ଭୁବନେଶ୍ୱର,୨୩/୬: ୨୦୨୬-୨୭  ଶିକ୍ଷା ବର୍ଷ ନିମନ୍ତେ ମାର୍ଚ୍ଚ ଶେଷ ସପ୍ତାହରୁ ରାଜ୍ୟର  ସମସ୍ତ କ୍ଲଷ୍ଟରକୁ ପାଠ୍ୟପୁସ୍ତକ ଆସିବା ଆରମ୍ଭ  ହେଲା । ଏପ୍ରିଲ୍‌ ପ୍ରଥମ ସପ୍ତାହରେ ରାଜ୍ୟର  ଅନେକ ସ୍କୁଲରେ ବହି ପହଞ୍ଚିଲା । ଯେତେବେଳେ ସ୍କୁଲରେ ନୂଆ ବହିକୁ ଶିକ୍ଷକମାନେ ଖୋଲିଲେ ଏତେ ସଂଖ୍ୟକ ତ୍ରୁଟି ଦେଖି ମୁଣ୍ଡ ଘୂରାଇ ଦେଲା ।  

ପଞ୍ଚମ ଶ୍ରେଣୀ ସାମାଜିକ ବିଜ୍ଞାନ ‘ଆମ  ବିଚିତ୍ର ବିଶ୍ୱ’ ବହିର ୪ ନମ୍ବର ପୃଷ୍ଠାରେ  ‘ବ୍ରହ୍ମପୁର ଜିଲ୍ଲାର ହୁମ୍ମାଠାରେ ଲୁଣ ସଂଗ୍ରହ କରାଯାଏ’ ବୋଲି ଉଲ୍ଲେଖ ଥିଲା। ଏପ୍ରିଲ୍‌ ମାସ ୧୦ ତାରିଖ ଅର୍ଥାତ୍‌ ନୂଆ ଶିକ୍ଷାବର୍ଷ ଆରମ୍ଭର  ସପ୍ତାହ ପରେ ଏହାକୁ ଦେଖି ଶିକ୍ଷକମାନେ ଆଚମ୍ବିତ ହେଲେ । ବ୍ରହ୍ମପୁର କେବେଠୁ ଜିଲ୍ଲା  ହେଲା ବୋଲି ଖୋଜିଲେ । ଶିକ୍ଷକମାନେ ଏ ନେଇ ବିଦ୍ୟାଳୟ ଓ  ଗଣଶିକ୍ଷା ବିଭାଗ ନଜରକୁ ଆଣିଲେ । ଗଣଶିକ୍ଷା  ବିଭାଗ ଚୁପ୍‌ ରହିଲା । କୌଣସି ପଦକ୍ଷେପ ନେଲା ନାହିଁ । ଏହାପରେ ବାରମ୍ବାର ଅନେକ  ବନାନ୍‌ ଭୁଲ୍‌ ତଥ୍ୟ ଭୁଲ ଥିବା ନେଇ ଅଭିଯୋଗ  ଆଣିଲେ ଶିକ୍ଷକ ଓ ଶିକ୍ଷକ ସଂଘ । ହେଲେ  ଗଣଶିକ୍ଷା ବିଭାଗ କର୍ଣ୍ଣପାତ କଲା ନାହିଁ । ପ୍ରାୟ ଦୁଇ ମାସ ପରେ ଜୁନ୍‌ ମାସ ୨  ତାରିଖରେ ତ୍ରୁଟି ଓ ସଂଶୋଧନ ତାଲିକା ସହ  ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ସଂସ୍ଥା (ଏସ୍‌ସିଇଆର୍‌ଟି)  ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ  (ଓସେପା)କୁ ଚିଠି କଲା । ଚିଠି ପାଇବାର ୬  ଦିନ ପରେ ଅର୍ଥାତ୍‌ ଜୁନ୍‌ ୮ ତାରିଖରେ ଓସେପା  ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କଲା । ଚିଠିରେ  ଲେଖିଲେ ଯେ, ନୂଆ   ପ୍ରଥମରୁ ଅଷ୍ଟମ ପାଠ୍ୟପୁସ୍ତକରେ ତ୍ରୁଟିକୁ ଏସ୍‌ସିଇଆର୍‌ଟି ଚିହ୍ନଟ କରିଛି । ଏହାର  ତାଲିକା ପ୍ରଦାନ କରିଛି । ଏସ୍‌ସିଇଆର୍‌ଟି ଚିହ୍ନଟ  କରିଥିବା ଭୁଲ୍‌କୁ ସଂଶୋଧନ କରି ସ୍କୁଲରେ  ପଢ଼ାଇବା ପାଇଁ ପଦକ୍ଷେପ ନିଅ ।  

ଅଧିକ ପଢ଼ନ୍ତୁ :-  Book Printing: ସରକାରୀ ସଂସ୍ଥାର ଘରୋଇ ପ୍ରେସ୍‌ ପ୍ରୀତି, ନିଜର ଛାପିବା କ୍ଷମତା ଥାଇ ଘରୋଇ ହାତକୁ ୨୧ କୋଟିରେ ଟେକି ଦେଲେ

ଜୁନ୍‌ ୮ ତାରିଖରେ ଡିଇଓଙ୍କୁ ଚିଠି ହେବା  ସତ୍ତେ୍ୱ ୧୦ ଦିନ ଯାଏ ସ୍କୁଲର ଶିକ୍ଷକମାନଙ୍କ  ପାଖେ ଏହି ଚିଠିର କପି ପହଞ୍ଚିଲା ନାହିଁ ।  ‘ପ୍ରମେୟ’ରେ ଏହି ତ୍ରୁଟି ସଂପର୍କିତ ପ୍ରଥମେ  ଖବର ପ୍ରକାଶ ପାଇଲା । ଏହା ପରେ  ଶିକ୍ଷକମାନେ ଏତେ ତ୍ରୁଟି  ସମ୍ପର୍କରେ ଜାଣି  ଆଶ୍ଚର୍ଯ୍ୟ ହେଲେ । ନୂତନ ଶିକ୍ଷା ନୀତି ଲାଗୁ  ହେଲା । ସେହି ଅନୁଯାୟୀ ନୂଆ ବହି ବାହାରିଲା ।  ରାଜ୍ୟ ସରକାରଙ୍କୁ ଖୁସି କରାଇବା ପାଇଁ  ତରବରିଆ ଭାବେ ୬ ମାସରେ ପାଠ୍ୟପୁସ୍ତକ  ପ୍ରସ୍ତୁତି କରି ଛାପି ଦେଲେ । ସିଲାବସରେ କ’ଣ  ରହିବ? ପାଠ୍ୟପୁସ୍ତକ ସରିବା ପରେ ସେଥିରେ  କ’ଣ ତ୍ରୁଟି ଅଛି? ଏସବୁକୁ କେହି ଯାଞ୍ଚ  କଲେନି । ବଡ଼ କଥା ହେଲା, ବହି ସ୍କୁଲକୁ ଯିବା  ପୂର୍ବରୁ ଜାନୁଆରୀରୁ ମାର୍ଚ୍ଚ ଯାଏ ଶିକ୍ଷକମାନଙ୍କୁ  ପ୍ରଶିକ୍ଷଣ ଦିଆଗଲା । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା  ସରକାର ଖର୍ଚ୍ଚ କଲେ । ପ୍ରଶିକ୍ଷଣ ସମୟରେ  ଯେଉଁ ବହି ଉପରେ ପ୍ରଶିକ୍ଷଣ ଦିଆଗଲା ସେ  ବହିର ବି ଦେଖା ମିଳିଲା ନାହିଁ । ଏମିତିକି  ଶିକ୍ଷକମାନେ ମାଗିବା ସତ୍ତେ୍ୱ ପ୍ରିଣ୍ଟିଂ ବହି ଦୂରର  କଥା ଏହାର ସଫ୍ଟ କପି ମଧ୍ୟ ଦିଆଗଲା ନାହିଁ ।  ଯଦି ବହି ପାଇଥାନ୍ତେ ତେବେ ହୁଏତ ସେ  ସମୟରେ ସେମାନେ କିଛି ତ୍ରୁଟିକୁ ଚିହ୍ନଟ  କରିପାରିଥାନ୍ତେ ବୋଲି ଶିକ୍ଷକମାନେ କହିଛନ୍ତି ।

​​​​​​​

 ଏତିକି ନୁହେଁ ଏନ୍‌ସିଇଆର୍‌ଟିର ବହି  ବଜାରକୁ ଛପା ହୋଇ ଆସିବା ପୂର୍ବରୁ  ସେମାନଙ୍କ ୱେବ୍‌ସାଇଟ୍‌ରେ ସମସ୍ତ ବହିର  କପି ଅପଲୋଡ୍‌ କରାଯାଏ । କିନ୍ତୁ ଏ କ୍ଷେତ୍ରରେ  ଏସ୍‌ସିଇଆର୍‌ଟି ଏହା କରିନଥିଲା । ଆଚମ୍ବିତ  କରୁଛି ଯେ, ପାଠ୍ୟପୁସ୍ତକର ପ୍ରକାଶକ  ହେଉଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।  ପାଠ୍ୟପୁସ୍ତକର ସଂପୂର୍ଣ୍ଣ ଦାୟିତ୍ୱ ଓସେପାରେ  ଥିଲା । ଅର୍ଥାତ୍‌ ପାଠ୍ୟପୁସ୍ତକ ପ୍ରସ୍ତୁତିଠୁ ଆରମ୍ଭ  କରି ମୁଦ୍ରଣ ହୋଇ ସ୍କୁଲକୁ ଯିବା ଯାଏ ସମସ୍ତ  ଦାୟିତ୍ୱ ଓସେପାର ଥିଲା । ଏପରିକି କେଉଁ  ପାଠ୍ୟପୁସ୍ତକ ପ୍ରସ୍ତୁତି ବାବଦକୁ କେତେ ଟଙ୍କା,  ମୁଦ୍ରଣ ପାଇଁ କେତେ ଟଙ୍କା ଆଦି ସମସ୍ତ ଖର୍ଚ୍ଚ  ପାଣ୍ଠି ଓସେପା ମଧ୍ୟ ପରିଚାଳନା କରୁଥିଲା ।  ହେଲେ ଯିଏ ପ୍ରକାଶକ କିପରି ନିଜର ପୁସ୍ତକ  ଛପା ଯାଉଛି ତାର କିପରି ସମୀକ୍ଷା କଲା ନାହିଁ  ତାକୁ ନେଇ ପ୍ରଶ୍ନ ଉଠୁଛି। ଏହା ଜାଣି ମଧ୍ୟ  ତ୍ରୁଟିପୂର୍ଣ୍ଣ ବହି ଛାପି ଚାଲିଲା ପାଠ୍ୟପୁସ୍ତକ  ଉତ୍ପାଦନ ଓ ବିକ୍ରୟ ନିର୍ଦ୍ଦେଶାଳୟ (ଟିବିପିଏମ୍‌)  ।

ଏହାକୁ କେହିବି ରୋକିଲେ ନାହିଁ । ତ୍ରୁଟି  ସାମ୍ନାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ବିରକ୍ତ  ହେବା ପରେ ଏହାର କାରଣ ଖୋଜା ପଡୁ଼ଛି ।  ଏଥି ପ୍ରଶ୍ନ ହେଉଛି, ଏତେ ଭୁଲ୍‌ ଥିବା ଜାଣି  ମଧ୍ୟ କାହିଁକି ଏହି ଘଟଣାକୁ ଚାପିବାକୁ ଚେଷ୍ଟା  କରାଯାଉଥିଲା? ପିଲାଙ୍କ ଭବିଷ୍ୟତ ସହ କିଏ  ଖେଳିବାକୁ ଚେଷ୍ଟା କରୁଛି? ଏମିତି ଅନେକ  ପ୍ରଶ୍ନ କରୁଛନ୍ତି ଶିକ୍ଷାବିତ୍‌ ।