ଟରଣ୍ଟୋ,୦୯/୧୧: କାନାଡା ସରକାର ନିଜ ଭିସା ନୀତିରେ ବଡ଼ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ଜାରି ଥିବା ୧୦ ବର୍ଷୀୟ ମଲ୍ଟି ଏଣ୍ଟ୍ରି ଭିସା ଜାରିକୁ ଜଷ୍ଟିନ୍‌ ଟ୍ରୁଡୋଙ୍କ ସରକାର ବନ୍ଦ କରିଦେଇଛନ୍ତି । ଇମିଗ୍ରେସନ, ରିଫ୍ୟୁଜି ଆଣ୍ଡ୍‌ ସିଟିଜେନଶିପ୍‌ କାନାଡା  (ଆଇଆର୍‌ସିସି) ଗୁରୁବାର ଏହି ନିର୍ଦ୍ଦେଶାବଳୀ ଜାରି  କରିଛି । ଏଥିପାଇଁ ଅଧିକାରୀମାନଙ୍କୁ ବିବେକାଧିକାର  ଦିଆଯାଇଛି । 

ଏହା ଅନୁସାରେ, ଅଧିକାରୀମାନେ  ଦୀର୍ଘ ଅବଧି ବଦଳରେ ବ୍ୟକ୍ତିଗତ ମୂଲ୍ୟାଙ୍କନ  ଆଧାରରେ କମ୍‌ ଅବଧିର ଭିସା ଜାରି କରିବେ । ଏଥିଯୋଗୁ ଆଗାମୀ ଦିନରେ କାନାଡା ଯିବାକୁ  ଥିବା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ  ପଡ଼ିବ । ବିଶେଷକରି କାନାଡାରେ ରହୁଥିବା ବହୁସଂଖ୍ୟାରେ ଭାରତୀୟଙ୍କ ଉପରେ ଏହାର  ପ୍ରଭାବ ପଡ଼ିବ ।

ଆଇଆର୍‌ସିସି ପକ୍ଷରୁ କୁହାଯାଇଛି,  ଅସ୍ଥାୟୀ ଅପ୍ରବାସନ ଉପରେ ରୋକ ଲଗାଇବା,  ଦେଶବାସୀଙ୍କ ପାଇଁ ଆବାସ ସଙ୍କଟ ଦୂର କରିବା, ଜୀବନଚର୍ଯ୍ୟାର ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ କରିବା  ଉଦ୍ଦେଶ୍ୟରେ ସରକାରଙ୍କ ବ୍ୟାପକ ରଣନୀତିର  ଏହା ଏକ ଅଂଶ । ଏହି ପରିବର୍ତ୍ତନର ଅର୍ଥ ବାରମ୍ବାର  କାନାଡା ଆସୁଥିବା ଲୋକଙ୍କୁ ଏବେ କମ୍‌ ଅବଧିର  ଭିସା ମିଳିବ । ଯେଉଁମାନେ ନିୟମିତ ଭାବେ  କାମରୁ ଛୁଟି ନେଇ କାନାଡା ଯାଇଥା’ନ୍ତି ସେମାନଙ୍କ  ଉପରେ ଏହାର ଅଧିକ ପ୍ରଭାବ ପଡ଼ିବ । ପୂର୍ବରୁ  ଆଇଆର୍‌ସିସି ଦୁଇ ପ୍ରକାରର ଭିସା ଜାରି କରୁଥିଲା ।  ତାହା ହେଲା ମଲ୍ଟିପଲ୍‌ ଏଣ୍ଟ୍ରି ଏବଂ ସିଙ୍ଗଲ ଏଣ୍ଟ୍ରି ।