ଭୁବନେଶ୍ୱର/ଉମରକୋଟ,୨୩/୦୬: ମହିଳାଙ୍କୁ ବ୍ଲାକ୍ମେଲ୍ କରି ଲୁଟ୍ କରିବା ମହଙ୍ଗା ପଡ଼ିଛି ଗଞ୍ଜାମ ସାନେଖେମୁଣ୍ଡି ଡାକ୍ତର ଅବିନାଶ ମହାନ୍ତଙ୍କୁ । ମହିଳାଙ୍କ ଅଭିଯୋଗ ପରେ ଏୟାରଫିଲ୍ଡ ଥାନା ପୁଲିସ୍ ଅବିନାଶଙ୍କୁ ନବରଙ୍ଗପୁର ଜିଲ୍ଲା ଉମରକୋଟର ଏକ ହୋଟେଲ୍ରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତ (ଝାରପଡା ଜେଲ୍)କୁ ପଠାଇ ଦିଆଯାଇଛି ।
ଏୟାରଫିଲ୍ଡ ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ସ୍ୱାମୀଙ୍କ ସହ ହୋଇଥିବା ମନୋମାଳିନ୍ୟର ଫାଇଦା ଉଠାଇଥିଲେ ସମ୍ପୃକ୍ତ ଡାକ୍ତର । ମହିଳାଙ୍କ ସୋସିଆଲ୍ ମିଡିଆର ଦୁଃଖ ଭରା ପୋଷ୍ଟ୍ ଜରିଆରେ ମହିଳାଙ୍କ ନିକଟତର ହୋଇଥିଲେ ଅବିନାଶ । ନିଜ ଘର ଜୟପୁରରେ ବୋଲି କହିଥିଲେ । ଏମିତିକି ଦୁଃଖ ସମୟରେ କେମିତି ରହିବେ କେମିତି ମାନସିକ ଚିକିତ୍ସା ହେବ ସେ ବିଷୟରେ ଉପରେ ପଡ଼ି ଟିପ୍ସ ଦେବାକୁ ଲାଗିଲେ । ପ୍ରଥମେ ମହିଳା ଜଣଙ୍କ ଏଥିରୁ ଦୂରେଇ ରହିଥିଲେ । ହେଲେ କିଛି ଦିନ ଗଲା ପରେ ତାଙ୍କ ସହ ବନ୍ଧୁତା ହୋଇଥିଲା । ପରେ ଉଭୟ ଅନ୍ତରଙ୍ଗ ସମୟ ବିତାଇଥିଲେ । ତେବେ ଡାକ୍ତର ଜଣଙ୍କ ଏହି ସମୟରେ ନିଜ ମୋବାଇଲ୍ ଫୋନ୍ରେ ଭିଡିଓ ରେକର୍ଡିଂ କରି ନେଇଥିଲେ ।
ପ୍ରେମ କରିବାର ଅଭିନୟ କରି ଅବିନାଶ ମହିଳାଙ୍କଠାରୁ ସୁନା, ଲକ୍ଷଲକ୍ଷ ଟଙ୍କା ଓ ଅନ୍ୟ ମୂଲ୍ୟବାନ ଜିନିଷପତ୍ର ନେଇଥିଲେ। କେବଳ ଏତିକି ନୁହେଁ, ମହିଳାଙ୍କ ସହ ଡାକ୍ତର ଦୁବାଇ ମଧ୍ୟ ଯାଇଥିଲେ । ସେଠାରେ ଡାକ୍ତରଙ୍କ ଜନ୍ମଦିନ ସେଲିବ୍ରେସନ କରିଥିଲେ । ସେ ସମସ୍ତ ବିଲ୍ ମଧ୍ୟ ତଞ୍ଚକତା କରି ମହିଳାଙ୍କ ଦ୍ୱାରା ପୈଠ କରାଇଥିଲେ । ହେଲେ ସେଠାରେ ଉଭୟ ଏକାଠି ଥିବା ସମୟରେ ମହିଳା ଜାଣିବାକୁ ପାଇଥିଲେ ଡାକ୍ତରଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଅଛି ।
ଅଧିକ ପଢ଼ନ୍ତୁ :- BLO Suspended : SIR କାର୍ଯ୍ୟରେ ଅବହେଳା ମହଙ୍ଗା ପଡିଲା , ଚାକିରିରୁ ନିଲମ୍ବିତ ହେଲେ ବିଏଲଓ
ଓଡ଼ିଶା ଫେରିବା ପରେ ଘଟଣା ବିଷୟରେ ମହିଳା ଡାକ୍ତରଙ୍କୁ ପଚାରିଥିଲେ । ହେଲେ ସେ ମନା କରିଥିଲେ । ହେଲେ ମହିଳା ତାଙ୍କୁ ଗୁଡ଼େଇତୁଡେଇ ପ୍ରଶ୍ନ କରିବାରୁ କ୍ରୋଧିତ ଡାକ୍ତର ତାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରିଦେବାକୁ ଧମକ ଦେଇଥିଲେ । ଖାଲି ସେତିକି ନୁହେଁ ଗଳା କାଟି ହତ୍ୟା କରିଦେବେ ବୋଲି ମଧ୍ୟ କହିଥିଲେ । ଏମିତି ଡାକ୍ତର ଜଣଙ୍କ କହିଥିଲେ, ମୋ ବାପା ପୁଲିସ୍... । ମୋର କେହି କିଛି କରି ପାରିବେ ନାହିଁ । ମହିଳା ଜଣଙ୍କ ତାଙ୍କ ସହ ସମ୍ପର୍କ କାଟି ଦେଇଥିଲେ । ଦେଇଥିବା ୨ଟି ସୁନା ମୁଦି, ସୁନା ଚେନ୍, ୨ଟି ଲକେଟ୍, ଆଇଫୋନ୍-୧୭, ୧୦ରୁ ଅଧିକ ଟଙ୍କା ଓ ଅନ୍ୟ ମୂଲ୍ୟବାନ ଜିନିଷପତ୍ର ଫେରସ୍ତ ମାଗିଥିଲେ । ଟଙ୍କା ସୁନା ଫେରାଇବା ବଦଳରେ ଡାକ୍ତର ତାଙ୍କୁ ଧମକ ଦେଇଥିଲେ । କିଛି ଉତ୍ତର ନ ପାଇ ମହିଳା ଜଣଙ୍କ ଥାନାରେ ଏତଲା ଦେଇଥିଲେ ।
ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ସମୟରେ ସେ ସାନେଖେମୁଣ୍ଡିରୁ ଫେରାର ହୋଇ ନବରଙ୍ଗପୁର ଜିଲ୍ଲା ଉମରକୋଟ ପଳାଇଥିଲେ । ସେଠାରେ ଏକ ହୋଟେଲ୍ରେ ଲୁଚିଥିଲେ । ପୁଲିସ୍ ଗତକାଲି ରାତିରେ ଉକ୍ତ ହୋଟେଲ୍ରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା । ୪ ବର୍ଷ ପୂର୍ବେ ସେ ଉମରକୋଟର ସିଂସାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାମ କରୁଥିଲେ । ଓପିଏସସି ପାଇବା ପରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଡେଙ୍ଗାଓସ୍ତା ସ୍ୱାସ୍ଥ୍ୟକେନ୍ଦ୍ରରେ ଏବେ କାର୍ଯ୍ୟରତ ।