ଭୁବନେଶ୍ୱର, ୦୪/୦୨: ଆଜିଠୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା । ମେଳା ପାଇଁ ସମଗ୍ର ଖଣ୍ଡଗିରି  ଅଞ୍ଚଳ ଉତ୍ସବମୁଖର ହୋଇ ପଡ଼ିଛି । ଠାକୁର ଅନନ୍ତ କେଶରୀ ଦେବ ସନ୍ଧ୍ୟା  ୭ଟରେ ଜାଗମରା ନାଗା ମଠରୁ ସୁସଜ୍ଜିତ  ବିମାନରେ ବାହାରିବେ । ଶୋଭାଯାତ୍ରାରେ  ଗ୍ରାମ ପରିକ୍ରମା କରିବା ପରେ ଉଦୟଗିରିସ୍ଥିତ ରାଣୀହଂସପୁରରେ ବିଜେ କରି ମାଘସ୍ନାନ  କରିବେ । ପୁଣି ରାତିରେ ନାଗା ମଠକୁ ଫେରି  ଆସିବେ । 

ଠାକୁରଙ୍କ ଏହି ଯାତ୍ରା ସମୟରେ ଆଖି ଝଲସା ଅତସବାଜୀ ପ୍ରଦର୍ଶନର ମଧ୍ୟ ଆୟୋଜନ କରାଯାଇଛି । ମୋଟାମୋଟି ଭାବେ ଠାକୁରଙ୍କ ଏହି ଯାତ୍ରାକୁ ପ୍ରଭୂ ଅନନ୍ତକେଶରୀ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରା ଯାଇଛି । ବିଏମ୍‌ସି ଏହି ମେଳାରୁ କୋଟିଏରୁ ଅଧିକ ଟଙ୍କା  ରାଜସ୍ୱ ଆଦାୟ କରୁଥିବା ବେଳେ ଠାକୁରଙ୍କ ଏହି ଯାତ୍ରା ପାଇଁ ୪ ଲକ୍ଷ ଟଙ୍କା ପ୍ରଦାନ କରିଛି । କିନ୍ତୁ କମିଟି ଠାକୁରଙ୍କ ଏହି ଯାତ୍ରା ପାଇଁ ପ୍ରାୟ  ୮ରୁ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି । 

ସେପଟେ ଠାକୁରଙ୍କ ଯାତ୍ରା ପାଇଁ ଖଣ୍ଡଗିରି ଥାନା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ଭିଡ଼ ନିୟନ୍ତ୍ରଣ ପାଇଁ ରାସ୍ତାର ଉଭୟପଟରେ ଲୁହା ବ୍ୟାରିକେଡ୍‌ ଖଞ୍ଜା ଯାଇଛି । ଆଜି ଖଣ୍ଡଗିରିର ଅଧିଷ୍ଠାତ୍ରୀ  ଦେବୀ ମା’ ବାରଭୂଜାଙ୍କ ନିକଟରେ ଅଖଣ୍ଡ  ଦୀପ ଲାଗିବା ସହିତ ଗୁମ୍ଫା ସଲଗ୍ନ ଶ୍ରୀ ଶ୍ରୀ  ହନୁମାନଜୀଙ୍କ ମନ୍ଦିର ପ୍ରାଙ୍ଗଣରେ ୯ଦିନ  ବ୍ୟାପୀ ଶ୍ରୀରାମଚରିତ ମାନସ ନବାହ୍ନ  ପରାୟଣ ଓ ପ୍ରବଚନ ଆରମ୍ଭ ହେବ ।  ଆଜି ଠାରୁ ମଧ୍ୟ ଏଠାରେ ବିଶ୍ୱଶାନ୍ତି  ମହାଯଜ୍ଞ ଆରମ୍ଭ ହେବ । ମେଳାପାଇଁ  ଅପେରା ପାର୍ଟି ଗୁଡ଼ିକର ଟେଣ୍ଟ୍‌ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ।