ଭଦ୍ରକ, ୩୧/୦୭ : ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ବନ୍ୟାଜଳ। ଭଦ୍ରକ ଜିଲ୍ଲା ଆଖୁଆପଦା ଆନିକଟ ଠାରେ ସତର୍କ ସଂକେତ ୧୭.୮୩ ମିଟର ଓ ବିପଦ ସଂକେତ ୧୮.୩୩ ମିଟର ରହିଛି। ସକାଳ ୯ଟା ସୁଦ୍ଧା ବନ୍ୟାଜଳ ୧୮.୧୫ ମିଟରରେ ପ୍ରବାହିତ ହେଉଛି। ଜଳସ୍ତର ଧିରେ ଧିରେ ବୃଦ୍ଧି ପାଉଥିବାର ସୂଚନା ମିଳିଛି।
ଗତକାଲିଠୁ ଭଦ୍ରକରେ ଲଗାଣ ବର୍ଷା ଲାଗି ରହିଛି । ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ପ୍ରବଳ ବର୍ଷା ଯୋଗୁ ପୁଣି ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ନଦୀ ବଢୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି । ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଚାଷୀଙ୍କ ପରିବା ଫସଲ ମଧ୍ୟ ନଷ୍ଟ ହୋଇଛି । ଗତକାଲି ମୁଖ୍ୟମନ୍ତ୍ରୀ ମଧ୍ୟ ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ଏବେ ବି ଲୋକମାନେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଅନ୍ୟପଟେ ଆଗାମୀ ୨୪ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତିନି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟ୍କା ପବନ ବହିବା ସହ ପ୍ରବଳ ବର୍ଷା ହୋଇପାରେ ।