ଭୁବନେଶ୍ୱର ୧୬l୫: ସମଗ୍ର ବିଶ୍ୱରେ ଉତ୍କଳର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ, ଯାନିଯାତ୍ରା, ଶ୍ରୀମନ୍ଦିରର ନିର୍ମାଣ, କଳାଭାସ୍କର୍ଯ୍ୟ, ଇତିହାସ, ବିବିଧ ବେଶ, ଭୋଗ, ନୀତି, ଦିନଚର୍ଯ୍ୟା ସମ୍ବନ୍ଧରେ ଅଦ୍ୟାବଧି ସର୍ବାଧିକ ଗ୍ରନ୍ଥ ରଚନା ହୋଇପାରିଛି l ଶ୍ରୀଜଗନ୍ନାଥ ଉପାସନାର ବିଭିନ୍ନ ଦିଗ ଉପରେ ଶତାଧିକ ଗବେଷଣା ନିବନ୍ଧ ପ୍ରସ୍ତୁତ ହୋଇ ଭାରତ ସମେତ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟ ଦ୍ୱାରା ସ୍ୱୀକୃତି ପାଇଥିବା ବିଷୟରେ ଗ୍ରନ୍ଥ ଉନ୍ମୋଚନ ସମାରୋହରେ ଉପସ୍ଥିତ ବିଶିଷ୍ଟ ଅତିଥି ମାନେ ପ୍ରକାଶ କରିଛନ୍ତି l ଭୁବନେଶ୍ୱର ନିଉ ମ୍ୟାରିୟନ୍ ସଭାକକ୍ଷ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ବରିଷ୍ଠ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଭାସ୍କର ମିଶ୍ର ଓ ପ୍ରାକ୍ତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁଶାନ୍ତ କୁମାର ଦାଶଙ୍କ ଦ୍ୱାରା ରଚିତ ‘ରତ୍ନଭଣ୍ଡାର ଅଫ୍ ଶ୍ରୀଜଗନ୍ନାଥ ଟେମ୍ପଲ’ ଇଂରାଜୀ ପୁସ୍ତକର ଲୋକାର୍ପଣ ହୋଇଛି । ଉତ୍ସବରେ ଉଦ୍ଘାଟକ ଭାବେ ରାଜ୍ୟ ସଂସ୍କୃତି ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଶିଷ୍ଟ ଅତିଥି ଇନ୍ଦ୍ରମଣି ତ୍ରିପାଠୀ, ରାଜ୍ୟ ଶ୍ରମ କମିଶନର, ଓଡ଼ିଶା ଓ ମୁଖ୍ୟବକ୍ତା ରୂପେ ପ୍ରଫେସର ବସନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତି ଭିତ୍ତିକ ଏଭଳି ଉପାଦେୟ ଗ୍ରନ୍ଥ ରଚନା ଦ୍ୱାରା ସମଗ୍ର ବିଶ୍ୱରେ ଏହି ରହସ୍ୟମୟ ଠାକୁରଙ୍କ ସମ୍ବନ୍ଧରେ ଅନାଲୋଚିତ ସଠିକ୍ ତଥ୍ୟର ଉଦ୍ଘାଟିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ l ଗ୍ରନ୍ଥ ରଚୟିତା ଡକ୍ଟର ଭାସ୍କର ମିଶ୍ର ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସମେତ ଗ୍ରନ୍ଥ ସମ୍ପର୍କରେ ସମ୍ୟକ୍ ବିବରଣୀ ଉପସ୍ଥାପନ କରିଥିଲେ l
ଲୋକାର୍ପଣ ଉତ୍ସବର ପ୍ରାରମ୍ଭରେ ଶ୍ରୀ ବିଗ୍ରହ ମାନଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହି ଦିବ୍ୟ ଗ୍ରନ୍ଥର ଅନ୍ୟତମ ଯୁଗ୍ମ ରଚୟିତା ସୁଶାନ୍ତ କୁମାର ଦାଶ ଗ୍ରନ୍ଥରେ ଉଲ୍ଲିଖିତ ଅନେକ ତଥ୍ୟ ଓ ରତ୍ନଭଣ୍ଡାରର ବାସ୍ତବ ସ୍ଥିତି ଉପରେ ଆଲୋକପାତ କରିଥିଲେ l ବିଶିଷ୍ଟ ପ୍ରବକ୍ତା ଦେବେନ୍ଦ୍ର ଦାସ ଧ୍ୟାନମନ୍ତ୍ର ଆବୃତ୍ତି କରିଥିବା ବେଳେ ଗ୍ରନ୍ଥ ଲୋକାର୍ପଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ରୀଜଗନ୍ନାଥ ସଂସ୍କୃତିର ଉଦୀୟମାନ୍ ପ୍ରବକ୍ତା ଡ଼କ୍ଟର ମୃତୁ୍ୟଞ୍ଜୟ ରଥ l ଶେଷରେ ଗ୍ରନ୍ଥ ରଚୟିତା ସୁଶାନ୍ତ କୁମାର ଦାଶ ଧନ୍ୟବାଦ ଦେଇଥିଲେ l