ପ୍ରମୂଖ ଖବର
  • ଝାରସୁଗୁଡା : ବାର୍‌ହା ଆକ୍ରମଣରେ ମାଆ ଓ ପୁଅ ଗୁରୁତର, ଡାକ୍ତଖାନାରେ ଭର୍ତ୍ତି
  • ||
  • ଜୁନ୍‌ ୨୩ରେ ପଞ୍ଚାୟତ ଉପନିର୍ବାଚନ; ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଭୋଟ୍‌, ୨୪ରେ ଫଳାଫଳ
  • ||
  • International Tea Day: ଦିନ ଆରମ୍ଭ ହୁଏ ସଞ୍ଜ ବି ସରେ ତାରି ପାଖରେ, କର୍ମକ୍ଲାନ୍ତ ଜୀବନରେ ସେ ତାଜାପଣ ଆଣେ...
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେଉଥିଲେ କିରାଣୀ, ଭିଡିଓ ଭାଇରାଲ...
  • ||
  • ଭୁବନେଶ୍ଵର : ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ, ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ : ଉପକୂଳ ଓ ପଶ୍ଚିମ ଓଡ଼ିଶାରୁ ଖସୁନି ତାତି, ୫ ଦିନରେ କେରଳ ଛୁଇଁପାରେ ମୌସୁମୀ
  • ||
  • ମୟୂରଭଞ୍ଜ : ଚୋରି ବଳଦ ସହ ଗାଡ଼ି ଜବତ, ଡ୍ରାଇଭର ଏବଂ ସହଯୋଗୀ ଫେରାର
  • ||
  • ବଲାଙ୍ଗୀର : ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ
  • ||

ଏଆଇ ଭରସାରେ ବୁଡ଼ିଲା କମ୍ପାନି, ଅଧିକ ଟଙ୍କା ସଞ୍ଚୟ ଆଶାରେ କର୍ମଚାରୀଙ୍କୁ କରିଥିଲା ଛଟେଇ

Published By : Prameya | May 20, 2025 9:05 AM

ନୂଆଦିଲ୍ଲୀ ୧୦/୦୫: ମଣିଷ ଜୀବନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତାର ପ୍ରବେଶ ପରେ ଅନେକ ପରିବର୍ତ୍ତନ ହୋଇଛି । କାର୍ଯ୍ୟାଳୟରେ ଏହି ଟେକ୍ନୋଲୋଜି ଯୋଗୁ କାମ ସହଜ ହୋଇଛି । କିନ୍ତୁ କର୍ମଚାରୀଙ୍କ ଚାକିରି ଉପରେ ବିପଦର ଆଶଙ୍କା ମଧ୍ୟ ବଢ଼ିଛି । ଏହି କ୍ରମରେ ସ୍ୱିଡେନ୍‌ର ଏକ ଫିନ୍‌ଟେକ୍‌ କମ୍ପାନି ଏଆଇକୁ ମଣିଷର ବୁଦ୍ଧିମତାଠୁ ଅଧିକ ମନେକରି ନିଜର କ୍ଷତି କରିବସିଲା । ୨ ବର୍ଷ ମଧ୍ୟରେ ସ୍ଥିତି ଏତେ ଖରାପ ହୋଇଗଲା ଯେ କମ୍ପାନି ପୁଣି ଥରେ କର୍ମଚାରୀଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଛି । 

ସ୍ୱିଡେନ୍‌ର କମ୍ପାନି କ୍ଲାର୍ନାର ଏହି ସ୍ଥିତି ଏଆଇକୁ ପ୍ରାଧାନ୍ୟ ଦେଉଥିବା ଅନ୍ୟ କମ୍ପାନିଙ୍କ ପାଇଁ ବଡ଼ ଶିକ୍ଷା ହୋଇଛି । ଏଆଇ ଦ୍ୱାରା କାମ କରାଇ ଟଙ୍କା ସଞ୍ଚୟ କରିବ ବୋଲି କମ୍ପାନି ଭାବିଥିଲା । ଟଙ୍କା ସଞ୍ଚୟ ହେଲା ସତ, କିନ୍ତୁ ଏଆଇ ଯୋଗୁ ୨ ବର୍ଷରେ କମ୍ପାନିର ଇଜ୍ଜତ ମାଟିରେ ମିଶିଗଲା । ଏଆଇ କୌଶଳ ପ୍ରୟୋଗ କରି କର୍ମଚାରୀଙ୍କ ସଂଖ୍ୟା କମାଇ କ୍ଲାର୍ନା ଖବରର ଶିରୋନାମା ହୋଇଥିଲା । ୨୦୨୩ରେ କର୍ମଚାରୀଙ୍କ ନିଯୁକ୍ତିକୁ ଏହା ସମ୍ପୂର୍ଣ୍ଣ ବନ୍ଦ କରିଥିଲା ଏବଂ ଏଆଇ ଟେକ୍ନୋଲୋଜି ଦ୍ୱାରା ସ୍ୱୟଂଚାଳିତ କାମ ଉପରେ ଜୋର ଦେଇଥିଲା । ଓପନ୍‌ଏଆଇ ସହ ଭାଗିଦାରୀ କରି ଏହା ଅନେକ ଗ୍ରାହକ ସେବାର ସଂଚାଳନ ଆରମ୍ଭ କରିଥିଲା ।

୨୦୨୩ରେ କ୍ଲାର୍ନାର ସିଇଓ ସେବେଷ୍ଟିଆନ୍‌ ସିଏମିୟାଟକୋଭସ୍କି ଦାବି କରିଥିଲେ ଯେ ଏଆଇ ମାନବ କର୍ମଚାରୀଙ୍କ ଭଳି ଉତ୍କୃଷ୍ଟ କାମ କରିପାରେ । କମ୍ପାନି କହିଥିଲା ଯେ ତା’ର ଏଆଇ ସିଷ୍ଟମ୍‌ ୭୦୦ ଗ୍ରାହକ ସେବା ଏଜେଣ୍ଟ୍‌ଙ୍କ କାମ କରୁଛନ୍ତି । ସେତିକି ନୁହେଁ, ଉତ୍ପାଦନ ଓ ତଥ୍ୟ ବିଶ୍ଳେଷଣ ଭଳି କାମ ଉପରେ କମ୍ପାନିର ୮୫ କୋଟିରୁ ଅଧିକ ଟଙ୍କା ବି ସଞ୍ଚୟ ହୋଇଛି । କିନ୍ତୁ ୨ ବର୍ଷ ମଧ୍ୟରେ କମ୍ପାନିର ଦମ୍ଭ ଭାଙ୍ଗିଯାଇଛି । 

ନିକଟରେ ଫ୍ୟୁଚରିଜମ୍‌ ଦ୍ୱାରା ରିପୋର୍ଟ କରାଯାଇଥିବା ଏକ ସାକ୍ଷାତକାରରେ କ୍ଲାର୍ନାର ସିଇଓ ସ୍ୱୀକାର କରିଛନ୍ତି, ଏଆଇ ଏଜେଣ୍ଟ୍‌ମାନେ କରିଥିବା କାମ ଆଶାନୁରୂପ ଗୁଣବତ୍ତାଠୁ କମ୍‌ ଥିଲା । ସେ ମାନିଲେ ଯେ ଖର୍ଚ୍ଚ କାଟ ଓ ସ୍ୱୟଂଚାଳିତ କାମ ଉପରେ ଅଧିକ ନିର୍ଭରଶୀଳତା କମ୍ପାନିର ଗ୍ରାହକ ଅନୁଭବକୁ ବହୁତ କ୍ଷତି ପହଞ୍ଚାଇଛି । ଏକ ବ୍ରାଣ୍ଡ୍‌ ଓ କମ୍ପାନି ଦୃଷ୍ଟିରୁ ନିଜ ଗ୍ରାହକଙ୍କୁ ସର୍ବଦା ଏହା କହିବା ଜରୁରି ଯେ ସେମାନଙ୍କ ପାଇଁ ମଣିଷ ସର୍ବଦା ଉପଲବ୍ଧ ରହିବେ । ଏଆଇ ଯୋଗୁ ଗୁଣବତ୍ତା ବହୁତ ତଳକୁ ଖସିଛି ବୋଲି ସେ ସ୍ପଷ୍ଟ କଲେ । ଏଣିକି ମାନବ କର୍ମଚାରୀଙ୍କୁ ନିଯୁକ୍ତ କରିବା କଥା ମଧ୍ୟ କହିଲେ । କମ୍ପାନିରେ ମାନବ କର୍ମଚାରୀଙ୍କୁ ପୁନଃ ନିଯୁକ୍ତ କରିବା ପାଇଁ କ୍ଲାର୍ନା ଏକ ନୂଆ ଯୋଜନା କରୁଛି । ବ୍ଲୁମ୍‌ବର୍ଗର ରିପୋର୍ଟ ଅନୁସାରେ, କ୍ଲାର୍ନା ଏବେ ଏକ ନୂଆ ଉପାୟରେ ପରୀକ୍ଷା କରୁଛି । ଏଥିରେ ଲୋକେ ଦୂରରେ ଥାଇ କାମ କରିପାରିବେ । ସୂଚନାଯୋଗ୍ୟ, ୨୦୨୨ରେ କମ୍ପାନିର କର୍ମଚାରୀଙ୍କ ସଂଖ୍ୟା ୫,୫୦୦ ଥିଲା, ଯାହା ୨୦୨୪ ଶେଷ ସୁଦ୍ଧା କମି ୩,୪୦୦ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.