ଭୁବନେଶ୍ୱର,୦୧/୦୫:  ରାଜଧାନୀରେ କାଳ ବୈଶାଖୀ ତାଣ୍ଡବ ରଚିଛି । ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ିରେ ଥରିଛି ରାଜଧାନୀ । ପବନରେ ଭୁବନେଶ୍ୱର ଷ୍ଟେସନ ବଜାର ଦୁର୍ଗାମଣ୍ଡପ ସାମ୍ନାରେ ଥିବା ଏକ ହୋର୍ଡିଂ ଖସି ପଡିଛି । ଫଳରେ କାର, ବାଇକ୍‌ ଚାପି ହୋଇ ରହିଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ଅପରାହ୍ଣ ପ୍ରାୟ ୫.୪୫ ବେଳକୁ ରାଜଧାନୀ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ । ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ିରେ ଥରିଥିଲା ରାଜଧାନୀ । ପବନର ବେଗ ଘଣ୍ଟା ପ୍ରତି ୭୦ କିମି ଥିଲା । ପବନରେ ହଠାତ୍‌ ଭୁବନେଶ୍ୱର ୬ ନମ୍ବର ପ୍ଲାଟର୍ଫମରୁ ଦୁର୍ଗାମନ୍ଦିର ରାସ୍ତାରେ କୋଠା ଉପରେ ଲାଗିଥିବା ଏକ ବିଜ୍ଞାପନ ହୋର୍ଡିଂ ଭାଙ୍ଗି ତଳେ ପଡ଼ିଥିଲା । ତଳେ ପାର୍କିଂ ହୋଇଥିବା ଏକ କାର (ଓଡି ୦୨- ୱାଇ୯୬୩୭), ୨ଟି ମୋଟର ସାଇଲେକ ଉପରେ ଏହା ପଡିଥିଲା । ଏଥିରେ ଜଣେ ଆହତ ହୋଇଥିବା ଜଣାପଡ଼ିଛି । 

ହୋର୍ଡିଂ ପଡ଼ିବାର ଠିକ୍‌ ୧୫ ମିନିଟ୍‌ ଆଗରୁ ୬ ନମ୍ବର ପ୍ଲାଟଫର୍ମରେ ଏକ ଟ୍ରେନ୍‌ ଲାଗିଥିଲା । ଏହି ରାସ୍ତା ଦେଇ ଯାତ୍ରୀ ଯିବାକୁ ବାହାରୁଥିଲେ । ହେଲେ ବର୍ଷା ଯୋଗୁଁ ଅଟକି ରହିଥିଲେ । ଯଦି ଉକ୍ତ ରାସ୍ତାରେ ଯିବା ଆସିବା ହୋଇଥାନ୍ତା, ତେବେ ଜୀବନ ହାନୀ ଆଶଙ୍କାକୁ ଏଡ଼ାଇ ଦେଇ ହୋଇନଥାନ୍ତା । ଉକ୍ତ ହୋର୍ଡିଂ ଏକ ଘରୋଇ କମ୍ପାନି ଲଗାଇଛି । ହୋର୍ଡିଂର ମୂଳ ଦୁର୍ବଳ ରହିଥିଲା । ଫଳରେ ଦଲକାଏ ପବନରେ ଏହା ଖସି ପଡ଼ିଲା । ହେଲେ ବିଏମ୍‌ସିର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଲେ ନାହିଁ । ଏପରି କି ଖବର ଲେଖା ହେବା ପର୍ଯ୍ୟନ୍ତ ମଧ୍ୟ ଅଧିକାରୀ କି ପୁଲିସ, ଅଗ୍ନିଶମ ବିଭାଗର ଦେଖା ନଥିଲା । ହୋର୍ଡିଂ ଯେଉଁ ସଂସ୍ଥା ଲଗାଇଥିଲା, ସେ ବି ଆଗକୁ ଆସିଲା ନାହିଁ । ଏବେ ଖସିପଡ଼ିଥିବା ହୋର୍ଡିଂ କାହାର ତାକୁ ନେଇ ବିଏମ୍‌ସି ଦରାଣ୍ଡି ହେଉଛି ।

ଆହୁରି ପଢନ୍ତୁ-ମହିଳା ସଂରକ୍ଷଣ ମହାବିତର୍କ : ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା, ମଧ୍ୟରାତ୍ରୀରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂକଳ୍ପ ପାରିତ

ଦୁଇ ମାସ ତଳେ କାଳ ବୈଶାଖୀ ପବନରେ ଆଇଗିଣିଆ ଠାରେ ହୋର୍ଡିଂ ଖସି ପଡିଥିଲା । ହୋର୍ଡିଂ ତଳେ ୨ ଜଣ ଚାପି ହୋଇ ମରିଥିଲେ । ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣା ବିଏମ୍‌ସିକୁ ନିନ୍ଦିତ କରିଥିଲା । ଏନେଇ ସବୁ ହୋର୍ଡିଂର ଷ୍ଟ୍ରକଚରାଲ ଷ୍ଟାବିଲିଟି ଯାଞ୍ଚ ପାଇଁ ବିଏମ୍‌ସି ନିର୍ଦ୍ଦେଶ ଦେଇଥିଲା । ସବୁ ଷ୍ଟ୍ରକଚରାଲ ରିର୍ପୋଟ ଦାଖଲ କରିଥିଲେ । ହେଲେ ଏହି ହୋର୍ଡିଂ କାହାର । ହୋର୍ଡିଂର ଷ୍ଟ୍ରକଚରାଲ ଯାଞ୍ଚ ହୋଇଥିଲା ତ । ନା ବିଏମ୍‌ସି କେବଳ ଘରୋଇ ଏଜେନ୍ସି ସାର୍ଟିଫିକେଟକୁ ଦେଖି ସବୁଜ ସଙ୍କେତ ଦେଇଦେଲା, ତାକୁ ନେଇ ପ୍ରଶ୍ନ ଉଠିଛି । ଡେପୁଟି କମିଶନର (ରାଜସ୍ୱ) ଅଜୟ କୁମାର ମହାନ୍ତି କହିଛନ୍ତି, ଖବର ପାଇବା ପରେ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି । ହୋର୍ଡିଂଟି କାହାର ତାହା ମଧ୍ୟ ଯାଞ୍ଚ ହେଉଛି । 


ଅଧା ଭୁବନେଶ୍ୱର ଅନ୍ଧାର
 ପ୍ରବଳ ବର୍ଷା ପବନରେ ଆଜି ଅଧା ଭୁବନେଶ୍ୱର ଅନ୍ଧାରରେ ଥିଲା । ବିଦ୍ୟୁତ୍‌ ଖୁଣ୍ଟ ଉପୁଡିବାରୁ ଏପରି ପରିସ୍ଥିତି ଉପୁଜିଥିଲା । ରେଡି ସାହି ବସ୍ତିରେ ଇଲେକ୍ଟ୍ରିକ ଖୁଣ୍ଟ ଉପୁଡି ପଡିଥିଲା । ଅନ୍ୟ ସ୍ଥାନମାନଙ୍କରେ ତାର ଛିଣ୍ଡିଥିଲା । ଫଳରେ ରାଜଧାନୀର ଖଣ୍ଡଗିରି, ଘାଟିକିଆ, କଟକ ରୋଡ୍‌ ଅଞ୍ଚଳରେ ଲାଇନ କଟିଥିଲା । ଏହା ସହ ପୋଖରୀପୁଟ, ୟୁନିଟ୍‌-୮, ସହିଦନଗର, ଖାରବେଳନଗର, ପୁରୁଣା ଭୁବନେଶ୍ୱର, ଧଉଳି ଏବଂ ଅନ୍ୟ ଉପକଣ୍ଠ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ପ୍ରଭାବିତ ହୋଇଥିଲା । ପଟିଆ, ନିଳାଦ୍ରିବିହାର, ଚନ୍ଦ୍ରଶେଖରପୁର, ଗାଡ଼କଣ, ବାରଙ୍ଗ ଅଞ୍ଚଳରେ ବି ଲାଇନ କଟିଥିଲା । ସାମପୁର, ଅନ୍ଧାରୁଆ ଅଞ୍ଚଳରେ ରାତି ୧୨ ପର୍ଯ୍ୟନ୍ତ ଲାଇନ୍‌ ଆସିନଥିଲା ।

 ହାଇଦ୍ରାବାଦ-ଭୁବନେଶ୍ୱର ବିମାନ ରୁଟ ବଦଳିଲା 
ରାଜଧାନୀରେ କାଳବୈଶାଖୀ ଯୋଗୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଅବତରଣ କରି ପାରିନଥିଲା । ଫଳରେ ବିମାନର ଦିଗକୁ ପରିବର୍ତ୍ତନ କରାଯାଇଥିଲା । ହାଇଦ୍ରାବାଦ୍‌ରୁ ଭୁବେନଶ୍ୱର ଆସୁଥିବା ଇଣ୍ଡିଗୋ ବିମାନକୁ ରାୟପୁରକୁ ପଠାଇ ଦିଆଯାଇଥିଲା । ତେବେ ବର୍ଷା କମିବା ପରେ ରାତି ପ୍ରାୟ ୮ଟା ବେଳକୁ ପୁଣି ସେଠାରୁ ବିମାନ ଫେରିଥିଲା । ଗତକାଲି ମଧ୍ୟ ବିମାନର ଇନ୍ଧନ ସରିବା ଯୋଗୁଁ ଦିଲ୍ଲୀ-ଭୁବନେଶ୍ୱର ଫ୍ଲାଇଟ୍‌ ଜୟପୁରରେ ଅବତରଣ କରିଥିଲା।