ଭୁବନେଶ୍ୱର,୨୩/୬: ୨୦୨୬-୨୭ ଶିକ୍ଷା ବର୍ଷ ନିମନ୍ତେ ମାର୍ଚ୍ଚ ଶେଷ ସପ୍ତାହରୁ ରାଜ୍ୟର ସମସ୍ତ କ୍ଲଷ୍ଟରକୁ ପାଠ୍ୟପୁସ୍ତକ ଆସିବା ଆରମ୍ଭ ହେଲା । ଏପ୍ରିଲ୍ ପ୍ରଥମ ସପ୍ତାହରେ ରାଜ୍ୟର ଅନେକ ସ୍କୁଲରେ ବହି ପହଞ୍ଚିଲା । ଯେତେବେଳେ ସ୍କୁଲରେ ନୂଆ ବହିକୁ ଶିକ୍ଷକମାନେ ଖୋଲିଲେ ଏତେ ସଂଖ୍ୟକ ତ୍ରୁଟି ଦେଖି ମୁଣ୍ଡ ଘୂରାଇ ଦେଲା ।
ପଞ୍ଚମ ଶ୍ରେଣୀ ସାମାଜିକ ବିଜ୍ଞାନ ‘ଆମ ବିଚିତ୍ର ବିଶ୍ୱ’ ବହିର ୪ ନମ୍ବର ପୃଷ୍ଠାରେ ‘ବ୍ରହ୍ମପୁର ଜିଲ୍ଲାର ହୁମ୍ମାଠାରେ ଲୁଣ ସଂଗ୍ରହ କରାଯାଏ’ ବୋଲି ଉଲ୍ଲେଖ ଥିଲା। ଏପ୍ରିଲ୍ ମାସ ୧୦ ତାରିଖ ଅର୍ଥାତ୍ ନୂଆ ଶିକ୍ଷାବର୍ଷ ଆରମ୍ଭର ସପ୍ତାହ ପରେ ଏହାକୁ ଦେଖି ଶିକ୍ଷକମାନେ ଆଚମ୍ବିତ ହେଲେ । ବ୍ରହ୍ମପୁର କେବେଠୁ ଜିଲ୍ଲା ହେଲା ବୋଲି ଖୋଜିଲେ । ଶିକ୍ଷକମାନେ ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନଜରକୁ ଆଣିଲେ । ଗଣଶିକ୍ଷା ବିଭାଗ ଚୁପ୍ ରହିଲା । କୌଣସି ପଦକ୍ଷେପ ନେଲା ନାହିଁ । ଏହାପରେ ବାରମ୍ବାର ଅନେକ ବନାନ୍ ଭୁଲ୍ ତଥ୍ୟ ଭୁଲ ଥିବା ନେଇ ଅଭିଯୋଗ ଆଣିଲେ ଶିକ୍ଷକ ଓ ଶିକ୍ଷକ ସଂଘ । ହେଲେ ଗଣଶିକ୍ଷା ବିଭାଗ କର୍ଣ୍ଣପାତ କଲା ନାହିଁ । ପ୍ରାୟ ଦୁଇ ମାସ ପରେ ଜୁନ୍ ମାସ ୨ ତାରିଖରେ ତ୍ରୁଟି ଓ ସଂଶୋଧନ ତାଲିକା ସହ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ସଂସ୍ଥା (ଏସ୍ସିଇଆର୍ଟି) ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)କୁ ଚିଠି କଲା । ଚିଠି ପାଇବାର ୬ ଦିନ ପରେ ଅର୍ଥାତ୍ ଜୁନ୍ ୮ ତାରିଖରେ ଓସେପା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କଲା । ଚିଠିରେ ଲେଖିଲେ ଯେ, ନୂଆ ପ୍ରଥମରୁ ଅଷ୍ଟମ ପାଠ୍ୟପୁସ୍ତକରେ ତ୍ରୁଟିକୁ ଏସ୍ସିଇଆର୍ଟି ଚିହ୍ନଟ କରିଛି । ଏହାର ତାଲିକା ପ୍ରଦାନ କରିଛି । ଏସ୍ସିଇଆର୍ଟି ଚିହ୍ନଟ କରିଥିବା ଭୁଲ୍କୁ ସଂଶୋଧନ କରି ସ୍କୁଲରେ ପଢ଼ାଇବା ପାଇଁ ପଦକ୍ଷେପ ନିଅ ।
ଅଧିକ ପଢ଼ନ୍ତୁ :- Book Printing: ସରକାରୀ ସଂସ୍ଥାର ଘରୋଇ ପ୍ରେସ୍ ପ୍ରୀତି, ନିଜର ଛାପିବା କ୍ଷମତା ଥାଇ ଘରୋଇ ହାତକୁ ୨୧ କୋଟିରେ ଟେକି ଦେଲେ
ଜୁନ୍ ୮ ତାରିଖରେ ଡିଇଓଙ୍କୁ ଚିଠି ହେବା ସତ୍ତେ୍ୱ ୧୦ ଦିନ ଯାଏ ସ୍କୁଲର ଶିକ୍ଷକମାନଙ୍କ ପାଖେ ଏହି ଚିଠିର କପି ପହଞ୍ଚିଲା ନାହିଁ । ‘ପ୍ରମେୟ’ରେ ଏହି ତ୍ରୁଟି ସଂପର୍କିତ ପ୍ରଥମେ ଖବର ପ୍ରକାଶ ପାଇଲା । ଏହା ପରେ ଶିକ୍ଷକମାନେ ଏତେ ତ୍ରୁଟି ସମ୍ପର୍କରେ ଜାଣି ଆଶ୍ଚର୍ଯ୍ୟ ହେଲେ । ନୂତନ ଶିକ୍ଷା ନୀତି ଲାଗୁ ହେଲା । ସେହି ଅନୁଯାୟୀ ନୂଆ ବହି ବାହାରିଲା । ରାଜ୍ୟ ସରକାରଙ୍କୁ ଖୁସି କରାଇବା ପାଇଁ ତରବରିଆ ଭାବେ ୬ ମାସରେ ପାଠ୍ୟପୁସ୍ତକ ପ୍ରସ୍ତୁତି କରି ଛାପି ଦେଲେ । ସିଲାବସରେ କ’ଣ ରହିବ? ପାଠ୍ୟପୁସ୍ତକ ସରିବା ପରେ ସେଥିରେ କ’ଣ ତ୍ରୁଟି ଅଛି? ଏସବୁକୁ କେହି ଯାଞ୍ଚ କଲେନି । ବଡ଼ କଥା ହେଲା, ବହି ସ୍କୁଲକୁ ଯିବା ପୂର୍ବରୁ ଜାନୁଆରୀରୁ ମାର୍ଚ୍ଚ ଯାଏ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଗଲା । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ସରକାର ଖର୍ଚ୍ଚ କଲେ । ପ୍ରଶିକ୍ଷଣ ସମୟରେ ଯେଉଁ ବହି ଉପରେ ପ୍ରଶିକ୍ଷଣ ଦିଆଗଲା ସେ ବହିର ବି ଦେଖା ମିଳିଲା ନାହିଁ । ଏମିତିକି ଶିକ୍ଷକମାନେ ମାଗିବା ସତ୍ତେ୍ୱ ପ୍ରିଣ୍ଟିଂ ବହି ଦୂରର କଥା ଏହାର ସଫ୍ଟ କପି ମଧ୍ୟ ଦିଆଗଲା ନାହିଁ । ଯଦି ବହି ପାଇଥାନ୍ତେ ତେବେ ହୁଏତ ସେ ସମୟରେ ସେମାନେ କିଛି ତ୍ରୁଟିକୁ ଚିହ୍ନଟ କରିପାରିଥାନ୍ତେ ବୋଲି ଶିକ୍ଷକମାନେ କହିଛନ୍ତି ।
ଏତିକି ନୁହେଁ ଏନ୍ସିଇଆର୍ଟିର ବହି ବଜାରକୁ ଛପା ହୋଇ ଆସିବା ପୂର୍ବରୁ ସେମାନଙ୍କ ୱେବ୍ସାଇଟ୍ରେ ସମସ୍ତ ବହିର କପି ଅପଲୋଡ୍ କରାଯାଏ । କିନ୍ତୁ ଏ କ୍ଷେତ୍ରରେ ଏସ୍ସିଇଆର୍ଟି ଏହା କରିନଥିଲା । ଆଚମ୍ବିତ କରୁଛି ଯେ, ପାଠ୍ୟପୁସ୍ତକର ପ୍ରକାଶକ ହେଉଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପାଠ୍ୟପୁସ୍ତକର ସଂପୂର୍ଣ୍ଣ ଦାୟିତ୍ୱ ଓସେପାରେ ଥିଲା । ଅର୍ଥାତ୍ ପାଠ୍ୟପୁସ୍ତକ ପ୍ରସ୍ତୁତିଠୁ ଆରମ୍ଭ କରି ମୁଦ୍ରଣ ହୋଇ ସ୍କୁଲକୁ ଯିବା ଯାଏ ସମସ୍ତ ଦାୟିତ୍ୱ ଓସେପାର ଥିଲା । ଏପରିକି କେଉଁ ପାଠ୍ୟପୁସ୍ତକ ପ୍ରସ୍ତୁତି ବାବଦକୁ କେତେ ଟଙ୍କା, ମୁଦ୍ରଣ ପାଇଁ କେତେ ଟଙ୍କା ଆଦି ସମସ୍ତ ଖର୍ଚ୍ଚ ପାଣ୍ଠି ଓସେପା ମଧ୍ୟ ପରିଚାଳନା କରୁଥିଲା । ହେଲେ ଯିଏ ପ୍ରକାଶକ କିପରି ନିଜର ପୁସ୍ତକ ଛପା ଯାଉଛି ତାର କିପରି ସମୀକ୍ଷା କଲା ନାହିଁ ତାକୁ ନେଇ ପ୍ରଶ୍ନ ଉଠୁଛି। ଏହା ଜାଣି ମଧ୍ୟ ତ୍ରୁଟିପୂର୍ଣ୍ଣ ବହି ଛାପି ଚାଲିଲା ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ନିର୍ଦ୍ଦେଶାଳୟ (ଟିବିପିଏମ୍) ।
ଏହାକୁ କେହିବି ରୋକିଲେ ନାହିଁ । ତ୍ରୁଟି ସାମ୍ନାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ବିରକ୍ତ ହେବା ପରେ ଏହାର କାରଣ ଖୋଜା ପଡୁ଼ଛି । ଏଥି ପ୍ରଶ୍ନ ହେଉଛି, ଏତେ ଭୁଲ୍ ଥିବା ଜାଣି ମଧ୍ୟ କାହିଁକି ଏହି ଘଟଣାକୁ ଚାପିବାକୁ ଚେଷ୍ଟା କରାଯାଉଥିଲା? ପିଲାଙ୍କ ଭବିଷ୍ୟତ ସହ କିଏ ଖେଳିବାକୁ ଚେଷ୍ଟା କରୁଛି? ଏମିତି ଅନେକ ପ୍ରଶ୍ନ କରୁଛନ୍ତି ଶିକ୍ଷାବିତ୍ ।