ନୂଆଦିଲ୍ଲୀ ୦୬/୧୨: ଭୟଙ୍କର ଲିଙ୍ଗ ଅସନ୍ତୁଳନର ସମ୍ମୁଖୀନ ହେଉଛି ଲାଟ୍ଭିୟା। ଏହି ସଙ୍କଟ ସମୟରେ ଦେଶର ମହିଳାମାନେ ଘର କାମରେ ସାହାଯ୍ୟ ଲାଗି ଅସ୍ଥାୟୀ ଭାବେ ସ୍ୱାମୀଙ୍କୁ ଭଡ଼ାରେ ନେବାକୁ ବାଧ୍ୟ ହେଉଛନ୍ତି । ମାସେ କି ବର୍ଷେ ନୁହେଁ, ମାତ୍ର ଘଣ୍ଟାଏ ପାଇଁ । ଲାଟ୍ଭିୟାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୧୫.୫ ପ୍ରତିଶତ ଅଧିକ । ୟୁରୋପୀୟ ସଂଘରେ ଏହା ହାରାହାରି ହାରର ୩ ଗୁଣ ଅଧିକ । ଅନ୍ୟପକ୍ଷେ, ୱର୍ଲଡ୍ ଆଟ୍ଲାସ ଅନୁସାରେ, ୬୫ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ମହିଳାଙ୍କ ସଂଖ୍ୟା ପୁରୁଷଙ୍କଠୁ ଦୁଇଗୁଣ ଅଧିକ । ପରିଣାମସ୍ୱରୂପ, ଏହି ଦେଶ ପୁରୁଷ-ମହିଳା ଅନୁପାତରେ ବଡ଼ ତାରତମ୍ୟର ସମ୍ମୁଖୀନ ହେଉଛି ।
ସ୍ଥାନୀୟ ମହିଳା କହନ୍ତି, ଏଠାରେ କର୍ମକ୍ଷେତ୍ର ଓ ଦୈନନ୍ଦିନ ଜୀବନରେ ପୁରୁଷଙ୍କ ଅଭାବ ରହିଛି । ପର୍ବପର୍ବାଣିରେ କାର୍ଯ୍ୟ କରୁଥିବା ଡାନିୟା ନାମ୍ନୀ ଜଣେ ମହିଳା କହିଛନ୍ତି, ତାଙ୍କର ୯୮ ପ୍ରତିଶତ ସହକର୍ମୀ ମହିଳା । ଏଥିରେ କିଛି ଭୁଲ ନାହିଁ, କିନ୍ତୁ ଉତ୍ତମ ସନ୍ତୁଳନ ପାଇଁ କଥାବାର୍ତ୍ତା କିମ୍ବା ମିଳାମିଶା ନିମନ୍ତେ ଅଧିକ ପୁରୁଷଙ୍କର ଆବଶ୍ୟକତା ରହିଛି । ସେଥିପାଇଁ ତାଙ୍କର ସମସ୍ତ ସାଙ୍ଗ ବିଦେଶ ଯାଇ ପୁରୁଷବନ୍ଧୁ ପାଇଛନ୍ତି ।
ଏହି ସ୍ଥିତିରେ ଦେଶବ୍ୟାପୀ ସ୍ୱାମୀର ଆବଶ୍ୟକତା ପୂରଣ ଲାଗି ଡାନିୟାଙ୍କ ଭଳି ମହିଳାମାନେ ନିଜ ଘର କାମରେ ସାହାଯ୍ୟ ଲାଗି ଅସ୍ଥାୟୀ ଭାବେ ମାତ୍ର କିଛି ସମୟ ପାଇଁ ସ୍ୱାମୀଙ୍କୁ ଭଡ଼ାରେ ନେଉଛନ୍ତି । ଶୁଣିବାକୁ ଏହା ଖରାପ ଲାଗୁଥାଇପାରେ, କିନ୍ତୁ ‘କୋମାଣ୍ଡା ୨୪’ ଭଳି ପ୍ଲାଟ୍ଫର୍ମ ଏଥିପାଇଁ ଟ୍ରେଣ୍ଡ୍ରେ ଅଛି, ଯେଉଁଠି ମାତ୍ର କିଛି ଅର୍ଥ ବିନିମୟରେ ମହିଳାମାନେ ବିନା ଦ୍ୱିଧାରେ ଘରର ବିଭିନ୍ନ କାମ ପାଇଁ ପୁରୁଷଙ୍କୁ ଚୟନ କରୁଛନ୍ତି । ଅନ୍ୟପକ୍ଷେ, ରେମୋଣ୍ଟଡାର୍ବି ଡଟ୍ ଆଇଭି ସେବା ଅନ୍ଲାଇନ୍ କିମ୍ବା ଫୋନ୍ ମାଧ୍ୟମରେ ଘଣ୍ଟାଏ ପାଇଁ ସ୍ୱାମୀ ଭଡ଼ାରେ ନେବାକୁ ମହିଳାଙ୍କୁ ଅନୁମତି ପ୍ରଦାନ କରୁଛି । ଏହି ସମୟରେ ସେମାନେ ଘର ରଙ୍ଗ, ପରଦା ଟାଙ୍ଗିବା ଏବଂ ଘରର ଅନ୍ୟ ରକ୍ଷଣାବେକ୍ଷଣ କାର୍ଯ୍ୟରେ ମହିଳାଙ୍କୁ ସାହାଯ୍ୟ କରୁଛନ୍ତି । ବିଶେଷଜ୍ଞମାନେ ଲାଟ୍ଭିୟାର ଲିଙ୍ଗ ଅସନ୍ତୁଳନର ଏକ କାରଣ ପୁରୁଷଙ୍କ କମ୍ ଆୟୁଷ ବୋଲି କହୁଛନ୍ତି । ମାତ୍ରାଧିକ ଧୂମପାନ ଏବଂ ଜୀବନଶୈଳୀ ସମ୍ପର୍କିତ ସ୍ୱାସ୍ଥ୍ୟ ସମସ୍ୟା ଏଥିପାଇଁ ଦାୟୀ । ୱର୍ଲଡ୍ ଆଟ୍ଲାସ ଅନୁସାରେ, ଲାଟ୍ଭିୟାର ୧୦ ପ୍ରତିଶତ ମହିଳାଙ୍କ ତୁଳନାରେ ୩୧ ପ୍ରତିଶତ ପୁରୁଷ ଧୂମପାନ କରନ୍ତି । ଅଧିକ ପୁରୁଷ ପୃଥୁଳ କିମ୍ବା ମେଦବହୁଳତାରେ ପୀଡ଼ିତ ।
ତେବେ ସ୍ୱାମୀ ଭଡ଼ାରେ ନେବାର ଟ୍ରେଣ୍ଡ୍ କେବଳ ଲାଟ୍ଭିୟା ମଧ୍ୟରେ ସୀମିତ ନୁହେଁ । ୨୦୨୨ରେ ବ୍ରିଟେନରେ ଲୌରା ୟଙ୍ଗ୍ ନାମ୍ନୀ ଜଣେ ମହିଳା ‘ରେଣ୍ଟ୍ ମାଇଁ ହ୍ୟାଣ୍ଡି ହଜ୍ବ୍ୟାଣ୍ଡ୍’ ନାମକ ନିଜର ବ୍ୟବସାୟ ଅଧୀନରେ ଘରର ଯାବତୀୟ କାମ କରିବାକୁ ନିଜ ସ୍ୱାମୀ ଜେମ୍ସଙ୍କୁ ଭଡ଼ାରେ ଲଗାଇଥିଲେ । ଜେମ୍ସ ଦିନ ତମାମ ବୁକ୍ ରହୁଛନ୍ତି ଏବଂ ବିଭିନ୍ନ ଘର କାମ ପାଇଁ ଘଣ୍ଟା କିମ୍ବା ଦିନ ହିସାବରେ ପାରିଶ୍ରମିକ ନେଉଛନ୍ତି ।