ଭୁବନେଶ୍ୱର ୧୩/୦୧: ଭାରତୀୟ କାହାଣୀ ଗୁଡ଼ିକୁ ବିଶ୍ୱ ଚଳଚ୍ଚିତ୍ର ଶିଳ୍ପ ସହ ଯୋଡ଼ିବାରେ ୱେଭସ୍ ଫିଲ୍ମ ବଜାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟ୍‌ଫର୍ମ ପାଲଟିଛି । ସଦ୍ୟ ଉଦାହରଣ ଭାରତୀୟ ଆନିମେଟେଡ୍ ଫିଚର୍ ଫିଲ୍ମ ‘ନୀଲୁ’ । ସରସ୍ୱତୀ ବୁୟାଲା ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ୨୦୨୩ରେ ଫିଲ୍ମ ବଜାର ସହ-ପ୍ରଯୋଜନାରେ ନିର୍ମାଣ ହୋଇଥିଲା । ଅନୁ ସିଂହ, ବିବେକ କୃଷ୍ଣାନୀ, ଡୋରା ବାବୁ ଏବଂ ମାଇକ ୟତ୍ତମଙ୍କ ଭଳି ଶିଳ୍ପ ବିଶେଷଜ୍ଞଙ୍କଠାରୁ ମୂଲ୍ୟବାନ ମାର୍ଗଦର୍ଶନ ସହ ବିଶ୍ୱସ୍ତରୀୟ ସୁଯୋଗ ପାଇଁ ବାଟ ଫିଟିଥିଲା ।

ଫିଲ୍ମଟି ଭାରତରେ ଜଣେ ଆଦିବାସୀ ଯୁବତୀଙ୍କ କାହାଣୀ ଉପରେ ଆଧାରିତ । ଯିଏକି କନ୍ୟାଭ୍ରୂଣ ହତ୍ୟା ଷଡ଼ଯନ୍ତ୍ରର ମୁକାବିଲା କରିଥାନ୍ତି । ସ୍ଥାନୀୟ ବାସ୍ତବତା ପର୍ଯ୍ୟବେସିତ ଚଳଚ୍ଚିତ୍ରଟି ଶକ୍ତିଶାଳୀ କାହାଣୀ ସହିତ ଏକ ଦୃଢ଼ ବାର୍ତ୍ତା ଦେଇଥାଏ । ୟୁରୋପୀୟ ପ୍ରଯୋଜକ ଜାଭିୟର ୟାମାମୋଟୋ ଏବଂ ସାଇମନ ବାରିଓନୁଏଭୋ ଫିଲ୍ମ ସହ ଯୋଡ଼ି ହେବା ପରେ ଫିଲ୍ମଟି ବିଶେଷ ସଫଳତା ହାସଲ କରିବାରେ ସହାୟକ ହୋଇଥିଲା । ଚଳଚ୍ଚିତ୍ର ସ୍ପେନ୍, ଫ୍ରାନ୍ସ ଏବଂ ବେଲଜିୟମ୍‌ର ଅଂଶୀଦାରମାନଙ୍କ ସହିତ ଅନ୍ତର୍ଜାତୀୟ ସହ-ପ୍ରଯୋଜନା ପ୍ରକଳ୍ପ ପାଲଟିଥିଲା ।

ଏହା ଭାରତୀୟ ଆନିମେସନ୍ କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ବିଶ୍ୱ ଚଳଚ୍ଚିତ୍ର ଶିଳ୍ପରେ ଭାରତର ବର୍ଦ୍ଧିତ ସ୍ୱୀକୃତିକୁ ଉଜ୍ଜ୍ୱଳ କରୁଛି । ନିର୍ମାତାମାନେ ଫିଚର୍ ଫିଲ୍ମଠାରୁ ଆଗକୁ ବଢ଼ି ‘ନୀଲୁ’କୁ ନେଇ ଗ୍ରାଫିକ୍ ଉପନ୍ୟାସ ଏବଂ ୱେବ୍‌ଟୁନ୍ ସିରିଜ୍ ପାଇଁ ଯୋଜନା କରୁଛନ୍ତି । ‘ନୀଲୁ’ ଲସ୍ ଆଞ୍ଜେଲସରୁ ପ୍ରାରମ୍ଭିକ ନିବେଶ ପାଇସାରିଛି । ଅଧିକ ୟୁରୋପୀୟ ପାଣ୍ଠି ପାଇଁ ଫରାସୀ ଭାଷାରେ ଅନୁବାଦ କରାଯାଉଛି । ଫିଲ୍ମର ସଫଳତା ପାଇଁ ଏହାର ନିର୍ଦ୍ଦେଶକ ୱେଭସ୍ ଫିଲ୍ମ ବଜାର-୨୦୨୫କୁ ଶ୍ରେୟ ଦେଇଛନ୍ତି ।