ସୋରଡ଼ା, ୧୬/୧୨ : ସୋରଡ଼ା ଅଞ୍ଚଳରେ ମଙ୍ଗଳବାର ଧନୁ ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଛି ପହିଲି ଭୋଗର ଆସର । ସହରର ଜଗନ୍ନାଥ, ଗୋପୀନାଥ, ରଘୁନାଥ, ତ୍ରିନାଥ, ବଡ଼ କାଳୀମନ୍ଦିର, ସାନ କାଳୀମନ୍ଦିର ସମେତ ପାଲକାଟ, ସୁରମଣୀ, ତତା ବାଲି, ସିଦ୍ଧପୁର, ବଡ଼ଗଡ଼, ରାଇବନ୍ଧ, ଚକୁଣ୍ଡା, ବୁଗୁଡ଼ା, ସୁରେଖାଦେଇପୁର ଗ୍ରାମ ମନ୍ଦିରମାନଙ୍କରେ ଆରମ୍ଭ ହୋଇଛି ଭୋଗ ଆସର I

ମିଷ୍ଟIର୍ଣ୍ଣ, ଡାଲି, ମହୁର, ବିଭିର୍ଣ୍ଣ ପ୍ରକାର ତରକାରୀ, ଚଟଣି, ଭଜା, ମିଠା ବରା, ଖିରି, କାକରା ପ୍ରଭୃତି ଭୋର ସମୟରୁ ପ୍ରସ୍ତୁତ ହୋଇ ଠାକୁରଙ୍କୁ ଭୋଗ କରାଯାଏ I ପରେ ସୂର୍ଯ୍ୟଙ୍କ ଆଗମନପରେ ଭକ୍ତମାନେ ଶୁଦ୍ଧପୁତ ଭାବେ ଆସି ମନ୍ଦିର ପରିସରରେ ଭୋଗ ସେବନ କରନ୍ତି I ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସ ଧରି ଚାଲିବାକୁ ଥିବା ଏହି ଆସରରେ ସମସ୍ତେ ବିଭିନ୍ନ ମନ୍ଦିରରେ ଯୋଗ ଦିଅନ୍ତି I

ପ୍ରତି ମନ୍ଦିରରେ ସ୍ୱତନ୍ତ୍ର ସୁପକାର ନିୟୋଜିତ ହୋଇଛନ୍ତି I ସକାଳୁ ସକାଳୁ ପହିଲି ଭୋଗ ଆସର ପାଇଁ ସମସ୍ତଙ୍କର ମନ ଆତୁର ଥାଏ I ଜଗନ୍ନାଥ ମନ୍ଦିରରେ କମିଟି ସଦସ୍ୟ ରଜନୀକାନ୍ତ ମହାପାତ୍ର ସୁସ୍ୱାଦୁ ଭୋଗ ପ୍ରସ୍ତୁତି ପାଇଁ ସଜାଗ ରହୁଥିବାବେଳେ ଅନ୍ୟ ମନ୍ଦିରମାନଙ୍କରେ ମଧ୍ୟ ଜଣେ ଜଣେ ସଦସ୍ୟ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତି I