ଭୁବନେଶ୍ୱର,୨୩/୦୬:  ନିଜସ୍ୱ ମୁଦ୍ରଣ ପ୍ରେସ୍ ଥିବା ସତ୍ତେ୍ୱ କୋଟି କୋଟି ଟଙ୍କା ଘରୋଇ ସଂସ୍ଥାକୁ ଦେଇଥିଲା ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ନିର୍ଦ୍ଦେଶାଳୟ (ଟିବିପିଏମ୍) । ଚଳିତ ଶିକ୍ଷା ବର୍ଷ ପାଇଁ ବହି ଛାପିବାକୁ ୨୧ କୋଟି ଟଙ୍କା ନେଇଛନ୍ତି ଘରୋଇ ପ୍ରେସ୍ ସଂସ୍ଥା । ନିଜର ଛପାଇବା କ୍ଷମତା ଥାଇ ମଧ୍ୟ ବିଭିନ୍ନ ଆଳ ଦେଖାଇ ଏମିତି ଘରୋଇ ସଂସ୍ଥାକୁ ଟେକି ଦେଇଥିଲେ ମୁଦ୍ରଣ ଦାୟିତ୍ୱ । ସେଠାରେ ପ୍ରୁଫ୍ ରିଡିଂ ସେକ୍ସନ ଅଛି କି ନାହିଁ ତାହା ମଧ୍ୟ ସନ୍ଦେହରେ । ସିଡିରେ ଯାହା ଦେଲେ ଏସ୍ସିଇଆର୍ଟି ତାକୁ ସିଧାସଳଖ ଛାପି ଦେଇ ବସିଲେ ।

ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଶିକ୍ଷା ବର୍ଷ (୨୦୨୬-୨୭) ପାଇଁ ୨ କୋଟି ୯୮ ଲକ୍ଷ ୨୯ ହଜାର ୨୭୩ ଖଣ୍ଡ ବହି ଛାପିବାକୁ ଯୋଜନା ହୋଇଥିଲା । ଯାହା ଗତବର୍ଷ ଅପେକ୍ଷା ୨୭ ଲକ୍ଷ ୪୮ ହଜାର ୪୭୩ ଖଣ୍ଡ ଅଧିକ ଥିଲା । ନିୟମ କହୁଛି, ସରକାରୀ ସ୍କୁଲ ବହି ସରକାରୀ ପ୍ରେସ୍‌ରେ ଛପା ଯିବ ।ସରକାରୀ ପ୍ରିଣ୍ଟିଂ ପ୍ରେସ୍‌ର ଛାପିବା ପାଇଁ କ୍ଷମତା ଥିବା ସତ୍ତେ୍ୱ ତାର ଉପଯୋଗ କରାଯାଉନି । ଓଲଟି ଅଧିକ ସଂଖ୍ୟାର ବହି ଛାପିବାର ଚାପ ଆଳ ଦେଖାଇ ଘରୋଇ ସଂସ୍ଥାକୁ କାମ ଦିଆଯାଉଛି । ଏହା କେବଳ ଏବର୍ଷର ଘଟଣା ନୁହେଁ, ବର୍ଷ ବର୍ଷ ଧରି ଚାଲିଛି ।

ଅଧିକ ବହି ଛପା ହେଉଥିବାର ଆଳ ଦେଖାଉଛନ୍ତି ଅଧିକାର

ଟିବିପିଏମ୍ ପକ୍ଷରୁ ଗଣଶିକ୍ଷା ବିଭାଗକୁ ଏକ ଚିଠିରେ ସ୍ପଷ୍ଟୀକରଣ ଦିଆଯାଇଛି ଯେ, ଗତବର୍ଷ ମେ ୨୧ ତାରିଖରେ ଏକ ରାଜ୍ୟସ୍ତରୀୟ କମିଟି ବୈଠକ ହୋଇଥିଲା। ଏଥିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିକୁ ଜାତୀୟ ଶିକ୍ଷା ନୀତି ୨୦୨୦ ଏବଂ ଓଡ଼ିଶା ପାଠ୍ୟକ୍ରମ ରୂପରେଖ-୨୦୨୫ ଅନୁଯାୟୀ ନୂଆ ପାଠ୍ୟପୁସ୍ତକ ପ୍ରସ୍ତୁତି କରିବାକୁ ନିଷ୍ପତ୍ତି ନିଆଗଲା । ଏହାକୁ ଏସ୍ସିଇଆର୍ଟି ବିକଶିତ କରିବ ବୋଲି ନିଷ୍ପତ୍ତି ହେଲା । କୁହାଗଲା ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ମୋଟ୍ ୫୫ଟି ବିଷୟର ବହି ଛପା ଯିବ । ଏଥିପାଇଁ ୨ କୋଟି ୯୮ ଲକ୍ଷ ୨୯ ହଜାର ୨୭୩ ଖଣ୍ଡ ବହି ଛପାଯିବ ।

ଅଧିକ ପଢ଼ନ୍ତୁ :- Teacher Shortage: ବହି ସଂଶୋଧନ କରିବାକୁ ନାହାଁନ୍ତି ଶିକ୍ଷକ, ୧୦୮୯ ସ୍କୁଲରେ ଜଣେ ଶିକ୍ଷକ, ୫୦ ହଜାର ପଦ ଖାଲି

ହେଲେ ବର୍ତ୍ତମାନ ପାଠ୍ୟପୁସ୍ତକରେ ତ୍ରୁଟି ପରେ ଟିବିପିଏମ୍ ଘରୋଇ ପ୍ରେସ୍ ସଂସ୍ଥାକୁ ଦେଇ ଏବେ ଖସିବାକୁ ଚେଷ୍ଟା କରୁଛି । ଟିବିପିଏମ୍ କହିବା କଥା, ଗତବର୍ଷ ୪୬ ବିଷୟର ପାଠ୍ୟପୁସ୍ତକ ମୁଦ୍ରଣ କରାଯାଇଥିଲା । ଯାହା ଗତବର୍ଷ ୨ କୋଟି ୭୦ ଲକ୍ଷ ୮୦ ହଜାର ୮୦୦ ବହି ଛପାଯାଇଥିଲା । କିନ୍ତୁ ଏବର୍ଷ ଗତବର୍ଷ ଅପେକ୍ଷା ୨୭ ଲକ୍ଷ ୪୮ ହଜାର ୪୭୩ ଖଣ୍ଡ ବହି ଅଧିକ ମୁଦ୍ରଣ କରାଯାଇଛି । ଚଳିତବର୍ଷ ମୁଦ୍ରଣ ହୋଇଥିବା ବହିରେ ଅଧିକ ପୃଷ୍ଠା ରହିଛି । ମଲ୍ଟି କଲର ପ୍ରିଣ୍ଟିଂ କରାଯାଇଛି । ଏସଂଖ୍ୟାରେ ଏତେ ମାତ୍ରାର ପୃଷ୍ଠା ବହି ଛାପିବା ଟିବିପିଏମ୍ ସକ୍ଷମ ନୁହେଁ । ତେଣୁ ସରକାରଙ୍କୁ ଜଣାଇ ବାହାର ଘରୋଇ ସଂସ୍ଥାକୁ ବହି ଛାପିବାକୁ ଦିଆଯାଇଛି ବୋଲି ଟିବିପିଏମ୍ କହିଛି । ଏଥିପାଇଁ ୨୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।