇ ୧୫୨୯୩ ମେଗାୱାଟରେ ପହଞ୍ଚି ୧୫ତମ ସ୍ଥାନରେ ରହିଛି । ତା ଉପରକୁ ତାମିଲନାଡୁର ୨୩.୦୧% ବୃଦ୍ଧିପାଇ ୧୯୦୪୫ ମେଗାୱାଟରେ ପହଞ୍ଚିବା ସହ ୧୪ତମ ସ୍ଥାନରେ ଅଛି । ଏହି ତର୍ଜମାରୁ ଆହୁରି ଜଣାପଡିଛି, ପାଞ୍ଚବର୍ଷ ଅବଧିରେ ଭାରତର ହାରାହାରି ବିଦ୍ୟୁତ ଚାହିଦା ୩୭.୪୨% ବୃଦ୍ଧି ପାଇଛି । ରାଜ୍ୟର ସର୍ବମୋଟ ଦ୍ରବ୍ୟ ଓ ସେବାର ଉତ୍ପାଦନ ଏବଂ ବ୍ୟବସାୟ ପରିମାଣ ଏହାର ବିଦ୍ୟୁତ ଚାହିଦାରୁ ସହଜରେ ଆକଳନ କରିହୁଏ । କାରଣ ବିନା ବିଦ୍ୟୁତରେ ଉତ୍ପାଦନ ଓ ବ୍ୟବସାୟ ସମ୍ଭବ ନୁହେଁ । ସେଥିପାଇଁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଡିଆ ଗ୍ରୀଡ୍ ପ୍ରତିଦିନର ବିଦ୍ୟୁତ୍ ଚାହିଦା ରିପୋର୍ଟ ଏବଂ ଏହାର ମାସିକ, ତ୍ରୈମାସିକ ଓ ବାର୍ଷିକ ରିପୋର୍ଟ ପ୍ରକାଶ କରୁଛନ୍ତି । ଇଣ୍ଡିଆ ଗ୍ରୀଡର ଚଳିତ ବର୍ଷ ମେ ୨୨ ତାରିଖ ବିଦ୍ୟୁତ ଚାହିଦା ରିପୋର୍ଟ ଅନୁସାରେ ଭାରତର ସର୍ବୋଚ୍ଚ ଚାହିଦା ଏହାର ପୂର୍ବଦିନ ମେ ୨୧ରେ ୨୭୧ ଗିଗାୱାଟ(୨ଲକ୍ଷ ୭୦ହଜାର ୮୨୦ମେଗାୱାଟ) ଥିଲା ।
ଏହା ବି ପଢ଼ନ୍ତୁ... Book Printing: ସରକାରୀ ସଂସ୍ଥାର ଘରୋଇ ପ୍ରେସ୍ ପ୍ରୀତି, ନିଜର ଛାପିବା କ୍ଷମତା ଥାଇ ଘରୋଇ ହାତକୁ ୨୧ କୋଟିରେ ଟେକି ଦେଲେ
ସେହିଦିନ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ଗୁଜୁରାଟ ଯଥାକ୍ରମେ ୩୧୪୫୮ ମେଗାୱାଟ, ୨୯୦୬୯ ମେଗାୱାଟ ଓ ୨୫୯୯୨ ମେଗାୱାଟ ବିଦ୍ୟୁତ ବ୍ୟବହାର କରି ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ବେଳେ ଓଡ଼ିଶା ମାତ୍ର ୮୩୧୩ ମେଗାୱାଟ ବ୍ୟବହାର କରି ୧୪ମ ସ୍ଥାନରେ ରହିଛି । ଆଶ୍ଚର୍ଯ୍ୟର କଥା ଓଡ଼ିଶା ସମକକ୍ଷ କିମ୍ବା ଅପେକ୍ଷାକୃତ କମ ଆୟତନ ଓ ଲୋକସଂଖ୍ୟା ବିଶିଷ୍ଟ ଆନ୍ଧ୍ରପ୍ରଦେଶ, ପଞ୍ଜାବ, ହରିୟାନା ଓ ତେଲଙ୍ଗାନା ରାଜ୍ୟର ଚାହିଦା ସେହିଦିନ ଯଥାକ୍ରମେ ୧୫୦୧୬ ମେଗାୱାଟ, ୧୩୪୨୭ ମେଗାୱାଟ, ୧୨୯୪୫ ମେଗାୱାଟ ଓ ୧୨୬୬୯ ମେଗାୱାଟ ଥିଲା । ଏଥିରୁ ସ୍ପଷ୍ଟ ଅନୁମେୟ ଓଡ଼ିଶାର ଉତ୍ପାଦନ ଓ ବ୍ୟବସାୟ ଉକ୍ତ ରାଜ୍ୟଗୁଡ଼ିକଠାରୁ ଢେର କମ ରହିଛି । ୧୯୯୦ରେ ଆନ୍ଧ୍ର ଏବଂ ଓଡ଼ିଶାର ବିଦ୍ୟୁତ ଚାହିଦା ପ୍ରାୟ ସମାନ ଥିବା ବେଳେ ୨୦୨୬ରେ ତେଲଙ୍ଗାନା ଅଲଗା ହେବା ସତ୍ତେ୍ୱ ଆନ୍ଧ୍ରର ଚାହିଦା ଓଡ଼ିଶା ତୁଳନାରେ ଦୁଇଗୁଣ ରହିଛି ।
ତେବେ ଏସମ୍ପର୍କରେ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଚାରି ଦଶନ୍ଧି ତଳେ ଆନ୍ଧ୍ରପ୍ରଦେଶରୁ ଲୋକ ଦାଦନ ଖଟିବାକୁ ଓଡ଼ିଶା ଆସୁଥିଲେ । ଏବେ ଓଡ଼ିଶାରୁ ଆନ୍ଧ୍ରକୁ ଯାଉଛନ୍ତି । ରାଜ୍ୟରେ ବିଦ୍ୟୁତ ଚାହିଦା ବୃଦ୍ଧିକୁ ନେଇ ସରକାରଙ୍କର ନକରାତ୍ମକ ଆଭିମୁଖ୍ୟ ରହୁଛି । ବାସ୍ତବତା ହେଉଛି, ସିଇଏର ୨୦୨୩-୨୪ ତଥ୍ୟ ଅନୁସାରେ ଓଡ଼ିଶାର ଘରୋଇ, ବାଣିଜ୍ୟ ଓ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପର ମୁଣ୍ଡପିଛା ବିଦ୍ୟୁତ ବ୍ୟବହାର ମାତ୍ର ୨୫୮ ୟୁନିଟ୍ ରହିଥିବା ବେଳେ ଜାତୀୟ ହାର ୪୨୦ ୟୁନିଟ୍ ଅଛି । ଆନ୍ଧ୍ରର ମୁଣ୍ଡପିଛା ବିଦ୍ୟୁତ୍ ବ୍ୟବହାର ଜାତୀୟ ହାର ସହ ସମାନ । ଯେହେତୁ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଉପରୋକ୍ତ ତିନି ଶ୍ରେଣୀର ଉପଭୋକ୍ତା ଅଧିକ ବ୍ୟବହାର କରନ୍ତି, ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ ଓଡ଼ିଶାର ଉପଭୋକ୍ତା ଜାତୀୟ ହାର ଓ ଆନ୍ଧ୍ରଠାରୁ କମ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ବ୍ୟବହାର କରୁଛନ୍ତି ।