କୌଣସି ଦେଶ ବା ଜାତିର ପ୍ରାକୃତିକ ଓ ମାନବ ସମ୍ବଳ ଠାରୁ ତା'ର ବଡ଼ ସମ୍ବଳ ହେଉଛି ଭାଷା ସଂସ୍କୃତି । ଭାଷା ସଂସ୍କୃତିକୁ ସମ୍ବଳ କରି ଗୋଟିଏ ଦେଶ ବା ଜାତିର ପରିଚୟ ସୃଷ୍ଟି ହୋଇଥାଏ । ମାତ୍ର ଓଡ଼ିଶା ଭଳି ଏକ ରାଜ୍ୟ ଓ ଭାରତ ଭଳି ଏକ ଦେଶରେ ବହୁ ଭାଷାଭାଷୀ ଅଞ୍ଚଳ ବା ଜାତି ଅଛନ୍ତି । ସେଥିମଧ୍ୟରୁ କେତେକ ଲିଖିତ ଭାଷା ହୋଇଥିବା ସ୍ଥଳେ ଆଉ କେତେକ କଥିତ ଭାଷା ହୋଇଥାଏ । ଲିଖିତ ଭାଷାଗୁଡ଼ିକ ସରକାରୀ ତଥା ଜାତୀୟ ଓ ଆନ୍ତର୍ଜାତିକ ମାନ୍ୟତା ପାଉଥିବା ସ୍ଥଳେ, କଥିତ ଭାଷାଗୁଡ଼ିକ ସେପରି ମାନ୍ୟତା ପାଇବାରୁ ବଞ୍ଚିତ ହୋଇଥାନ୍ତି । ବ୍ୟାବହାରିକ କଥିତ ଭାଷା ଓ ବ୍ୟାବହାରିକ ଲିଖିତ ଭାଷାକୁ କେନ୍ଦ୍ର କରି ଅନେକ କ୍ଷେତ୍ରରେ ଦେଶ-ଦେଶ, ପ୍ରଦେଶ-ପ୍ରଦେଶ ଓ ଅଞ୍ଚଳ-ଅଞ୍ଚଳ ମଧ୍ୟରେ ଭାବଗତ ସମନ୍ୱୟ ସୃଷ୍ଟି ହୋଇପାରେ ନାହିଁ । ତେଣୁ ଦେଖାଯାଏ କନ୍ଦଳ, ଭୁଲ୍ ବୁଝାମଣା, ଅନ୍ତଦ୍ୱର୍ନ୍ଦ୍ୱ, ହିଂସା, ବାଦ, ବିବାଦ ଓ ଯୁଦ୍ଧବିଗ୍ରହ । ଏଭଳି ଅନେକ ଘଟଣାର ଉଦାହରଣ ପାଠକମାନଙ୍କୁ ଅଜଣା ନାହିଁ । ଆମ ଦେଶ ଭାରତବର୍ଷ ଏକ ଭାଷାଭାଷୀ ଦେଶ ହୋଇପାରି ନାହିଁ ।

ଆଜି ମଧ୍ୟ ଭିନ୍ନ ଭିନ୍ନ ଭାଷା ସଂସ୍କୃତିକୁ କେନ୍ଦ୍ର କରି ରାଜ୍ୟ- ରାଜ୍ୟ ଓ ଅଞ୍ଚଳ-ଅଞ୍ଚଳ ମଧ୍ୟରେ ଗୁରୁତର କନ୍ଦଳ ଲାଗିରହିଛି । ଗୋଟିଏ ଦେଶରେ ରହି ମଧ୍ୟ ଗୋଟିଏ ଅଞ୍ଚଳର ଲୋକ ଆଉ ଗୋଟିଏ ଅଞ୍ଚଳକୁ ଗଲେ ସେଠାରେ ମୂକ ବଧିର ପାଲଟି ଯାଉଛି । ତା'ର ମନର ଭାବ ସେ ନିଜ ଭାଷାରେ ପ୍ରକାଶ କଲେ ସାମ୍ନାରେ ଥିବା ଲୋକ କିଛି ବୁଝି ପାରୁନାହିଁ । ଭାଷା ହେଉଛି ଚାରି ପ୍ରକାର: ପରା, ପଶ୍ୟନ୍ତି, ଉପାଂଶୁ ଓ ବୈଖାରୀ । ପରା ହେଉଛି ମନର ଭାବନା, ଯାହାକୁ ଆମେ ତିନି ପ୍ରକାରରେ ପ୍ରକାଶ କରୁ । ପ୍ରଥମଟି ହେଲା ପଶ୍ୟନ୍ତି, ଯାହା ଠାରନାର କରି କହୁ । ଯଥା- ହାତ ତଳକୁ କଲେ ତଳ ଏବଂ ଉପରକୁ କଲେ ଉପର ବୋଲି ବୁଝାଯାଏ । ହାତ ବାମକୁ କଲେ ବାମ ଓ ଡାହାଣକୁ କଲେ ଡାହାଣ ବୋଲି କୁହାଯାଏ । ପଶ୍ୟନ୍ତି ସମଗ୍ର ପୃଥିବୀବାସୀଙ୍କ ପାଇଁ ଏକା ପ୍ରକାର ହୋଇଥାଏ । ଉପାଂଶୁ ମାଧ୍ୟମରେ ଆମେ ଜପ କରୁ, ଯାହା କେବଳ ଆମକୁ ହିଁ ଶୁଣାଯାଏ ଏବଂ ବୈଖାରୀ ମାଧ୍ୟମରେ ଆମେ ଉଚ୍ଚ ସ୍ୱରରେ ଆମର ମନର ଭାବକୁ ଆମେ ପ୍ରକାଶ କରିଥାଉ । ଉତ୍ତର-ଭାରତର ଲୋକ ଦକ୍ଷିଣ-ଭାରତ ଗଲେ କିମ୍ବା ଦକ୍ଷିଣଭାରତର ଲୋକ ଉତ୍ତର-ଭାରତ ଗଲେ ଏ ପ୍ରକାର ଭାଷାଗତ ଅସୁବିଧା ଉପଲବ୍ଧି କରିହୁଏ । ଅନେକ କ୍ଷେତ୍ରରେ ହିନସ୍ତା ହଟହଟା ହେବା ସହ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ।

ଏବେ ଆମ ଓଡ଼ିଶା ରାଜ୍ୟ କଥା ବିଚାରକୁ ନିଆଯାଉ । ଭାଷାଭିତ୍ତିରେ ଓଡ଼ିଶା ରାଜ୍ୟ ଗଠିତ ହେବାର ଦୀର୍ଘ ଅଣାନବେ ବର୍ଷ ବିତିଗଲାଣି । ଓଡ଼ିଶା କେବଳ ଓଡ଼ିଆ ଭାଷାଭାଷୀ ଲୋକଙ୍କୁ ନେଇ ଗଠିତ ହୋଇନାହିଁ । ଏଠାରେ ବହୁ ଭାଷାଭାଷୀ ଲୋକ ଅଛନ୍ତି । ବିଶେଷତଃ ପ୍ରାୟ ୨୨% ଆଦିବାସୀ ଅଛନ୍ତି, ଯେଉଁମାନଙ୍କ ମାତୃଭାଷା ଓଡ଼ିଆ ନୁହେଁ । ସେହି ଭାଷାଗତ ସମସ୍ୟାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିଲାବେଳେ ଏବଂ ତାଙ୍କ ଅନୁପସ୍ଥିତିରେ କବି ଉମାଶଙ୍କର ପଣ୍ଡା ଉପ-ସଭାପତି ଭାବେ ସଭାପତିତ୍ୱ କରୁଥିଲାବେଳେ ଏକାଡେମୀର ଜଣେ ସଦସ୍ୟ ଭାବେ ଏହି ଲେଖକଙ୍କ ସମର୍ଥନ କ୍ରମେ ଆମେ ସାନ୍ତାଳୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦେବାପାଇଁ ପ୍ରସ୍ତାବ ଗ୍ରହଣ କଲୁ ଏବଂ ସାନ୍ତାଳୀ ଭାଷା ସାମ୍ବିଧାନିକ ମାନ୍ୟତା ପାଇଲା । ମାତ୍ର ମୁଁ ଯେତେବେଳେ ସେହି ସଭାରେ କୋଶଲି/ସମ୍ବଲପୁରୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ସକାଶେ ପ୍ରସ୍ତାବ ଦେଲି ତାହା ସପକ୍ଷରେ ବିରୁଦ୍ଧ ମତ ପ୍ରକାଶ ପାଇଥିଲା ।

ସେ ଯାହାହେଉ, ସେତେବେଳେ ଯାହା ନଖରେ ଖୁଣ୍ଟିଥିଲେ ଛିଣ୍ଡି ଥାଆନ୍ତା, ଏବେ ଏଥିପାଇଁ କୁରାଢ଼ି ଲଗାଇବାକୁ ପଡ଼ୁଛି । ଏ କଥା ସତ ଯେ, ଆଜି ନହେଲେ କାଲିକି କୋଶଲି/ସମ୍ବଲପୁରୀ ଭାଷା ସାମ୍ବିଧାନିକ ମାନ୍ୟତା ପାଇବ ଏବଂ ଏହାକୁ କେହି ଆଉ ଅଟକାଇ ପାରିବେନାହିଁ, ଏହା ସୁସ୍ପଷ୍ଟ । ସେ ଯାହାହେଉ, ଏବେ ଆମ ରାଜ୍ୟରେ ଭାଷା ସଂସ୍କୃତିକୁ ନେଇ ଏକ ଶୁଭ ସୂଚନା ଦେଖିବାକୁ ମିଳୁଛି । ୧୯୬୪- ୬୭ କଟକ ରେଭେନ୍ସା କଲେଜରେ ମୁଁ ପାଠ ପଢ଼ିଲା ବେଳେ କୋଶଲି/ ସମ୍ବଲପୁରୀ ଭାଷା ସଂସ୍କୃତିକୁ ଆଦିବାସୀ, ଅସାଂସ୍କୃତିକ କହି ମୋର ସାଙ୍ଗସାଥୀ ତଥା ସାଧାରଣ ଲୋକେ ନାକ ଟେକୁଥିଲେ । ସେମାନେ ବେଶି ମାତ୍ରାରେ ବଙ୍ଗାଳୀ ଭାଷା ସଂସ୍କୃତି ପ୍ରତି ଅତ୍ୟଧିକ ଆତ୍କୃଷ୍ଟ ହେଉଥିବା ଦେଖାଯାଉଥିଲା । ଏବେ କିନ୍ତୁ ସେ ପରିସ୍ଥିତିରେ ଯଥେଷ୍ଟ ପରିବର୍ତ୍ତନ ଲକ୍ଷ୍ୟ କରିବାକୁ ମିଳୁଛି । ତାହା ହେଲା, ଆଗରୁ ପୂର୍ବ ଓଡ଼ିଶାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ, ଓଡ଼ିଶୀ ଗୀତରୁ କାର୍ଯ୍ୟକ୍ରମ ଆରମ୍ଭ ଓ ଶେଷ ହେଉଥିଲା । ମାତ୍ର ଏବେ ଦେଖିବାକୁ ମିଳୁଛି ଯେ, କୋଶଲି/ସମ୍ବଲପୁରୀ ନୃତ୍ୟ ଗୀତ ବାଦ୍ୟରେ କାର୍ଯ୍ୟକ୍ରମ ଆରମ୍ଭ ବା ଶେଷ ହେଉଛି । ଠିକ୍ ସେହିପରି ପଶ୍ଚିମ ଓଡ଼ିଶାରେ କୋଶଲି/ସମ୍ବଲପୁରୀ ନୃତ୍ୟ ଗୀତ ବାଦ୍ୟରେ କାର୍ଯ୍ୟକ୍ରମ ଆରମ୍ଭ ଓ ଶେଷ ହେଉଥିଲାବେଳେ, ଏବେ ଓଡ଼ିଶୀ ନୃତ୍ୟ ଗୀତ ବାଦ୍ୟରେ କାର୍ଯ୍ୟକ୍ରମ ଆରମ୍ଭ ବା ଶେଷ ହେଉଛି । ଏଭଳି କାର୍ଯ୍ୟକ୍ରମକୁ ମୁଁ ନିଜେ ବାଲେଶ୍ୱର ବାହାନଗାରେ ଉତ୍କଳ ସାମ୍ବାଦିକ ସମ୍ମିଳନୀ, ପୁରୀ ସଂସ୍କୃତି ଭବନ, ଭୁବନେଶ୍ୱର ଜୟଦେବ ଭବନ ଆଦି ସ୍ଥାନରେ ତଥା ବଲାଙ୍ଗିର, ବରଗଡ଼, ଭବାନୀପାଟଣା ଆଦି ସ୍ଥାନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲକ୍ଷ୍ୟ କରିଛି । ଏହା ଆମ ରାଜ୍ୟ ପାଇଁ ଶୁଭସୂଚକ । ଆମ ରାଜ୍ୟରେ ଭାଷା ଓ ସଂସ୍କୃତିଗତ ଗ୍ରହଣୀୟତା ବୃଦ୍ଧି ପାଇଲେ ତାହା ଭାବ ବିନିମୟରେ ସହାୟକ ହେବ ଏବଂ ଅଞ୍ଚଳ-ଅଞ୍ଚଳ ମଧ୍ୟରେ ଭାଷାଗତ ଓ ଭାବଗତ ସମନ୍ୱୟ ସୃଷ୍ଟି ହେବ । ସମଗ୍ର ପୃଥିବୀରେ ଏହି ଭାବଗତ ବିଭେଦ ଭାଷାଗତ ବିଭେଦରୁ ହିଁ ଅଧିକାଂଶ କ୍ଷେତ୍ରରେ ସୃଷ୍ଟି ହୋଇଥାଏ । ‘ବସୁଧୈବ କୁଟୁମ୍ବକଂ' ପ୍ରତି ଲକ୍ଷ୍ୟ ରଖି ଯଦି ସମଗ୍ର ମାନବ ସମାଜକୁ ଆମେ ଗୋଟିଏ ଡୋରିରେ ବାନ୍ଧି ରଖିବାକୁ ଚେଷ୍ଟା କରିବା, ତେବେ ଗୋଟିଏ ଭାଷାକୁ ଆମକୁ ସମଗ୍ର ବିଶ୍ୱରେ ସାର୍ବଜନୀନ କରିବାକୁ ପଡ଼ିବ । ତାହା ଅସମ୍ଭବ ଲାଗୁଥିଲେ ମଧ୍ୟ ସମ୍ଭବ । କାରଣ ଦୁଇଟି ଭାଷା ସମଗ୍ର ପୃଥିବୀରେ ଅଧିକ ମାତ୍ରାରେ ପ୍ରଚଳିତ: ଗୋଟିଏ ଇଂରାଜୀ ଓ ଅନ୍ୟଟି ହିନ୍ଦୀ । ଏହି ଦୁଇଟି ଭାଷାକୁ ଗୁରୁତ୍ୱ ଦେଇ ଆମେ ଯଦି ବିଶ୍ୱସ୍ତରରେ ଉଦ୍ୟମ ଜାରି ରଖିବା, ତେବେ ନିକଟ ଭବିଷ୍ୟତରେ ସେଥିରେ ସଫଳ ହେବାର ସମ୍ଭାବନା ଦୃଷ୍ଟିଗୋଚର ହେଉଛି । ଏ ଦିଗରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ତଥା ତାଙ୍କ ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ମନେହୁଏ ।

ଓଡ଼ିଶାର କେତେକ ଆଦିବାସୀ ଭାଷା ସମେତ କୋଶଲି/ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ କରିବା ପାଇଁ ଆଜିକୁ ଦୀର୍ଘ ବର୍ଷ ହେଲା ଉଦ୍ୟମ ହୋଇଆସୁଛି । ସେ ସମ୍ପର୍କିତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗରେ ବିଚାରାଧୀନ ଅଛି । ଏ ସମ୍ପର୍କରେ ଏହି ଲେଖକଙ୍କ ଏକ ଚିଠିର ଉତ୍ତର କେନ୍ଦ୍ର ଗୃହ ବିଭାଗରୁ ଆସିଛି, ଯହିଁରୁ ଜଣାପଡ଼ୁଛି ଯେ ଆଉ କେତେକ ଭାଷା ସମେତ କୋଶଲି/ସମ୍ବଲପୁରୀ ଭାଷା ମଧ୍ୟ ସାମ୍ବିଧାନିକ ମାନ୍ୟତା ପାଇବାକୁ ଅପେକ୍ଷା କରି ବସିଛି । ସାମ୍ବିଧାନିକ ମାନ୍ୟତା ନପାଇଲେ ଗୋଟିଏ ଭାଷାର ସୁରକ୍ଷା ଓ ସମୃଦ୍ଧି ହୋଇପାରିବ ନାହିଁ । ତେଣୁ ସାମ୍ବିଧାନିକ ଓ ପ୍ରଶାସନିକ ମାନ୍ୟତା ଅଭାବରେ ଉକ୍ତ ଭାଷା ଧୀରେ ଧୀରେ ମରିଯିବ । ଫଳରେ ଗୋଟିଏ ଅଞ୍ଚଳବାସୀଙ୍କ ସ୍ୱତନ୍ତ୍ର ପରିଚିତି ସବୁଦିନ ପାଇଁ ଲୋପ ପାଇଯିବ । ତାହା ଗୋଟିଏ ଦେଶ, ପ୍ରଦେଶ ବା ଜାତି ପାଇଁ ଶୁଭ ଲକ୍ଷଣ ନୁହେଁ । ଉଦାହରଣ ସ୍ୱରୂପ କୋଶଲି/ସମ୍ବଲପୁରୀ ଭାଷା ବହୁ ପ୍ରାଚୀନ ଯାହା ଗୋଟିଏ ସମୁନ୍ନତ ସଂସ୍କୃତିକୁ ଜନ୍ମ ଦେଇଛି, ଯାହା ତା'ର ଗ୍ରାମୀଣ ଯାନିଯାତ୍ରାରେ ବରୁଆତତ୍ତ୍ୱ ଭାବେ ଲୁକ୍କାୟିତ ଅଛି ଏବଂ ଯାହା ଅଷ୍ଟାଙ୍ଗ ଯୋଗର ଶେଷ ତିନୋଟି ଅଙ୍ଗ: ଧାରଣା, ଧ୍ୟାନ, ସମାଧି(ସବିକଳ୍ପ)କୁ ପ୍ରତ୍ୟକ୍ଷ ରୂପେ ପ୍ରଦର୍ଶିତ କରୁଛି । ଏହି ଲେଖକଙ୍କ ଗବେଷଣାଲବ୍ଧ ଆବିଷ୍କାର, ଯାହା ଉପରେ ସେ ଇଂରାଜୀ ଓ କୋଶଲି ଭାଷାରେ ଦୁଇଖଣ୍ଡ ବହି ଲେଖିଛନ୍ତି ଏବଂ ଯାହା ଉପରେ ‘ଜଙ୍ଗଲ ଜଲୁଛେ' ନାମରେ ଏକ ସିନେମା ପ୍ରସ୍ତୁତ ହୋଇ ନିକଟରେ ରିଲିଜ ହେବାକୁ ଯାଉଛି । ସବୁ ଦୃଷ୍ଟିରୁ ଓଡ଼ିଶା ସରକାର ଓ ପ୍ରଶାସନ ପଶ୍ଚିମ ଓଡ଼ିଶାବାସୀ ତଥା ଆଦିବାସୀମାନଙ୍କର ଭାଷା ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ପ୍ରତି ସମୁଚିତ ଧ୍ୟାନ ଦେଇ ସେମାନଙ୍କ ‘ଅସ୍ମିତା'ର ସୁରକ୍ଷା ଓ ସମୃଦ୍ଧି କରିବା ଉଚିତ୍ । ତେବେ ଯାଇ ଓଡ଼ିଶାରେ ଭାବଗତ ଓ ଭାଷାଗତ ସମନ୍ୱୟ ସୃଷ୍ଟି ହୋଇପାରିବ ବୋଲି ମନେହୁଏ । ଏହା ହିଁ ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତର ବିଭିନ୍ନ ଭାଷାକୁ ନେଇ ସ୍ପଷ୍ଟ ମତ । ତାହାକୁ ଦଳ-ମତ ନିର୍ବିଶେଷରେ ସମସ୍ତେ ସମର୍ଥନ କରିବା ଉଚିତ୍।