ନୂଆଦିଲ୍ଲୀ ୧୬/୦୨: କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଏବେ ଆମ ଜୀବନ ସହ ଗଭୀର ଭାବେ ଜଡି଼ତ ହୋଇଗଲାଣି । ଏଭଳି ସ୍ଥିତିରେ ଭବିଷ୍ୟତରେ ଏଆଇ ପ୍ରଫେସନାଲଙ୍କ ଅଭାବକୁ ପୂରଣ କରିବାକୁ ଆନ୍ଧ୍ରପ୍ରଦେଶ ସରକାର ଅମରାବତୀରେ ଦେଶର ପ୍ରଥମ ଏଆଇ ୟୁନିଭରସିଟି ସ୍ଥାପନ କରିବାକୁ ଯାଉଛନ୍ତି । ଆଗାମୀ ୧୯ ତାରିଖରେ ଏହି ବିଶ୍ୱବିଦ୍ୟାଳୟ ଲାଗି ଶିଳାନ୍ୟାସ ହେବ । ୨୦୨୮ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ । ୨୦୨୯ରୁ ନାମଲେଖା ଆରମ୍ଭ ହେବାର ଅଛି । ଏଆଇକୁ ବୁଝୁଥିବା ଛାତ୍ରଛାତ୍ରୀମାନେ ଅଷ୍ଟମ ଶ୍ରେଣୀରୁ ଏଠାରେ ପ୍ରବେଶର ସୁଯୋଗ ପାଇପାରିବେ ।

ଉଲ୍ଲେଖନୀୟ କଥା ହେଲା ବିଶ୍ୱର ସବୁଠୁ ବଡ଼ କମ୍ପ୍ୟୁଟର ଚିପ୍ ନିର୍ମାଣକାରୀ କମ୍ପାନି ଏନ୍‌ଭିଡିଆ ଏହି କାମରେ ଆନ୍ଧ୍ର ସରକାରଙ୍କୁ ସହାୟତା କରୁଛି । ଏନ୍‌ଭିଡିଆ ପ୍ରଯୁକ୍ତିଗତ ସହାୟତା ସହିତ ଏଠାରେ ପାଠ୍ୟକ୍ରମ, ଏଆଇ କୋର୍ସ କିଟ୍ ପ୍ରସ୍ତୁତ କରାଇବ । ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍ ଆଧାରିତ କମ୍ପ୍ୟୁଟିଙ୍ଗ୍ ସଂସାଧନ ବି ଉପଲବ୍ଧ କରିବ । ପ୍ରାଥମିକ ଭାବେ ୬୫ ଏକର ଜମିରେ ବିଶ୍ୱବିଦ୍ୟାଳୟର ନିର୍ମାଣ ହେବ । ଭବିଷ୍ୟତରେ ଅଧିକ ଏଆଇ କମ୍ପାନି ଏହି ବିଶ୍ୱବିଦ୍ୟାଳୟ ସହ ଜଡି଼ତ ହେବାର ଯୋଜନା ରହିଛି । ସେହି କମ୍ପାନିଗୁଡିକ ଗବେଷଣା ଲ୍ୟାବ୍ ବିକଶିତ କରିବେ ।

ରାଜ୍ୟର ସୂଚନା ପ୍ରଯୁକ୍ତି ସଚିବ ଭାସ୍କର କଟମନେନିଙ୍କ ମୁତାବକ, ଏହି ବିଶ୍ୱବିଦ୍ୟାଳୟ ଆଇଆଇଟିଠାରୁ ବିଲ୍‌କୁଲ୍ ଅଲଗା । ଆଇଆଇଟିଗୁଡିକ ବୈଷୟିକ ଡିଗ୍ରୀ ଏବଂ କୋଡିଂ ଉପରେ ଧ୍ୟାନ ଦେଉଥିବାବେଳେ ଏଆଇ ୟୁନିଭରସିଟି ବହୁବିଧ ମଡେଲ ଉପରେ ଆଧାରିତ ହେବ । ଏଠାରେ ପାଠପଢ଼ା ସଂପୂର୍ଣ୍ଣ ପ୍ରୋଜେକ୍ଟ ଆଧାରିତ ଏବଂ ବ୍ୟବହାରିକ ହେବ । ଡିଗ୍ରୀ ଅପେକ୍ଷା ଦକ୍ଷତାକୁ ଅଧିକ ଗୁରୁତ୍ୱ ମିଳିବ । ଏହି ହିସାବରେ ପାଠ୍ୟକ୍ରମକୁ ୩ଟି ଭାଗରେ ପ୍ରଚଳନ କରାଯିବ । ପ୍ରଥମ ଭାଗ ହେଲା ସ୍କୁଲ ସ୍ତର । ସେଥିରେ ଛାତ୍ରଛାତ୍ରୀଙ୍କୁ ଏଆଇ ସଂପର୍କରେ ମୌଳିକ ଜ୍ଞାନ ସହିତ ମେସିନ୍ ଲର୍ନିଂ, କମ୍ପୁଟର ଭିଜନ, ନ୍ୟାସନାଲ ଲାଙ୍ଗୁଏଜ୍ ପ୍ରୋସେସିଂର ଶିକ୍ଷା ଦିଆଯିବ ।

ଦ୍ୱିତୀୟ ଭାଗ ହେଲା କଲେଜ ସ୍ତର । ଏହି ସ୍ତରରେ ପାଠପଢ଼ା ନାମମାତ୍ର ରହିବ । କେବଳ ପ୍ରାକ୍ଟିକାଲ ହେବ ଯେଉଁଥିରେ ନୂଆ ନୂଆ ପ୍ରକାର ଏଆଇ ମଡେଲ୍ ବନାଯିବ । ଇଞ୍ଜିନିୟରିଂ, ମେଡିକାଲ୍, ଆଇନ, କୃଷି, ସାମାଜିକ ବିଜ୍ଞାନ ଭଳି ବିଷୟର ଛାତ୍ରଛାତ୍ରୀ ନିଜ ନିଜ କ୍ଷେତ୍ର ସହ ଜଡି଼ତ ଏଆଇ ମଡେଲ ବିକଶିତ କରିବେ । ଉଦାହରଣସ୍ୱରୂପ, କେହି ଛାତ୍ର କୃଷିରେ ଫସଲ ଅନୁମାନ ଲାଗି ଏଆଇ ମଡେଲ୍ ବନାଇବେ । ଆଇନ ଛାତ୍ର ମାମଲାର ବିଶ୍ଳେଷଣ ଲାଗି ନୂଆ ଏଆଇ ମଡେଲ୍ର ପ୍ରୟୋଗ କରିବେ । ତୃତୀୟ ସ୍ତର ହେଲା ପିଏଚ୍‌ଡି । ଏଥିରେ ଗଭୀର ଗବେଷଣା ଉପରେ ଧ୍ୟାନ ଦିଆଯିବ । ଭବିଷ୍ୟତରେ ମେସିନ୍ ଇଣ୍ଟେଲିଜେନ୍ସର ବିକାଶ, ନୂଆ ଆଲ୍‌ଗୋରିଦିମ୍, ବୃହତ ଭାଷା ମଡେଲ ବନାଇବା ଉପରେ ଗୁରୁତ୍ୱାରୋପ କରାଯିବ ।

ଆହୁରି ପଢ଼ନ୍ତୁ...ଏପ୍ରିଲ ୨୨ରେ ଖୋଲିବ କେଦାରନାଥ ଧାମ କବାଟ, ଶ୍ରଦ୍ଧାଳୁଙ୍କ ସୁବିଧା ଲାଗି ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଏହି ୟୁନିଭରସିଟିରେ ଦେଶର ପ୍ରଥମ ସ୍ୱଦେଶୀ ଲାର୍ଜ ଲାଙ୍ଗୁଏଜ୍ ମଡେଲ ମଧ୍ୟ ପ୍ରସ୍ତୁତ କରାଯିବ ଯାହାକି ଭାରତୀୟ ଭାଷା, ସଂସ୍କୃତି ଏବଂ ସାମାଜିକ ଆବଶ୍ୟକତାର ଅନୁରୂପ ହେବ । ଚାଟ୍ ଜିପିଟି ଏବଂ ଜେମିନି ଭଳି ବୈଶ୍ୱିକ ଏଆଇ ମଡେଲରୁ ଆଗକୁ ଯାଇ ଏହା ଭାରତୀୟ ସନ୍ଦର୍ଭକୁ ଅଧିକ ଭଲ ଭାବେ ବୁଝିପାରିବ । ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ କେବଳ ପାଠପଢ଼ା ଯାଏ ସୀମିତ ରହିବ ନାହିଁ । ଏହା ଜରିଆରେ ଦେଶ-ଦୁନିଆର ୫୦୦ ଏଆଇ ଷ୍ଟାର୍ଟଅପ୍‌କୁ ବି ସହାୟତା ପ୍ରଦାନ କରାଯିବ । ରତନ ଟାଟା ଇନୋଭେସନ୍ ହବ୍ ଜରିଆରେ ଛାତ୍ରଛାତ୍ରୀଙ୍କୁ ଲାଇଭ୍ ଇଣ୍ଡଷ୍ଟ୍ରି ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ ।